ବିଏସଏଫ ଧରିଲା ପାକ୍ ଡ୍ରୋନ, ମିଳିଲା ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ : ପାକିସ୍ତାନ ସୀମାରେ ନିଜର ଭାରତ ବିରୋଧୀ କାର୍ଯ୍ୟକଳାପକୁ ଛାଡୁନାହିଁ। ପୂର୍ବରୁ ପାକିସ୍ତାନ ଭାରତକୁ ଆତଙ୍କବାଦୀ ପଠାଉଥିଲା। କିନ୍ତୁ ଏବେ ପାକିସ୍ତାନ ଭାରତକୁ ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ଯୋଗାଣ ପାଇଁ ଡ୍ରୋନ୍ ବ୍ୟବହାର କରିବା ଆରମ୍ଭ କରିଛି। ପୁଣି ଆଗରୁ ପଞ୍ଜାବକୁ ଡ୍ରୋନ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ପଠାଉଥିବାବେଳେ ଏବେ ରାଜସ୍ଥାନକୁ ବି ଡ୍ରୋନ ପଠାଇବା ଆରମ୍ଭ କରିଛି । ରବିବାର ରାଜସ୍ଥାନର ଶ୍ରୀକରଣପୁରରେ ଅନ୍ତର୍ଜାତୀୟ ସୀମା ନିକଟରୁ ଏକ ପାକିସ୍ତାନୀ ଡ୍ରୋନ୍ ମିଳିଛି। ସୀମା ସୁରକ୍ଷା ବଳ (ବିଏସଏଫ) ଯବାନମାନେ ଏହି ଡ୍ରୋନକୁ ନିଜ କବଜାକୁ ନେଇଛନ୍ତି । ଏହି ଡ୍ରୋନରୁ ଦୁଇଟି ପ୍ୟାକେଟ୍ ଜବତ କରାଯାଇଛି।

ଉକ୍ତ ପ୍ୟାକେଟରୁ ୮ ରାଉଣ୍ଡ, ଗୋଟିଏ ପିସ୍ତଲ ଓ ମାଗାଜିନ୍ ମିଳିଥିଲା। ଦ୍ୱିତୀୟ ପ୍ୟାକେଟରେ ଡ୍ରଗ୍ସ ଥିବା ସନ୍ଦେହ କରାଯାଉଛି। ଡ୍ରୋନ ମିଳିବା ପରେ ବିଏସଏଫ ଓ ପୋଲିସ ଜରିଆରେ ସର୍ଚ୍ଚ ଅପରେସନ ଜାରି ରହିଛି । ହେରୋଇନ୍ ଡେଲିଭରି କରିବାକୁ ଆସିଥିବା ଚୋରା ଚାଲାଣକାରୀଙ୍କ ସନ୍ଦେହରେ ଏହି ଅପରେସନ୍ ଚାଲିଥିବା ସୂଚନା ମିଳିଛି।

ଆଜିକାଲି ଭାରତକୁ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଓ ଡ୍ରଗ୍ସ ପହଞ୍ଚାଇବା ପାଇଁ ପାକିସ୍ତାନ ଡ୍ରୋନର ବ୍ୟାପକ ବ୍ୟବହାର କରୁଛି। ରାଜସ୍ଥାନ, ପଞ୍ଜାବଠାରୁ ଆରମ୍ଭ କରି ଜମ୍ମୁ-କଶ୍ମୀର ପର୍ଯ୍ୟନ୍ତ ଭାରତ-ପାକ୍ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନୀ ଡ୍ରୋନ୍ ଧରାପଡ଼ୁଛି। ବିଏସଏଫକୁ ଏହି ଡ୍ରୋନଗୁଡିକ ଉପରେ ବରାବର ନଜର ରଖିଛି । ତେବେ ପଞ୍ଜାବରେ ପାକିସ୍ତାନୀ ଡ୍ରୋନ୍ ଧରାପଡ଼ିବାର ସର୍ବାଧିକ ମାମଲା ସାମ୍ନାକୁ ଆସୁଛି।

ସମ୍ବନ୍ଧିତ ଖବର