ମହାରାଷ୍ଟ୍ର ରାଜନୀତି ପୁଣିଥରେ ସରଗରମ: ଅଜିତ ପାୱାରଙ୍କ ସହ ଥିବା ଅନେକ ନେତା ପୁଣିଥରେ ଶରଦ ପାୱାରଙ୍କ ଗୋଷ୍ଠୀରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା

ମୁମ୍ବାଇ: ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ ମହାରାଷ୍ଟ୍ର ରାଜନୀତି ପୁଣିଥରେ ସରଗରମ ହୋଇଛି । ଅଜିତ ପାୱାରଙ୍କ ସହ ଥିବା ଅନେକ ନେତା ପୁଣିଥରେ ଶରଦ ପାୱାରଙ୍କ ଗୋଷ୍ଠୀରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଶରଦ ପାୱାର ଗୋଷ୍ଠୀର କିଛି ନେତା ଏଭଳି ଦାବି କରିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଜିତଙ୍କ କ୍ୟାମ୍ପର ୧୮ ଜଣ ବିଧାୟକ ଏବେ ଶରଦ ପାୱାରଙ୍କ କ୍ୟାମ୍ପ ସହ ଯୋଗାଯୋଗରେ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଏସବୁ ଭିତରେ ଅଜିତ ପାୱାର ନିଜ ବାସଭବନରେ ବିଧାୟକ ଦଳର ବୈଠକ ଡାକିଛନ୍ତି । ଯଦି ଶରଦ ପାୱାରଙ୍କ କ୍ୟାମ୍ପ କରୁଥିବା ଦାବିରେ ସତ୍ୟତା ଥାଏ ତେବେ ମହାରାଷ୍ଟ୍ର ରାଜନୀତିରେ ବଡ ଧରଣର ହଟଚମଟ ଦେଖିବାକୁ ମିଳିପାରେ । କାରଣ ଅଜିତ ପାୱାରଙ୍କ କ୍ୟାମ୍ପରେ ୪୦ ଜଣ ବିଧାୟକ ରହିଛନ୍ତି, ଯେଉଁମାନେ ସିନ୍ଦେ ସରକାରର ସୁରକ୍ଷାକବଚ ସାଜିଛନ୍ତି ।

ମହାରାଷ୍ଟ୍ରରେ ବିଜେପି, ଅଜିତ ପାୱାରଙ୍କ ଏନସିପି ଓ ଶିବସେନା ସିନ୍ଦେ ଗୋଷ୍ଠୀର ମିଳିତ ସରକାର ଚାଲିଛି । ଅନ୍ୟପଟେ ଚଳିତ ନିର୍ବାଚନରେ ଇଣ୍ଡିଆ ମେଣ୍ଟ ମହାରାଷ୍ଟ୍ରରେ ଦମଦାର ପ୍ରଦର୍ଶନ କରିଛି । କଂଗ୍ରେସ ୧୩, ଶିବସେନା ଉଦ୍ଧବ ଗୋଷ୍ଠୀ ୯ ଓ ଏନସିପି ଶରଦ ପାୱାର ଗୋଷ୍ଠୀ ୮ଟି ଆସନରେ ବିଜୟୀ ହୋଇଛନ୍ତି ।

ସମ୍ବନ୍ଧିତ ଖବର