ସଂସଦରେ ରାହୁଲ-ମୋଦୀ ମୁହାଁମୁହିଁ: ବାଚସ୍ପତିଙ୍କୁ ବି ଟାର୍ଗେଟ କଲେ ବିରୋଧୀ ଦଳ ନେତା

ନିଜକୁ ହିନ୍ଦୁ ବୋଲାଉଥିବା ଲୋକ ହିଂସ୍ର ଆଚରଣ କରୁଛନ୍ତି: ରାହୁଲ

ନୂଆଦିଲ୍ଲୀ: ଲୋକସଭାରେ ଆଜି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଛି। ରାହୁଲ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁହାଁମୁହିଁ ହୋଇଛନ୍ତି। ଧର୍ମ ଓ ସମ୍ବିଧାନ ସଂପର୍କରେ ମନ୍ତବ୍ୟକୁ ନେଇ ରାହୁଲଙ୍କ ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଗକୁ ଆସିଥିଲେ। ରାହୁଲ ହିନ୍ଦୁ ଧର୍ମକୁ ଅପମାନିତ କରିଥିବାରୁ ସେ କ୍ଷମା ମାଗନ୍ତୁ ବୋଲି ସେମାନେ ଦାବି କରିଥିଲେ। ରାହୁଲ ତାଙ୍କ ଉଦ୍‌ବୋଧନରେ‌ ବାଚସ୍ପତି ଓମ୍ ବିର୍ଲାଙ୍କୁ ମଧ୍ୟ ଟାର୍ଗେଟ୍ କରିଥିଲେ। ରାହୁଲଙ୍କ ମନ୍ତବ୍ୟକୁ ବିରୋଧ କରି ଦୁଇ ଜଣ କେନ୍ଦ୍ର ମନ୍ତ୍ରୀ ଆଜି ବାଚସ୍ପତିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ରାହୁଲ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିଥିଲେ। ବିରୋଧୀ ଦଳ ନେତା ହିସାବରେ ପ୍ରଥମ ଥର ପାଇଁ ଉଦ୍‌ବୋଧନ ଦେଇଥିଲେ। ମଣିପୁର ଦଙ୍ଗା ଠାରୁ ଆରମ୍ଭ କରି ନିଟ୍‌ ପ୍ରଶ୍ନପତ୍ର ଲିକ୍‌, ଅଗ୍ନିବୀର ଯୋଜନା ଆଦି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଏକାଧିକ ପ୍ରସଙ୍ଗରେ ଦୀର୍ଘ ସମୟ ଧରି ପ୍ରଚଣ୍ଡ ଆକ୍ରମଣ କରିଥିଲେ। ଭଗବାନ ଶିବ, ନାନକ ଏବଂ ଅନ୍ୟ ମହାପୁରୁଷମାନଙ୍କ ଫଟୋକୁ ହାତରେ ଧରି ନିଜକୁ ହିନ୍ଦୁ ବୋଲାଉଥିବା ବ୍ୟକ୍ତିଙ୍କ ହିଂସ୍ର ଆଚରଣର ସମାଲୋଚନା କରି ରାହୁଲ କହିଥିଲେ ଯେ ଯେଉଁମାନେ ହିଂସ୍ର ଆଚରଣ କରୁଛନ୍ତି, ସେମାନେ ହିନ୍ଦୁ ନୁହନ୍ତି। ବିଶେଷ କରି ସେ ବିଜେପି ଏବଂ ଆରଏସ୍ଏସ୍‌ର ତୀବ୍ର ସମାଲୋଚନା କରିଥିଲେ। ଧର୍ମ ନାମରେ ସେମାନେ ହିଂସା ଓ ଘୃଣାର ପ୍ରସାର କରୁଛନ୍ତି ବୋଲି କହିଥିଲେ। ରାହୁଲଙ୍କ ମନ୍ତବ୍ୟକୁ ପ୍ରଧାନମନ୍ତ୍ରୀ ତୀବ୍ର ବିରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଆସନରେ ଛିଡ଼ା ହୋଇ ଏହାର ପ୍ରତିବାଦ କରିଥିଲେ। ଏପରିକି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଛିଡ଼ା ହୋଇ ରାହୁଲ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ।

