ମୃତ୍ୟୁ ପରେ କେତେ ସମ୍ପତ୍ତି ଛାଡ଼ି ଯାଇଛନ୍ତି ସୁଶୀଲ ମୋଦୀ?

ପାଟନା: ବିହାରର ପୂର୍ବ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସୁଶୀଲ କୁମାର ମୋଦୀ (୭୨)ଙ୍କର ‌ସୋମବାର ପରଲୋକ ଘଟିଥିଲା। ସେ କର୍କଟ ରୋଗରେ ପୀଡ଼ିତ ହୋଇ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ)ରେ ଚିକିତ୍ସିତ ହେଉଥିଲେ। ୩ ଏପ୍ରିଲ୍‌ ୨୦୨୪ରେ ଶ୍ରୀ ମୋଦୀ ନିଜର ସ୍ବାସ୍ଥ୍ୟ ସମ୍ପର୍କରେ ସାର୍ବଜନୀନ କରିଥିଲେ। ଗତ ୬ ମାସ ଧରି କର୍କଟ ରୋଗରେ ପୀଡ଼ିତ ଥିବା ନେଇ ସୂଚନା ଦେଇଥିଲେ। ଗତ କିଛି ମାସ ଧରି ସେ ଦିଲ୍ଲୀ ଏମ୍‌ସରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ସୁଶୀଲଙ୍କ ମୃତ୍ୟୁ ସମ୍ପର୍କରେ ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ସାମାଜିକ ଗଣମାଧ୍ୟମ ଏକ୍ସ‌ରେ ସୂଚନା ଦେଇଥିଲେ। ଏବେ ତାଙ୍କ ମୃତ୍ୟୁ ପରେ ସେ କେତେ କୋଟିର ସମ୍ପତ୍ତି ଛାଡ଼ି ଯାଇଛନ୍ତି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଜାତୀୟ ଗଣମାଧ୍ୟମ ମୁତାବକ, ସୁଶୀଲ ମୋଦୀ ମୋଟ ୫କୋଟି ଟଙ୍କାର ମାଲିକ ଥିଲେ। ପାଖରେ କମ ଟଙ୍କା ରଖିବାକୁ ପସନ୍ଦ କରୁଥିବାରୁ ସୁଶୀଲ ମୋଦୀଙ୍କ ପାଖରେ ନଗଦ ମାତ୍ର ୪୨ହଜାର ଟଙ୍କା ଥିଲା। ସୁଶୀଲ ମୋଦୀ ୫୭,୪୭୦ ଟଙ୍କା ମୂଲ୍ୟର ବୀମା ମଧ୍ୟ କିଣିଥିଲେ। ଏସବୁ ବ୍ୟତୀତ ବିଜେପି ନେତାଙ୍କ ପାଖରେ ୫ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଏବଂ ତାଙ୍କ ପୁଅଙ୍କ ପାଖରେ ୨୧ଲକ୍ଷ ଟଙ୍କା ମୂଲ୍ୟର ସୁନା ଥିଲା। ୨୦୧୯ରେ ସୁଶୀଲ ମୋଦୀ ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ, ସେ ନୋଏଡାରେ ୨୯ଲକ୍ଷ ଟଙ୍କା ମୂଲ୍ୟର ଫ୍ଲାଟ କିଣିଥିଲେ। ଏହା ସହ ତାଙ୍କ ଉପରେ ୧୭ ଲକ୍ଷ ଟଙ୍କାର ଋଣ ଥିଲା।

ସମ୍ବନ୍ଧିତ ଖବର