ପଞ୍ଚଶୀଳ ନୀତିକୁ ଜିନ୍‌ପିଙ୍ଗଙ୍କ ପ୍ରଶଂସା

ନୂଆଦିଲ୍ଲୀ: ସୌହାର୍ଦ୍ଦ୍ୟପୂର୍ଣ୍ଣ ସହାବସ୍ଥାନ ନିମନ୍ତେ କାର୍ଯ୍ୟକାରୀ ହୋଇଥିବା ପଞ୍ଚଶୀଳ ନୀତିର ୭୦ତମ ବାର୍ଷିକୀ ଉତ୍ସବ ଚୀନ ଶନିବାର ପାଳନ କରିଛି। ଏହି ଅବସରରେ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ନେହରୁଙ୍କ ପଞ୍ଚଶୀଳ ନୀତିକୁ ପ୍ରଶଂସା କରିଛନ୍ତି। ୨୦୧୪ରେ, ଅନୁରୂପ ଭାବେ ଚୀନ ପଞ୍ଚଶୀଳ ଚୁକ୍ତିର ୬୦ତମ ବାର୍ଷିକୀ ଉତ୍ସବ ପାଳନ କରିଥିଲା। ଏଥିରେ ଭାରତର କୌଣସି ପ୍ରତିନିଧି ସରକାରୀ ଭାବେ ଯୋଗ ଦେଇନଥିଲେ। ଚଳିତ ଥର ମଧ୍ୟ ଭାରତ ଏହି ଉତ୍ସବରୁ ଦୂରେଇ ରହିଛି। ଏହି ଅବସରରେ ଚୀନ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ବାର୍ତ୍ତା ଦେଇ ଶାନ୍ତି ନିମନ୍ତେ ନେହରୁଙ୍କ ପ୍ରଣୀତ ପଞ୍ଚଶୀଳ ନୀତିର ପ୍ରଶଂସା କରିଛନ୍ତି। ବିଶ୍ବରୁ ଯୁଦ୍ଧର ଘନଘଟା ଦୂର କରିବାରେ ଏହି ନୀତି ପ୍ରଭାବଶାଳୀ। ଆନ୍ତର୍ଜାତିକ ସମ୍ପର୍କ ଓ ଅନ୍ତର୍ଜାତୀୟ ଆଇନର ସ୍ଥାୟୀତ୍ବ ପାଇଁ ଏହି ନୀତି ଏକ ମାଇଲଖୁଣ୍ଟ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ପଡ଼ୋଶୀ ଓ ଅନ୍ୟ ରାଷ୍ଟ୍ରଙ୍କ ସହ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନିମନ୍ତେ ତତ୍‌କାଳୀନ ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ପଞ୍ଚଶୀଳ ନୀତି ପ୍ରଚଳନ କରିଥିଲେ। ୨୯ ଏପ୍ରିଲ୍‌ ୧୯୫୪ରେ ଚୀନ ଏହି ଚୁକ୍ତିରେ ସ୍ବାକ୍ଷର କରିଥିଲା। ତେବେ ଚୁକ୍ତିକୁ ଉଲ୍ଲଂଘନ କରି ଚୀନ ୧୯୬୨ରେ ଭାରତ ଉପରେ ଆକ୍ରମଣ କରିଥିଲା।

ସମ୍ବନ୍ଧିତ ଖବର