ରାହୁଲ କହିଥିଲେ ସବୁ ମହାପୁରୁଷ ଅହିଂସା ଏବଂ ଭୟ ନାଶ ଉପରେ ଗୁରୁତ୍ବ ଦେଇଛନ୍ତି। କିନ୍ତୁ ନିଜକୁ ହିନ୍ଦୁ କହୁଥିବା କେତେକ ବ୍ୟକ୍ତି ଓ ସଂଗଠନ କେବଳ ହିଂସା, ଘୃଣା ଏବଂ ଅସତ୍ୟ କହୁଛନ୍ତି। ତେଣୁ ଆପଣମାନେ ଆଦୌଁ ହିନ୍ଦୁ ନୁହନ୍ତି ବୋଲି ସେ କହିଥିଲେ। ବିଜେପି ଓ ଆରଏସ୍‌ଏସ୍‌କୁ ଟାର୍ଗେଟ କରି ରାହୁଲ ଏହି ମନ୍ତବ୍ୟ ଦେଇଥିଲେ। ରାହୁଲଙ୍କ ଏହି ମନ୍ତବ୍ୟକୁ ନେଇ ସଂସଦରେ ପ୍ରବଳ ହଟ୍ଟଗୋଳ ହେବାରୁ ପ୍ରଧାନମନ୍ତ୍ରୀ ଛିଡ଼ା ହୋଇ ସମସ୍ତ ହିନ୍ଦୁ ସମୁଦାୟକୁ ହିଂସ୍ର କହିବା ଏକ ଗମ୍ଭୀର ଅଭିଯୋଗ ବୋଲି ମନ୍ତବ୍ୟ ଦେଇଥିଲେ। ଏହାର ଉତ୍ତରରେ ରାହୁଲ କହିଥିଲେ ଯେ କେବଳ ବି‌ଜେପି-ଆରଏସ୍‌ଏସ୍‌ ହିନ୍ଦୁ ନୁହନ୍ତି। ପରିସ୍ଥିତି ଏଭଳି ହୋଇଥିଲା ଯେ ରାହୁଲଙ୍କ ଭାଷଣ ସମୟରେ ପ୍ରଧାନମନ୍ତ୍ରୀ ଏବଂ ଦୁଇ ଜଣ ବରିଷ୍ଠ ମନ୍ତ୍ରୀଙ୍କୁ ଆସନରେ ଛିଡ଼ା ହୋଇ ମନ୍ତବ୍ୟ ଦେବାକୁ ପଡ଼ିଥିଲା। ଅଗ୍ନିବୀରମାନଙ୍କୁ ସହିଦ ମାନ୍ୟତା ଦିଆନଯିବା ପ୍ରସଙ୍ଗରେ ମଧ୍ୟ ରାହୁଲ ସରକାରଙ୍କୁ ସମାଲୋଚନା କରିଥିଲେ।

ରାହୁଲ ତାଙ୍କ ଭାଷଣରେ ବାଚସ୍ପତି ବିର୍ଲାଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନଥିଲେ। ରାହୁଲ ଅଭିଯୋଗ କରିଥିଲେ ସେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ନତମସ୍ତକ ହେଉଛନ୍ତି। ସେ କହିଲେ, ମୋ ସହ ହାତ ମିଳାଇବା ସମୟରେ ବାଚସ୍ପତି ସିଧା ଛିଡ଼ା ହୋଇଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ସହିତ ହାତ ମିଳାଇବା ସମୟରେ ମୁଣ୍ଡ ନୁଆଇଁଥିଲେ। ଏହା ଉପରେ ବାଚସ୍ପତି ଶ୍ରୀ ବିର୍ଲା ଏବଂ ରାହୁଲଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ବାଚସ୍ପତି ବିର୍ଲା କହିଥିଲେ ବୟସ୍କ ବ୍ୟକ୍ତିମାନଙ୍କୁ ସମ୍ମାନ ଦେବା ତାଙ୍କର ସଂସ୍କାର। ତେବେ ରାହୁଲ କହିଥିଲେ ଯେ ଲୋକସଭାରେ ପଦମର୍ଯ୍ୟାଦା ଦୃଷ୍ଟିରୁ ସମସ୍ତଙ୍କ ଉପରେ ରହିଛନ୍ତି ବାଚସ୍ପତି।

