ଅଦାଲତ ମନ୍ଦିର ନୁହେଁ, ବିଚାରପତି ଭଗବାନ ନୁହନ୍ତି

କୋଲକାତା: ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଅଦାଲତ ମନ୍ଦିର ନୁହେଁ କି ବିଚାରପତି ଭଗବାନ ନୁହନ୍ତି। ବିଚାରପତିମାନେ ଜନସ୍ୱାର୍ଥ ରକ୍ଷା ପାଇଁ କାମ କରନ୍ତି। ତେଣୁ ସେମାନଙ୍କୁ ଈଶ୍ୱରୀୟ ବ୍ୟକ୍ତିତ୍ୱ ପରିବର୍ତ୍ତେ ଲୋକଙ୍କ ସେବକ ଭାବରେ ଦେଖାଯିବା ଉଚିତ। କୋର୍ଟକୁ ନ୍ୟାୟର ମନ୍ଦିର ବୋଲି କହିବାରେ ମଧ୍ୟ ବିପଦ ରହିଛି। ଏହି ମନ୍ଦିରଗୁଡ଼ିକରେ ଆମେ ନିଜକୁ ଦେବତା ବୋଲି ଭାବିବା ଭୁଲ୍। ବିଚାରପତିମାନେ କେବଳ ବିଚାରଶୀଳ ହେବା ପରିବର୍ତ୍ତେ ଦୟା ଓ ସହାନୁଭୂତି ରଖିବା ଉପରେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ଆମେ ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିବଦ୍ଧ ହେବା ଉଚିତ। ସାମ୍ବିଧାନିକ ମୂଲ୍ୟବୋଧ ବଦଳରେ ବ୍ୟକ୍ତିଗତ ମୂଲ୍ୟବୋଧ ଓ ବିଶ୍ୱାସ ଦ୍ବାରା ପ୍ରଭାବିତ ହେବା ଉଚିତ ନୁହେଁ। ଭାରତର ସଂଘୀୟ ଢାଞ୍ଚା ଭିତରେ ଭାରତର ବିବିଧତାକୁ ବଜାୟ ରଖିବା ଏବଂ ସମ୍ବିଧାନର ପ୍ରସ୍ତାବନାରେ ଦର୍ଶାଯାଇଥିବା ସାମାଜିକ ମୂଲ୍ୟବୋଧରେ ସାମ୍ବିଧାନିକ ନୈତିକତା କିପରି ପ୍ରତିଫଳିତ ହୁଏ ସେ ବିଷୟରେ ମଧ୍ୟ ସେ ଆଲୋଚନା କରିଥିଲେ।

କୋଲକାତାରେ ଏକ ସମ୍ମିଳନୀରେ ଉଦ୍‌ବୋଧନ ଦେବା ଅବସରରେ ପ୍ରଧାନ ବିଚାରପତି ଦର୍ଶାଇଥିଲେ ଯେ ଭାଷା ଅଦାଲତର ରାୟକୁ ବୁଝିବାରେ ବାଧା ସୃଷ୍ଟି କରେ, ଯାହା ପ୍ରାୟତଃ ଇଂରାଜୀରେ ଲେଖାଯାଇଥାଏ। ସୁପ୍ରିମ୍‌କୋର୍ଟଙ୍କ ୩୭,୦୦୦ ରାୟକୁ ସମସ୍ତ ସାମ୍ବିଧାନିକ ସ୍ୱୀକୃତିପ୍ରାପ୍ତ ଆଞ୍ଚଳିକ ଭାଷାରେ ଅନୁବାଦ କରିବା ପାଇଁ ଏଆଇ-ଆଧାରିତ ସଫ୍ଟୱେୟାରର ସହାୟତ‌ା ନିଆଯାଉଛି। ନ୍ୟାୟିକ ଦକ୍ଷତାରେ ଉନ୍ନତି ଆଣିବା ପାଇଁ ଅନ୍ୟାନ୍ୟ ଜ୍ଞାନକୌଶଳଭିତ୍ତିକ ପଦକ୍ଷେପ ନେବା, ଆବେଦନକାରୀଙ୍କ ଉପରେ ଯାତ୍ରା ବୋଝ ହ୍ରାସ କରିବା, ଅଦାଲତ ପ୍ରକ୍ରିୟା ବିଷୟରେ ଜନସଚେତନତା ବୃଦ୍ଧି କରିବା ଏବଂ ମାମଲାଗୁଡ଼ିକୁ ପ୍ରଭାବଶାଳୀ ଭାବରେ ବର୍ଗୀକରଣ କରିବା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ।

ସମ୍ବନ୍ଧିତ ଖବର