ଆଜି ପୃଥିବୀରେ ମାଡ଼ ହେବ ଚୀନ୍‌ ମହାକାଶ କେନ୍ଦ୍ର

ନୂଆଦିଲ୍ଲୀ: ଦୀର୍ଘ ଦୁଇ ବର୍ଷ ହେଲା ଅକାମୀ ଓ ଅନିୟନ୍ତ୍ରିତ ହୋଇ ପୃଥିବୀ ବାହାରେ ଘୂରିବୁଲୁଥିବା ଚୀନ୍‌ର ମହାକାଶ ଗବେଷଣାଗାର ଟିଆଗଙ୍ଗ୍‌-୧ ସୋମବାର ଯେ କୌଣସି ସମୟରେ ପୃଥିବୀ ପୃଷ୍ଠରେ ଆସି ମାଡ଼ ହେବ। ଏହି ପରିତ୍ୟକ୍ତ ମହାକାଶ ପରୀକ୍ଷାଗାରଟି ରବିବାର ମଧ୍ୟାହ୍ଣ ସୁଦ୍ଧା ପୃଥିବୀ ବାୟୁମଣ୍ଡଳ ଠାରୁ ୧୭୯ କିମି ଦୂରରେ ରହିଥିବା ବେଳେ ଏହା ଆସନ୍ତାକାଲି ଅଷ୍ଟ୍ରେଲିଆ କିମ୍ବା ଆମେରିକା ଉପରେ ପୃଥିବୀ ବାୟୁମଣ୍ଡଳକୁ ପ୍ରବେଶ କରିବ ବୋଲି ଆକଳନ କରାଯାଉଛି। ସମ୍ପ୍ରତି ୧୦୪ ମାଇଲ୍‌ ବ୍ୟାସାର୍ଦ୍ଧ ବିଶିଷ୍ଟ କକ୍ଷପଥରେ ପୃଥିବୀ ଚାରିପାଖେ ଘୂରିବୁଲୁଥିବା ଏହି ସାଢ଼େ ୮ ଟନ୍‌ ଓଜନର ଗବେଷଣାଗାରଟି ସୋମବାର ୭ଟା୨୫ ବେଳକୁ ପୃଥିବୀ ବାୟୁମଣ୍ଡଳ ଛୁଇଁବ ବୋଲି ଯୁରୋପୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ପୂର୍ବାନୁମାନ କରିଛି। ତେବେ ଏହା ବାୟୁମଣ୍ଡଳରେ ପ୍ରବେଶ କରୁ କରୁ ସମ୍ପୂର୍ଣ୍ଣ ଜଳିଯାଇ ଭସ୍ମ ହୋଇଯିବ ଏବଂ ଭୂପୃଷ୍ଠରେ ଏହାର ଧକ୍କା ଆଶଙ୍କାରେ କୌଣସି ଆତଙ୍କିତ ହେବାର କାରଣ ନାହିଁ ବୋଲି ଚୀନ୍‌ ମହାକାଶ ଗବେଷଣା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସୂଚନା ଥାଉ କି, ଦୁଇ ବର୍ଷର କାର୍ଯ୍ୟକାଳ ଧରି ୨୦୧୧ ସେପ୍ଟେମ୍ବରରେ ମହାକାଶକୁ ପ୍ରେରିତ ଏହି ଗବେଷଣାଗାରଟି ଦୀର୍ଘ ୫ ବର୍ଷ କାଳ ସଫଳତାର ସହ କାର୍ଯ୍ୟ କରୁଥିଲା। ତେବେ ୨୦୧୬ ପରଠାରୁ ତାହା ସହ ଆଉ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।

ସମ୍ବନ୍ଧିତ ଖବର