ଶକ୍ତିକାନ୍ତଙ୍କ ଚିନ୍ତା ବଢ଼ାଇଲା ତାତି: ଦରଦାମ୍‌ ବିରୋଧ ଲଢ଼େଇ ଦୁର୍ବଳ

ପନିପରିବା, ଫଳ ଚାଷ ପ୍ରଭାବିତ

ମୁମ୍ବାଇ: କରୋନା ମହାମାରୀ ଓ ପରବର୍ତ୍ତୀ ସମୟରେ ଆରମ୍ଭ ହୋଇଥିବ ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଭାରତ ସମେତ ସମଗ୍ର ବିଶ୍ବରେ ଦରଦାମ୍‌କୁ ଉଚ୍ଚା‌ ରହିଛି। ଦରଦାମ୍ ରାକ୍ଷାସକୁ ପରାସ୍ତ କରି ଲୋକମାନଙ୍କୁ ଆଶ୍ବସ୍ତି ଦେବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଯେଉଁ ଲଢ଼େଇ କରୁଛନ୍ତି ସେଥିପ୍ରତି ଚଳିତ ବର୍ଷର ପ୍ରବଳ ଗରମ ବଡ଼ ବିପଦ ଭାବେ ଉଭା ହୋଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ବୁଲେଟିନ୍‌ରେ ଏହା ଜଣାଇଛି।

ବୁଲେଟିନ୍‌ରେ କୁହାଯାଇଛି ଯେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହ ଜାରି ରହିଥିବାରୁ ଦେଶରେ ଥିବା ଜଳାଶୟଗୁଡ଼ିକରେ ଜଳସ୍ତର ହ୍ରାସ ପାଇଛି। ଏହା ପନିପରିବା ଓ ଫଳ ଚାଷକୁ ପ୍ରଭାବିତ କରିବ। ତାହା ହେଲେ ଦରଦାମ୍‌ କମ୍ କରିବା ଲାଗି ନିଆଯାଉଥିବା ପଦକ୍ଷେପଗୁଡ଼ିକର ଲାଭ ମିଳିବ ନାହିଁ। ଖାଦ୍ୟ ସାମଗ୍ରୀ ଦାମ୍ ଉଚ୍ଚା ଓ ଅସ୍ଥିର ରହିବ। ଖରାଟିଆ ଚାଷ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ରବି ଋତୁର ଡାଲି ଓ ପନିପରିବା ଉପରେ ନଜର ରଖିବାର ଆବଶ୍ୟକତା ରହିଛି ବୋଲି ଶକ୍ତିକାନ୍ତ କହିଛନ୍ତି।

ପ୍ରଚଣ୍ଡ ତାତି କେବଳ ଚାଷ କାମକୁ ପ୍ରଭାବିତ କରେ ନାହିଁ। ଏହାର ସୁଦୂର ପ୍ରସାରୀ ପ୍ରଭାବ ରହିଛି। ଲୋକମାନେ କାମଧନ୍ଦା ପାଆନ୍ତି ନାହାନ୍ତି। ଖରାରେ କାମ କରିବାକୁ ଶ୍ରମିକମାନେ ଭୟ କରନ୍ତି। ତାହା ସେମାନଙ୍କ ପାଇଁ ଆର୍ଥିକ କ୍ଷତିର କାରଣ ହୋଇଥାଏ। ବିଶେଷ କରି ନିର୍ମାଣ, ଚାଷ ଓ ଖଣି କ୍ଷେତ୍ରରେ କାମ କରୁଥିବା ଲୋକମାନଙ୍କ ଜୀବିକା ପ୍ରତି ପ୍ରଚଣ୍ଡ ତାତି ବିପଦ ସୃଷ୍ଟି କରିଛି। ରିଜର୍ଭ ବ୍ୟାଙ୍କ ଜଣାଇଛି ଯେ ୨୭ ଡିଗ୍ରି ପରେ ତାପମାତ୍ରାରେ ପ୍ରତି ୧ ଡିଗ୍ରି ବୃଦ୍ଧି ଶ୍ରମିକମାନଙ୍କ ଉତ୍ପାଦକତାରେ ୪ ପ୍ରତିଶତ ହ୍ରାସର କାରଣ ହୋଇଥାଏ। ଏହି ସମସ୍ୟା ଯେତିକି ସହଜ ଜଣାପଡ଼ୁଛି ତାହାର ପ୍ରଭାବ କିନ୍ତୁ ବହୁତ ଅଧିକ। ନିର୍ମାଣ କାମ ଠିକ୍ ସମୟରେ ଶେ‌ଷ ହୋଇପାରେ ନାହିଁ, ପୁଞ୍ଜିନିବେଶ ପରିମାଣ ବଢ଼ାଇବାକୁ ପଡ଼ିଥାଏ ଏବଂ ଭିତ୍ତିଭୂମି ସୁବିଧା ମିଳିବା ମଧ୍ୟ ବିଳମ୍ବିତ ହୋଇଥାଏ।

ସମ୍ବନ୍ଧିତ ଖବର