ମଙ୍ଗଳବାର ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟର ୧୫ ଆସନରେ ସ୍ଥିତି ରୋମାଞ୍ଚକର

ୟୁପି-ହିମାଚଳ ପ୍ରଦେଶ- କର୍ଣ୍ଣାଟକରେ ପରିସ୍ଥିିତି ସରଗରମ

ନୂଆଦିଲ୍ଲୀ: ରାଜ୍ୟସଭାର ୫୬ ଆସନ ମଧ୍ୟରୁ ୪୧‌ରେ ପ୍ରାର୍ଥୀମାନେ ନିର୍ବିରୋଧ ନିର୍ବାଚିତ ହୋଇ ସାରିଛନ୍ତି। ସେମାନଙ୍କ ମଧ୍ୟରେ କଂଗ୍ରେସର ସୋନିଆ ଗାନ୍ଧୀ ଏବଂ ବିଜେପିର ଜେପି ନଡ୍ଡା ବିନା ବିରୋଧରେ ରାଜ୍ୟସଭାକୁ ନିର୍ବାଚିତ ହୋଇସାରିଛନ୍ତି।ଏବେ ଅବଶିଷ୍ଟ ୧୫ ଆସନ ପାଇଁ ଫେବ୍ରୁଆରୀ ୨୭ ଅର୍ଥାତ ମଙ୍ଗଳବାର ଦିନ ମତଦାନ କରାଯିବ।

ଅବଶିଷ୍ଟ ୧୫ ଆସନ ଉତ୍ତରପ୍ରଦେଶ, ହିମାଚଳପ୍ରଦେଶ ଏବଂ କର୍ଣ୍ଣାଟକରେ ରହିଛି। ଏହି ତିନି ରାଜ୍ୟରେ ଏବେ ରୋମାଞ୍ଚକର ସ୍ଥିତି ଉପୁଜିଛି। ଉତ୍ତରପ୍ରଦେଶରେ ୧୦ ରାଜ୍ୟସଭା ଆସନକୁ ନେଇ ସ୍ଥିତି ସର୍ବାଧିକ ରୋଚକ ରହିଛି। ବିଜେପି ଏଠାରେ ଅଷ୍ଟମ ପ୍ରାର୍ଥୀ ଦେଇ ବିରୋଧୀଙ୍କ ପାଇଁ ସଙ୍କଟ ସୃଷ୍ଟି କରିଛି। ବିଜେପିର ରାଜନୈତିକ ରଣନୀତି ନେଇ ରାଜ୍ୟରେ ମୁହାଁମୁହିଁ ଅବସ୍ଥା ଦେଖାଦେଇଛି।

ଉତ୍ତରପ୍ରଦେଶର ୧୦ ରାଜ୍ୟସଭା ଆସନ ପାଇଁ ୧୧ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଅପରପକ୍ଷରେ ସମାଜବାଦୀ ପାର୍ଟିର ୩ ପ୍ରାର୍ଥୀ ଜୟାବଚ୍ଚନ, ପୂର୍ବ ସାଂସଦ ରାମଜିଲାଲ ସୁମନ ଏବଂ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଆଲୋକ ରଞ୍ଜନ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏପରିସ୍ଥଳେ ବିଜେପି ୭ ବଦଳରେ ୮ ଜଣ ପ୍ରାର୍ଥୀଙ୍କୁ ଛିଡ଼ା କରାଇ ସ୍ଥିତିକୁ ରୋମାଞ୍ଚକର କରିଛି। ଯଦି ବିଜେପି ଅଷ୍ଟକମ ପ୍ରାର୍ଥୀଙ୍କୁ ଛିଡ଼ା କରାଇ ନଥାନ୍ତା ତେବେ ରାଜ୍ୟରେ ନିର୍ବିରୋଧ ନିର୍ବାଚନ ହୋଇଥାନ୍ତା।

ହିମାଚଳପ୍ରଦେଶରେ ଗୋଟିଏ ରାଜ୍ୟସଭା ଆସନ ଲାଗି ବିଜେପି ପାଖରେ ବିଜୟ ହେବା ପାଇଁ ପ୍ରର୍ଯ୍ୟାପ୍ତ ବିଧାୟକ ନ ଥିଲେ ମଧ୍ୟ ଦଳ ପକ୍ଷରୁ କଂଗ୍ରେସର ଅଭିଷେକ ମନୁ ସିଙ୍ଗଭୀଙ୍କ ବିରୋଧରେ ହର୍ଷ ମହାଜନଙ୍କୁ ପ୍ରାର୍ଥୀ କରାଯାଇଛି।

ଅପରପକ୍ଷରେ କର୍ଣ୍ଣାଟକରେ ୪ ରାଜ୍ୟସଭା ଆସନ ପାଇଁ ୫ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ରାଜ୍ୟରେ କଂଗ୍ରେସ ୪ ଜଣ ପ୍ରାର୍ଥୀ ଦେଇଥିବାବେଳେ ବିଜେପି ଜଣେ ପ୍ରାର୍ଥୀଙ୍କୁ ଛିଡ଼ା କରାଇଛି। ଫଳରେ ବିଜେପିର ରଣନୀତି ନେଇ ସ୍ଥିତି ରୋଚକ ହୋଇଛି।

ସମ୍ବନ୍ଧିତ ଖବର