ବିଜୟ ମାଲ୍ୟାଙ୍କ ବିରୋଧରେ ଜାମିନ ବିହୀନ ପରଓ୍ବାନା ଜାରି କଲେ ସ୍ବତନ୍ତ୍ର ସିବିଆଇ କୋର୍ଟ

ମୁମ୍ବାଇ: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିରୋଧରେ ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି। ସିବିଆଇ ମାମଲାର ଶୁଣାଣି କରୁଥିବା ମୁମ୍ବାଇର ସ୍ୱତନ୍ତ୍ର ଅଦାଲତ ଏହି ଓ୍ବାରେଣ୍ଟ ଜରି କରିଛନ୍ତି । ୧୮୦ କୋଟି ଟଙ୍କାର ବକେୟା ଋଣ ପରିଶୋଧ କରିନଥିବାରୁ ମାଲ୍ୟାଙ୍କ ବିରୋଧରେ ଏହି ୱାରେଣ୍ଟ ଜାରି କରାଯାଇଛି।  ମାଲ୍ୟାଙ୍କ ଉପସ୍ଥିତି ସୁନିଶ୍ଚିତ କରିବା ପାଇଁ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିବା ଜରୁରୀ ବୋଲି ସ୍ବତନ୍ତ୍ର ବିଚାରପତି ଏସ୍ ପି ନାୟକ-ନିମ୍ବାଲକର ମତ ଦେଇଥିଲ୍। ସିବିଆଇର ଏକ ଆବେଦନ ଉପରେ ଏହି ନିର୍ଦ୍ଦେଶ ଦିଆଯାଇଛି।

୨୦୦୭ରୁ ୨୦୧୨ ମଧ୍ୟରେ ବିଜୟ ମାଲ୍ୟା ଜାଣିଶୁଣି ଋଣ ପରିଶୋଧ ରେ ଅବହେଳା କରିଥିଲେ ବୋଲି ସିବିଆଇ ପକ୍ଷରୁ ସିବିଆଇ କୋର୍ଟ ନିକଟରେ ଯୁକ୍ତି ଉପସ୍ଥାପନ କରିଥିଲା। ଫଳରେ ସରକାରୀ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ (ଆଇଓବି)କୁ ୧୮୦ କୋଟି ଟଙ୍କାରୁ ଅଧିକ କ୍ଷତି ସହିବାକୁ ପଡ଼ିଛି।

ଚାର୍ଜସିଟରେ ଦାବି କରାଯାଇଛି ଯେ ମାଲ୍ୟା ଜାଣିଶୁଣି ଅସାଧୁ ଓ ଜାଲିଆତି ଉଦ୍ଦେଶ୍ୟରେ ଋଣ ପରିଶୋଧ ରେ ଅବହେଳା କରିଛନ୍ତି। ଋଣ ଖିଲାପ ଯୋଗୁଁ ୧୪୧.୯୧ କୋଟି ଟଙ୍କାର କ୍ଷତି ହୋଇଛି। ଋଣକୁ ସେୟାରରେ ପରିଣତ କରି ଅତିରିକ୍ତ ୩୮.୩୦ କୋଟି ଟଙ୍କାର କ୍ଷତି ହୋଇଛି ବୋଲି ଏଜେନ୍ସି ଅଭିଯୋଗ କରିଛି। ମାଲ୍ୟା ଏବେ ଲଣ୍ଡନରେ ଅଛନ୍ତି ଓ ତାଙ୍କ ପ୍ରତ୍ୟାର୍ପଣ ମାମଲା ବିଚାରାଧୀନ ଅଛି ।  

 

ସମ୍ବନ୍ଧିତ ଖବର