ଗୃହରେ ହଟ୍ଟଗୋଳ ଚାଲିଥିବା ବେଳେ ବିରୋଧୀ ସାଂସଦଙ୍କ ମାଇକ୍‌ ବନ୍ଦ କରି ଦିଆଯାଉଥିବା ପ୍ରସଙ୍ଗ‌ରେ ବାଚସ୍ପତି ଓମ ବିର୍ଲା ସଫେଇ ଦେଇଥିଲେ। ସେ କହିଥିଲେ ଯେ କେତେକ ସଦସ୍ୟ ସେମାନଙ୍କ ମାଇକ୍‌ ବନ୍ଦ କରି ଦିଆଯାଉଥିବା ଅଭିଯୋଗ ଗୃହ ବାହାରେ କରୁଛନ୍ତି। କିନ୍ତୁ ମାଇକ୍‌ର ନିୟନ୍ତ୍ରଣ ବାଚସ୍ପତି ଆସନରେ ବସିଥିବା ବ୍ୟକ୍ତିଙ୍କ ପାଖରେ ନାହିଁ। ଏହା ପୂର୍ବରୁ ନିଟ୍ ୟୁଜି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଗୋଟିଏ ଦିନ ଆଲୋଚନା ପାଇଁ ରାହୁଲ ଦାବି କରିଥିଲେ। ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ଦୁଇ କୋଟିରୁ ଅଧିକ ଛାତ୍ରଛାତ୍ରୀ ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି। ୭୦ ଥର ପ୍ରଶ୍ନପତ୍ର ଲିକ୍‌ ହୋଇଛି ବୋଲି ରାହୁଲ କହିଥିଲେ। ତେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହା ଉପରେ ଆଲୋଚନାକୁ ଅନୁମତି ଦିଆଯିବ ନାହିଁ ବୋଲି କହିଥିଲେ। ସେ ଏନେଇ ଗୃହର ନିୟମ ଉଲ୍ଲେଖ କରିଥିଲେ। ବାଚସ୍ପତି ପ୍ରତିରକ୍ଷା ମନ୍ତ୍ରୀଙ୍କ ମନ୍ତବ୍ୟକୁ ସମର୍ଥନ କରି ରାହୁଲଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଏହାପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ବିଜେପି ସାଂସଦ ଅନୁରାଗ ସିଂହ ଠାକୁରଙ୍କ ନାମ ଡାକିବାରୁ ‌ବିରୋଧୀ ସଦସ୍ୟମାନେ କିଛି ସମୟ ପାଇଁ କକ୍ଷତ୍ୟାଗ କରିଥିଲେ।

ରାଜ୍ୟସଭାରେ କଂଗ୍ରେସ ଦଳ ନେତା ମଲ୍ଲିକାର୍ଜୁନ ଖଡ଼୍‌ଗେ ଅଗ୍ନିବୀର ନିଯୁକ୍ତି ଯୋଜନାକୁ ଉଚ୍ଛେଦ କରି କରିବା ପାଇଁ ଦୃଢ଼ ଦାବି କରିଥିଲେ। ଏଭଳି ଯୋଜନା କାର୍ଯ୍ୟକାରୀ କରାଯିବା ଦ୍ବାରା ଯୁବବର୍ଗର ଆଶାଆକାଂକ୍ଷା ଧୂଳିସାତ ହୋଇଯାଇଛି ବୋଲି ଖଡ଼ଗେ କହିଥିଲେ। ଇତିମଧ୍ୟରେ ଆଜି ସନ୍ଧ୍ୟ‌ାରେ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଅଶ୍ବୀନ ବୈଷ୍ଣବ ଏବଂ କିରଣ ରିଜିଜୁ ବାଚସ୍ପତିଙ୍କୁ ଭେଟି ରାହୁଲଙ୍କ ବିରୋଧରେ ଅଭିଯୋଗ କରିଥିଲେ। ସେମାନେ କହିଥିଲେ ଯେ ରାହୁଲ ବିରୋଧୀ ଦଳ ନେତା ପଦମର୍ଯ୍ୟାଦାକୁ କ୍ଷୁଣ୍ଣ କରିଛନ୍ତି। ସମଗ୍ର ହିନ୍ଦୁ ସଂପ୍ରଦାୟକୁ ସେ ଅପମାନିତ କରିଥିବା ସେମାନେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର