ବାଇଡେନଙ୍କ ପକ୍ଷ ନେଲେ ଓବାମା: ‘ବେଳେବେଳେ ଖରାପ ବିତର୍କର ରାତି ଆସେ’

ୱାସିଂଟନ: ପ୍ରଥମ ରାଷ୍ଟ୍ରପତି-ବିତର୍କରେ ଜୋ ବାଇଡେନଙ୍କ ଦୁର୍ବଳ ପ୍ରଦର୍ଶନ ଏବେ ଡେମୋକ୍ରାଟିକ ପାର୍ଟି ପାଇଁ ଚିନ୍ତାର କାରଣ ହୋଇଛି। ତେବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ତାଙ୍କ ଡେମୋକ୍ରାଟିକ୍ ସହଯୋଗୀ ତଥା ରାଷ୍ଟ୍ରପତି ବାଇଡେନଙ୍କୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ ବାଇଡେନଙ୍କ ପାଇଁ ଏହା ଏକ ଖରାପ ବିତର୍କର ରାତି ହୋଇଥିଲେ ମଧ୍ୟ ନଭେମ୍ବର ୫ ନିର୍ବାଚନରେ ଏହା ପ୍ରତିଫଳିତ ହେବ ନାହିଁ। ୮୧ ବର୍ଷୀୟ ବାଇଡେନ ଓ ତାଙ୍କ ରିପବ୍ଲିକାନ୍ ପ୍ରତିଦ୍ୱନ୍ଦ୍ୱୀ ଡୋନାଲ୍ଡ ଟ୍ରମ୍ପ (୭୮) ହ୍ବାଇଟ୍ ହାଉସ୍ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସବୁଠାରୁ ବୟସ୍କ ପ୍ରାର୍ଥୀ। ବିଶେଷ କରି ବାଇଡେନଙ୍କ ବୟସ ଓ ମାନସିକ ସ୍ୱାସ୍ଥ୍ୟକୁ ନେଇ ଭୋଟରମାନେ ଚିନ୍ତା ପ୍ରକଟ କରିଛନ୍ତି। ୨୦୦୮ରୁ ୨୦୧୭ ପର୍ଯ୍ୟନ୍ତ ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଇଥିବା ଓବାମା ଟ୍ୱିଟ୍ କରି କହିଛନ୍ତି, ଖରାପ ବିତର୍କର ରାତି ଆସେ। କିନ୍ତୁ ଏହି ନିର୍ବାଚନରେ ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରୁ ଆମକୁ ଜଣଙ୍କୁ ବାଛିବାକୁ ହେବ- ଜଣେ ସାରା ଜୀବନ ସାଧାରଣ ଲୋକଙ୍କ ପାଇଁ ଲଢ଼ିଛନ୍ତି ଏବଂ ଆଉ ଜଣେ କେବଳ ନିଜ ପାଇଁ ଚିନ୍ତା କରନ୍ତି।

ଓବାମାଙ୍କ ଆଠବର୍ଷର କାର୍ଯ୍ୟକାଳରେ ବାଇଡେନ ଉପରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ। ଗୁରୁବାର ବିତର୍କରେ ବାଇଡେନ ବାରମ୍ବାର ଝୁଣ୍ଟିବା ଓ ବୟାନରେ ତାଳମେଳ ନ ରହିବା ଭୋଟରଙ୍କ ଚିନ୍ତା ବଢ଼ାଇ ଦେଇଛି। ସେ ଆଉ ୪ ବର୍ଷ କାର୍ଯ୍ୟକାଳ ପାଇଁ ଯୋଗ୍ୟ ନୁହନ୍ତି ବୋଲି ତାଙ୍କର କିଛି ସାଥୀ ଡେମୋକ୍ରାଟ୍ ଭାବୁଛନ୍ତି। ସାଥୀ ଦଳକୁ ନିରାଶ କରିଥିବା ଦୁର୍ବଳ ବିତର୍କ ସତ୍ତ୍ୱେ ବାଇଡେନ ଏହି ଦୌଡ଼ରୁ ଓହରିଯିବା ନେଇ କୌଣସି ସଙ୍କେତ ଦେଇନାହାନ୍ତି।

ସମ୍ବନ୍ଧିତ ଖବର