ପାକ୍ ଅଧିକୃତ କାଶ୍ମୀର ଆମର, ବୋମା ଆମକୁ ଅଟକାଇ ପାରିବ ନାହିଁ

ନୂଆଦିଲ୍ଲୀ: ପାକିସ୍ତାନ ଭାରତ ବିରୋଧରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିପାରେ ବୋଲି ବିରୋଧୀ ଇଣ୍ଡି-ମେଣ୍ଟର ନେତାମାନଙ୍କ ମନ୍ତବ୍ୟକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର କଡ଼ା ସମାଲୋଚନା କରିଛନ୍ତି। କୌଶାମ୍ବି ଲୋକସଭା ଆସନରୁ ବିଜେପି ପ୍ରାର୍ଥୀଙ୍କ ସମର୍ଥନରେ ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଅମିତ ଶାହ କହିଛନ୍ତି, ମଣିଶଙ୍କର ଆୟାର ଓ ଫାରୁକ୍ ଅବଦୁଲ୍ଲାଙ୍କ ଭଳି ନେତାମାନେ କହୁଛନ୍ତି ଯେ ପାକିସ୍ତାନକୁ ସମ୍ମାନ ଦିଅନ୍ତୁ କାରଣ ସେମାନଙ୍କ ପାଖରେ ପରମାଣୁ ବୋମା ଅଛି, ପାକିସ୍ତାନ ଅଧିକୃତ କାଶ୍ମୀର ଉପରୁ ଦାବି ଛାଡ଼ିଦିଅନ୍ତୁ। ‘ରାହୁଲ ବାବା(ଗାନ୍ଧୀ), ଯଦି ଆପଣ ପରମାଣୁ ବୋମାକୁ ଭୟ କରୁଛନ୍ତି, ତେବେ କରନ୍ତୁ। ଆମେ କିନ୍ତୁ ଭୟଭୀତ ନୁହଁ। ପାକ୍ ଅଧିକୃତ କଶ୍ମୀର ଭାରତର ଏବଂ ଆମେ ଏହାକୁ ହାସଲ କରିବୁ। କୌଣସି ବୋମା ଆମକୁ ଅଟକାଇପାରିବ ନାହିଁ’ ବୋଲି ଶାହ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ମଣିଶଙ୍କର ଆୟାରଙ୍କ ଏକ ଭାଇରାଲ ଭିଡିଓକୁ ନେଇ ଅମିତ ଶାହ ଏହା କହିଛନ୍ତି, ଯେଉଁଥିରେ କଂଗ୍ରେସ ନେତା କହୁଛନ୍ତି ଯେ ଭାରତ ପାକିସ୍ତାନକୁ ସମ୍ମାନ ଦେବା ଉଚିତ କାରଣ ଏହା ଏକ ସାର୍ବଭୌମ ରାଷ୍ଟ୍ର ଏବଂ ଏହା ପାଖରେ ପରମାଣୁ ବୋମା ମଧ୍ୟ ରହିଛି। ଭିଡିଓରେ ସେ ଦର୍ଶାଇଛନ୍ତି ଯେ ଯଦି ଜଣେ ପାଗଳ ବ୍ୟକ୍ତି ସେଠାରେ କ୍ଷମତାକୁ ଆସି ପରମାଣୁ ବୋମା ବ୍ୟବହାର କରନ୍ତି, ତେବେ ଏହା ଭଲ ହେବ ନାହିଁ ଏବଂ ଏହାର ପ୍ରଭାବ ଏଠାରେ ମଧ୍ୟ ଅନୁଭୂତ ହେବ। ତେବେ ଆୟାରଙ୍କ ମନ୍ତବ୍ୟରୁ ନିଜକୁ ଦୂରେଇ ରଖି କଂଗ୍ରେସ କହିଛି ଯେ ଭିଡିଓଟି କିଛି ମାସ ପୂର୍ବର। ମଣିଶଙ୍କର ଆୟାରଙ୍କ ବ୍ୟତୀତ ଜମ୍ମୁ-କାଶ୍ମୀର ନ୍ୟାସନାଲ କନ୍‌ଫରେନ୍ସ (ଏନ୍‌ସି) ନେତା ଫାରୁକ ଅବଦୁଲ୍ଲା ମଧ୍ୟ ନିକଟରେ ପାକିସ୍ତାନର ପରମାଣୁ ଶକ୍ତି ବିଷୟରେ କହିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ‘ପିଓକେକୁ ଭାରତ ସହ ମିଶ୍ରଣ କରାଯିବ’ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଅବଦୁଲ୍ଲା କହିଛନ୍ତି ଯେ ପାକିସ୍ତାନ ଚୁପ୍‌ଚାପ୍‌ ଦେଖିବ ନାହିଁ। ପଡ଼ୋଶୀ ଦେଶ ପାଖରେ ପରମାଣୁ ବୋମା ଅଛି ଏବଂ ତାହା ଆମେ ଉପରେ ପକାଇଦେବ।
କୌଶାମ୍ବିରେ ଅମିତ ଶାହ ଦଳର ହ୍ୟାଟ୍ରିକ୍‌କୁ ସୁନିଶ୍ଚିତ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ପ୍ରଥମ (ହ୍ୟାଟ୍ରିକ୍) ହେଉଛି ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରିବା। ୟୁପିରେ ଦ୍ୱିତୀୟ ହ୍ୟାଟ୍ରିକ୍ ହେଉଛି ତୃତୀୟ ଥର ପାଇଁ ସପା, ବିଏସ୍‌ପି ଏବଂ କଂଗ୍ରେସକୁ ସମ୍ପୂର୍ଣ୍ଣ ଭାବେ ନିପାତ କରିବା: ତୃତୀୟ ହ୍ୟାଟ୍ରିକ୍ ହେଉଛି ମୋ ବନ୍ଧୁ (ବିନୋଦ) ସୋନକରଙ୍କୁ ତୃତୀୟ ଥର ପାଇଁ ସାଂସଦ କରିବା ବୋଲି ଅମିତ ଶାହ କହିଛନ୍ତି। ରାଜ୍ୟରେ ପଞ୍ଚମ ପର୍ଯ୍ୟାୟରେ ଆସନ୍ତା ୨୦ ତାରିଖରେ କୌଶାମ୍ବି ଲୋକସଭା ଆସନ ପାଇଁ ମତଦାନ ହେବ।

ସମ୍ବନ୍ଧିତ ଖବର