ଏବେ ଶାନ୍ତିରେ ଶୋଇବି: ରୋହିତ

ନୂଆଦିଲ୍ଲୀ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିବା ପରେ ରୋହିତ ଶର୍ମା ଜଣେ ଛୋଟ ପିଲା ଭଳି ହୋଇଯାଇଛନ୍ତି। ପ୍ରଥମେ ସେ ବିଶ୍ବକପ୍‌ ଟ୍ରଫି ଗ୍ରହଣ କରିବାକୁ ଯିବା ବେଳେ ରୋବୋଟିକ୍‌ ୱାକ୍‌ରେ ଅତିଥିଙ୍କ ପାଖକୁ ଯାଇଥିଲେ। ପରେ ଟ୍ରଫିକୁ କୁଣ୍ଢେଇ ଧରି ବୁଲିଥିଲେ। ରାତିରେ ‌ଟ୍ରଫିକୁ ମୁଣ୍ଡ ପାଖରେ ରଖି ଶୋଇଥିଲା ବେଳେ ଏହାକୁ ନିଜ ପାଖରୁ ଅଳ୍ପ ସମୟ ପାଇଁ ବି ଦୂରେଇବାକୁ ଚାହୁ ନଥିଲେ। ବିସିସିଆଇକୁ ଦେଇଥିବା ଏକ ସାକ୍ଷାତକାର ଅନୁସାରେ ଏହା ଏକ ସ୍ବପ୍ନ ଭଳି ଲାଗୁଛି। ଯେମିତି କିଛି ଘଟି ନଥିବା ପରି ଲାଗୁଛି। ଯଦିଓ ବିଶ୍ବକପ୍‌ ଜିତି ସାରିଛୁ କିନ୍ତୁ ଏଭଳି ହୋଇ ନଥିବା ପରି ମନେହେଉଛି ବୋଲି ସେ ହସିହସି କହିଛନ୍ତି। ଫାଇନାଲ୍‌ ଖେଳାଯାଇଥିବା ରାତିରେ ଦଳର ଖେଳାଳିମାନେ ସକା‌ଳ ପର୍ଯ୍ୟନ୍ତ ବିଜୟ ଉତ୍ସବ ପାଳନ କରୁଥିଲେ।

ରାତିସାରା ଠିକ୍‌ରେ ଶୋଇ ପାରି ନଥିବା ରୋହିତ କହିଛନ୍ତି ଏବେ ଘରକୁ ଯାଇ ଶାନ୍ତିରେ ଶୋଇପାରିବି। କିନ୍ତୁ ଏବେ ଟ୍ରଫି ସହ ପ୍ରତିଟି ମୁହୂର୍ତ୍ତକୁ ମୁଁ ବଞ୍ଚିବାକୁ ଚାହୁଛି। ଏହାକୁ ହାସଲ କରିବାକୁ ଆମେ ଅନେକ ଦିନ ଧରି ସ୍ବପ୍ନ ଦେଖିଥିଲୁ। ଏକାଠି ହୋଇ କଠିନ ପରିଶ୍ରମ ଜାରି ରଖିଥିଲୁ। ଏବେ ଟ୍ରଫିକୁ ଆମ ସାଙ୍ଗରେ ପାଇଥିବାରୁ ଆଶ୍ବସ୍ତ ଲାଗୁଛି। ଯେତେବେଳେ କିଛି ପାଇବା ପାଇଁ କଠିନ ପରିଶ୍ରମ କରିଥାଉ ‌ଓ ଶେଷରେ ତାହାକୁ ହାସଲ କରୁ, ଏହା ନିଶ୍ଚିତ ଭାବେ ବହୁତ ଭଲ ଅନୁଭୂତି ଆଣେ ବୋଲି ସେ କହିଛନ୍ତି। ତେବେ ପିଚ୍‌ର ମାଟିକୁ ଖାଇବା ସଂପର୍କରେ ସେ କହିଛନ୍ତି, ଏଥିପାଇଁ ଆଗରୁ କିଛି ଭାବି ନଥିଲି। ଏହା ସ୍ବତଃ ଭାବେ ଅନ୍ତରରୁ ଆସିଥିଲା। ମୁଁ ଯେତେବେଳେ ଆମକୁ ଟ୍ରଫି ଜିତାଇଥିବା ପିଚ୍‌ ପାଖକୁ ଯାଇଥିଲି, ସେତେବେଳେ ଏହାକୁ ସବୁଦିନ ପ‌ାଇଁ ନିଜ ଦେହରେ ମିଶାଇ ଦେବାକୁ ଚାହିଥିଲି। ତେଣୁ ଏହି ପଡ଼ିଆ ଓ ପିଚ୍‌କୁ ନିଜର ଏକ ଅଂଶ ଭାବେ ସ୍ମୃତି କରି ରଖିବାକୁ ଏହାର ଏକ ଖଣ୍ଡ ସାଙ୍ଗରେ ନେଇଯିବାକୁ ଭାବିଥିଲି। ତେଣୁ ଏହି ଭାବନାକୁ ଅଧିକ ସ୍ମରଣୀୟ କରିବା ପାଇଁ ଏହାର ସ୍ବାଦ ଚାଖିବାକୁ ଆଦୌ ଭୁଲି ନଥିଲି ବୋଲି ରୋହିତ କହିଛନ୍ତି।

ସମ୍ବନ୍ଧିତ ଖବର