ମଣିପୁର ସିକ୍ୟୁରିଟି କ୍ୟାମ୍ପ୍‌ରୁ ଅସ୍ତ୍ରଶସ୍ତ୍ର ଲୁଟ୍‌ ଉଦ୍ୟମ ବିଫଳ; ସେନା-ଦଙ୍ଗାକାରୀ ସଂଘର୍ଷ ଯୋଗୁ ଜଣେ ନିହତ

ଇମ୍ଫାଲ୍‌: ଅସ୍ତ୍ରଶସ୍ତ୍ର ଲୁଟ୍‌ କରିବା ଉଦ୍ଦେଶ୍ୟରେ ମଣିପୁରେ ‘ଇଣ୍ଡିଆନ୍‌ ରିଜର୍ଭ ବାଟାଲିୟନ୍‌’ (ଆଇଆର୍‌ବି) ଉପରେ ଆକ୍ରମଣ କରିଥିବା ଦଳେ ଉତ୍ତ୍ୟକ୍ତ ଜନତାଙ୍କୁ ମଙ୍ଗଳବାର ଦିନ ସୁରକ୍ଷା ବଳ ବାଧା ଦେବା ବେଳେ ଉପୁଜିଥିବା ସଂଘର୍ଷ ଯୋଗୁଁ ଜଣେ ଦଙ୍ଗାକାରୀଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି।

ପ୍ରାପ୍ତ ସୂଚନା ଅନୁସାରେ, ମଣିପୁରର ଥୌବାଲ୍‌ ଜିଲ୍ଲାରେ ଥିବା ‘ଆଇଆର୍‌ବି’ ପ‌ୋଷ୍ଟ୍‌ ନିକଟରେ ବହୁସଂଖ୍ୟକ ଉତ୍ତ୍ୟକ୍ତ ଜନତା ସମବେତ ହୋଇଥିବା ବେଳେ ଉକ୍ତ ଅଘଟଣ ଘଟିଥିଲା।

ଘଟଣା ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ଭାରତୀୟ ସେନା କହିଛି, ସୈନିକମାନଙ୍କ ଯାତାୟାତରେ ବାଧା ଦେବା ଲାଗି ଉତ୍ତ୍ୟକ୍ତ ଜନତା ରାସ୍ତାଘାଟ ଅବରୋଧ କରିଥିଲେ। କିନ୍ତୁ, ‘ଆସାମ ରାଇଫଲ୍‌’ ଓ ‘ରାପିଡ୍‌ ଆକ୍ସନ୍‌ ଫୋର୍ସ’ ତୁରନ୍ତ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

Image Courtesy of India Today

ମଣିପୁରର ଥୌବାଲ୍‌ ଜିଲ୍ଲାର ଖାଙ୍ଗୋବୋକ୍‌ସ୍ଥିତ ‘ଇଣ୍ଡିଆନ୍‌ ରିଜର୍ଭ ବାଟାଲିୟନ୍‌’ରୁ ଅସ୍ତ୍ରଶସ୍ତ୍ର ଲୁଟ୍‌ ଉଦ୍ୟମକୁ ସେନା ବାଧା ଦେବାରେ ସଫଳ ହୋଇଛି। ଏହି ବିଫଳ ପ୍ରୟାସରେ ଜଣେ ଦଙ୍ଗାକାରୀଙ୍କର ମୃତ୍ୟୁ ଘଟିଥିବା ବ‌େଳେ ଅଳ୍ପ କେତେଜଣ ଆହତ ହୋଇଛନ୍ତି ବୋଲି ସେନା କହିଛି।

କାଁ ଭାଁ କେତୋଟି ସ୍ଥାନରେ ହିଂସା କାଣ୍ଡ ଘଟିବା ସହିତ ମଣିପୁରର କେତେକ ଅଞ୍ଚଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା କଥା ସୋମବାର ଦିନ ଜାରି କରିଥିବା ବିବୃତିରେ ପୁଲିସ କହିଥିଲା। ରାଜ୍ୟରେ ପ୍ରାୟ ୧୧୮ଟି ଚେକ୍‌-ପଏଣ୍ଟ୍‌ ସ୍ଥାପନ କରାଯାଇଛି। ହିଂସାକାଣ୍ଡର ତୀବ୍ରତା ଥମୁ ନ ଥିବା ବେଳେ  ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ସନ୍ଦେହରେ ସମଗ୍ର ରାଜ୍ୟରେ ପ୍ରାୟ ୩୨୬ଜଣଙ୍କୁ ଅଟକ ରଖାଯାଇଛି।

ସମ୍ବନ୍ଧିତ ଖବର