ଆଫଗାନିସ୍ତାନ ଉପରେ ଆକ୍ରମଣ କରିବ ପାକିସ୍ତାନ ! ଆରମ୍ଭ କଲା ସ୍ବତନ୍ତ୍ର ସାମରିକ ଅପରେସନ

 ଇସଲାମାବାଦ: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ତିକ୍ତତା ବଢିଯାଇଛି । ପାକିସ୍ତାନରେ ଉତ୍ପାତ କରୁଥିବା ଆତଙ୍କବାଦୀଙ୍କୁ ଆଫଗାନିସ୍ତାନ ପ୍ରଶ୍ରୟ ଦେଉଛି ବୋଲି ପାକିସ୍ତାନ ବାରମ୍ବାର ଅଭିଯୋଗ କରିଆସିଛି । ଏବେ ପାକିସ୍ତାନ ପକ୍ଷରୁ ଏକ ବଡ଼ ଧରଣର ସାମରିକ ଅପରେସନ ଆରମ୍ଭ କରାଯାଇଛି ।

ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ୍ ଚେତାବନୀ ଦେଇଛନ୍ତି ଯେ ନିକଟରେ ସେନା ଦ୍ୱାରା ଆରମ୍ଭ ହୋଇଥିବା ଆତଙ୍କବାଦ ବିରୋଧୀ ଅଭିଯାନ ନିଷିଦ୍ଧ ତେହରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି)ର ସୁରକ୍ଷିତ ଆଶ୍ରୟସ୍ଥଳୀକୁ ଟାର୍ଗେଟ କରିପାରେ। ଏଥିସହିତ ନିଷିଦ୍ଧ ସଂଗଠନ ସହ କୌଣସି ଆଲୋଚନାକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି ।

ସରକାର ଗତ ସପ୍ତାହରେ ‘ଅପରେସନ୍ ଆଜମ-ଏ-ଇସ୍ତେହକମ୍’ ଆରମ୍ଭ କରିବାକୁ ଘୋଷଣା କରିଥିଲେ। ପାକିସ୍ତାନ ଉପରେ ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି)ର ବଢୁଥିବା ବିପଦର ମୁକାବିଲା କରିବା ଏହାର ଲକ୍ଷ୍ୟ । ଟିଟିପି ଆତଙ୍କବାଦୀଙ୍କୁ ଆଫଗାନିସ୍ତାନ ତାଲିବାନ ସେମାନଙ୍କ ଅଞ୍ଚଳ ବ୍ୟବହାର କରିବା ପାଇଁ ନିରବ ସମ୍ମତି ଦେଇଥିବାରୁ ପାକିସ୍ତାନ ପ୍ରତି ବିପଦ ବଢିବାରେ ଲାଗିଛି ।

‘ଏକ୍ସପ୍ରେସ୍ ଟ୍ରିବ୍ୟୁନ୍’ ଖବରକାଗଜର ରିପୋର୍ଟ ଅନୁଯାୟୀ, ‘ଭଏସ୍ ଅଫ୍ ଆମେରିକା’କୁ ଦେଇଥିବା ଏକ ସାକ୍ଷାତକାରରେ ଆସିଫ୍ କହିଛନ୍ତି ଯେ ଆତଙ୍କବାଦ ବିରୋଧୀ ଅଭିଯାନ ଆରମ୍ଭ କରିବାକୁ ତରବରିଆ ଭାବେ ନିଷ୍ପତ୍ତି ନିଆଯାଇ ନାହିଁ। ସେ  କହିଛନ୍ତି ଯେ ଆଫଗାନିସ୍ତାନରେ ଟିଟିପି ସୁରକ୍ଷିତ ଆଶ୍ରୟସ୍ଥଳୀଗୁଡ଼ିକୁ ଟାର୍ଗେଟ କରାଯାଇପାରେ ଏବଂ ଏହା ଅନ୍ତର୍ଜାତୀୟ ଆଇନ ବିରୁଦ୍ଧରେ ହେବ ନାହିଁ କାରଣ ଆଫଗାନିସ୍ତାନ ପାକିସ୍ତାନକୁ ଆତଙ୍କବାଦର “ରପ୍ତାନି” କରୁଛି ଏବଂ ସେଠାରେ “ରପ୍ତାନିକାରୀ”ମାନଙ୍କୁ ଆଶ୍ରୟ ପ୍ରଦାନ କରୁଛି।

ସମ୍ବନ୍ଧିତ ଖବର