ଆରମ୍ଭ ହେଲା ୯୬ ହଜାର କୋଟିର ୫ଜି ସ୍ପେକ୍ଟ୍ରମ୍ ନିଲାମ

ନୂଆଦିଲ୍ଲୀ: ୫ଜି ସ୍ପେକ୍ଟ୍ରମ ନିଲାମ ପୁଣି ଥରେ ଆରମ୍ଭ ହୋଇଛି। ଏଥର ସରକାର ୯୬ ହଜାର କୋଟି ଟଙ୍କାର ସ୍ପେକ୍ଟ୍ରମ୍ ନିଲାମ ପାଇଁ ରଖିଛନ୍ତି। ଏହା ପୂର୍ବରୁ ୨୦୨୨ରେ ହୋଇଥିବା ୫ଜି ସ୍ପେକ୍ଟ୍ରମ ନିଲାମରେ ସରକାର ୧.୫ ଲକ୍ଷ କୋଟି ଟଙ୍କା ଆୟ କରିଥିଲେ। ଏଥର ମଧ୍ୟ ସ୍ପେକ୍ଟ୍ରମ୍ ନିଲାମରୁ ସରକାର ପ୍ରଚୁର ଆୟ ଆଶା ରଖିଛନ୍ତି। ଏଥର ମଧ୍ୟ ତିନି ପ୍ରମୁଖ ଟେଲିକମ୍ କମ୍ପାନି ରିଲାଏନ୍ସ ଜିଓ, ଏୟାରଟେଲ୍ ଏବଂ ଭୋଡାଫୋନ୍-ଆଇଡିଆ ୫ଜି ସ୍ପେକ୍ଟ୍ରମ୍ ନିଲାମରେ ଭାଗ ନେଉଛନ୍ତି।

ଏଥର ସରକାର ୫ଜି ସ୍ପେକ୍ଟ୍ରମ ନିଲାମରେ ୮ଟି ସ୍ପେକ୍ଟ୍ରମ୍ ବ୍ୟାଣ୍ଡକୁ ନିଲାମରେ ରଖିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏଥର ଏହି ତିନି କମ୍ପାନୀ ପ୍ରାୟ ୧୨,୫୦୦ କୋଟି ଟଙ୍କାର ସ୍ପେକ୍ଟ୍ରମ କିଣିପାରିବେ, ଯାହାକି ବର୍ତ୍ତମାନର ୯୬,୩୨୦ କୋଟି ଟଙ୍କାର ଏୟାରୱେଭ୍ ର ମାତ୍ର ୧୩ ପ୍ରତିଶତ। ଗତ ମାସ ୧୩ ଓ ୧୪ ତାରିଖରେ ସରକାର ଏହି ନିଲାମର ସଫଳ ଅଭ୍ୟାସ କରିଥିଲେ। ଏଥର ସ୍ପେକ୍ଟ୍ରମ୍ ନିଲାମରେ ବିଭିନ୍ନ ବ୍ୟାଣ୍ଡର ୧୦,୫୨୨.୩୫ ମେଗାହର୍ଜ ସ୍ପେକ୍ଟ୍ରମ୍ ନିଲାମ ହେବ ବୋଲି ଟେଲି କମ୍ୟୁନିକେସନ୍ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ନିଲାମରେ ଅଂଶଗ୍ରହଣ କରୁଥିବା ଟେଲିକମ୍ କଂପାନିଗୁଡ଼ିକୁ ଆସନ୍ତା ୨୦ ବର୍ଷ ପାଇଁ ସ୍ପେକ୍ଟ୍ରମ୍ ଆବଣ୍ଟନ କରାଯିବ। ସଫଳ ନିଲାମକାରୀଙ୍କୁ ୨୦ଟି ବାର୍ଷିକ କିସ୍ତିରେ ସ୍ପେକ୍ଟ୍ରମ୍ ରାଶି ପୈଠ କରିବାକୁ ପଡ଼ିବ। କେବଳ ଏତିକି ନୁହେଁ ଟେଲିକମ୍ କମ୍ପାନି ୧୦ ବର୍ଷ ପରେ ହିଁ ନିଜର ସ୍ପେକ୍ଟ୍ରମ୍ ସମର୍ପଣ କରିପାରିବ। ତେବେ ଟେଲିକମ୍ କଂପାନିଗୁଡ଼ିକୁ ଏଥର ନିଲାମରେ ସ୍ପେକ୍ଟ୍ରମ୍ ବ୍ୟବହାର ଶୁଳ୍କ (ଏସୟୁସି) ଦେବାକୁ ପଡ଼ିବ ନାହିଁ।

ସମ୍ବନ୍ଧିତ ଖବର