ସତ୍‌ସଙ୍ଗରେ ଦଳାଚକଟା: ୨୭ଜଣଙ୍କ ମୃତ୍ୟୁ, ମୃତକଙ୍କ ମଧ୍ୟରେ ୨୫ ମହିଳା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ହାଥରସରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ଘଟିଛି। ରତିଭାନପୁର ଗ୍ରାମରେ ଭୋଲେ ବାବାଙ୍କ ସତ୍‌ସଙ୍ଗର ଉଦ୍‌ଯାପନୀ ସମାରୋହରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ହଠାତ୍ ଦଳାଚକଟା ଆରମ୍ଭ ହୋଇଥିଲା। ଏହି ଦୁର୍ଘଟଣାରେ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ଏଟା ସିଏମଓ ଉମେଶ ତ୍ରିପାଠୀ ନିଶ୍ଚିତ କରିଛନ୍ତି। ତେବେ ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୪୦ରୁ ଅଧିକ ବୋଲି କୁହାଯାଉଛି। ସେହିପରି ୧୦୦ରୁ ଅଧିକ ଆହତ ହୋଇଥିବା କୁହାଯାଉଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାର ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଡିଜି ଆଗ୍ରା ଏବଂ ଆଲିଗଡର କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଛି। ମୃତକଙ୍କ ମଧ୍ୟରେ ୨୫ଜଣ ମହିଳା ଅଛନ୍ତି ବୋଲି କୁହାଯାଉଛି। ଅନେକ ଲୋକ ଆହତ ହୋଇ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଅତ୍ୟଧିକ ଉତ୍ତାପ ଯୋଗୁ ଦଳାଚକଟା ହୋଇଥିବା ଆଶଙ୍କା କରାଯାଉଛି। ସୂଚନାନୁସାରେ, ପୋଲିସ ଦଳ ଏବଂ ପ୍ରଶାସନିକ ଅଧିକାରୀମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଆହତ ମହିଳା, ଶିଶୁ ଏବଂ ପୁରୁଷଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଏଟା, ଆଲିଗଡ, ସିକନ୍ଦରାରାଉ ଡାକ୍ତରଖାନାକୁ ନିଆଯାଇଛି। ପେଣ୍ଡାଲରେ ଅତ୍ୟଧିକ ଉତ୍ତାପ ଏବଂ ଆର୍ଦ୍ରତା ଯୋଗୁ ଏଭଳି ଘଟିଥିବା କୁହାଯାଉଛି।

ବିଳମ୍ବରେ ପୋଲିସ ପ୍ରଶାସନ ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା। ଯଦିଓ ଦାୟିତ୍ବରେ ଥିବା ଲକ୍ଷ୍ନୌର କୌଣସି ପ୍ରମୁଖ ଅଧିକାରୀ ଏପର୍ଯ୍ୟନ୍ତ କୌଣସି ଅଦ୍ୟତନ ଦେଇନାହାନ୍ତି। ସିଏମଓ କହିଛି ଯେ ୨୭ ଜଣଙ୍କ ମୃତଦେହ ଡାକ୍ତରଖାନାରେ ପହଞ୍ଚିଛି। ଆହତମାନେ ଚିକିତ୍ସିତ ହେଉଛନ୍ତି। ସମଗ୍ର ଗାଁକୁ ଏକ ସୁରକ୍ଷା ଛାଉଣୀରେ ପରିଣତ କରାଯାଇଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମଧ୍ୟ କାମନା କରିଛନ୍ତି।

ସମ୍ବନ୍ଧିତ ଖବର