ବେଙ୍ଗାଲୁରୁ: ବେଙ୍ଗାଲୁରୁ କ୍ରିକେଟ୍ ଷ୍ଟାଡିୟମ ଦଳାଚକଟା ଘଟଣାରେ ବେଙ୍ଗାଲୁରୁ ପୁଲିସ ଆର୍ସିବି(ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ)ଫ୍ରାଞ୍ଚାଇଜ୍, ଇଭେଣ୍ଟ ମ୍ୟାନେଜମେଣ୍ଟ ଫାର୍ମ ଡିଏନ୍ଏ ଏଣ୍ଟରଟେନମେଣ୍ଟ୍ ନେଟୱର୍କ୍ସ ଏବଂ କେଏସ୍ସିଏ(କର୍ଣ୍ଣାଟକ ଷ୍ଟେଟ୍ କ୍ରିକେଟ୍ ଏସୋସିଏସନ୍) ପ୍ରଶାସନିକ କମିଟି ସମେତ ଏକାଧିକ ପକ୍ଷଙ୍କ ବିରୋଧରେ ଏତଲା ରୁଜୁ କରିଛି। କୁବନ ପାର୍କ ଥାନାରେ ଏହି ଏତଲା ରୁଜୁ ହୋଇଛି ଏବଂ କେନ୍ଦ୍ରୀୟ ଡିସିପି ଶେକର ଏଚ୍ ଟେକ୍କାନବର ଏହା ସ୍ପଷ୍ଟ କରିଛନ୍ତି। ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଅଧୀନରେ ଏହି ଏତଲା ରୁଜୁ ହୋଇଛି। ରୁଜୁ ହୋଇଥିବା ଏତଲାରେ ଦଳାଚକଟା ଘଟଣାରେ ଆପରାଧିକ ଅବହେଳା ଦର୍ଶାଯାଇଛି। ଅନ୍ୟପକ୍ଷରେ ଆଜି ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଦଳାଚକଟା ଘଟଣାରେ ପୁଲିସ କମିସନରଙ୍କ ସମେତ ୫ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିବା କହିଛନ୍ତି। ଆରସିବି ଦଳାଚକଟା ଘଟଣାରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛି।
ଆର୍ସିବି ମ୍ୟାନେଜମେଣ୍ଟ୍ ଜୁନ୍ ୩ ତାରିଖରେ ଆଇପିଏଲ୍ ୨୦୨୫ ଫାଇନାଲ୍ ପୂର୍ବରୁ ବେଙ୍ଗାଲୁରୁ ସିଟି ପୁଲିସଠାରୁ ଏକ ବିଜୟ ପରେଡ୍ ପାଇଁ ଅନୁମତି ମାଗିଥିଲା। କିନ୍ତୁ ସୁରକ୍ଷା କାରଣ ଦର୍ଶାଇ ପୁଲିସ ଅନୁମତି ଦେଇନଥିଲା। ଏହାପରେ ଆର୍ସିବି, ପୁଲିସର ବିନା ଅନୁମତିରେ ବିଜୟ ପରେଡ୍ ସଂକ୍ରାନ୍ତରେ ଟ୍ବିଟ୍ କରିଦେଇଥିଲା। ଏହା ଜୋରଦାର ଭାଇରାଲ୍ ହେବାରେ ଲାଗିଲା ଏବଂ କ୍ରିକେଟ୍ ଫ୍ୟାନ୍ମାନେ ବହୁ ସଂଖ୍ୟାରେ ଷ୍ଟାଡିୟମ ନିକଟରେ ରୁଣ୍ଡ ହୋଇଥିଲେ। ଦଳାଚକଟାରେ ମୃତ୍ୟୁ ହୋଇଥିବା ସମସ୍ତ ୧୧ ଜଣଙ୍କ ବୟସ ୪୦ ବର୍ଷ ତଳେ। ମୃତକଙ୍କ ମଧ୍ୟରେ ୩ ଜଣ ନାବାଳକ ଅଛନ୍ତି। ୬ ଜଣ ମୃତକଙ୍କ ବୟସ ୨୦ରୁ ୩୦ ମଧ୍ୟରେ। ଏହି ମୃତକମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନେ ହେଉଛନ୍ତି ଦିବ୍ୟାଂଶୀ (୧୪), ଦୋରେଶା (୩୨), ଭୂମିକ (୨୦), ଶାହାନା (୨୫), ଅକ୍ଷତା (୨୭), ଶ୍ରାବଣ (୨୦), ଦେବୀ (୨୯), ଶିବଲିଙ୍ଗ (୧୭), ଚିନ୍ମୟୀ (୧୯) ଏବଂ ପ୍ରଜ୍ବଳ (୨୦)।