ପୁଣି ଥରେ ବାଧ୍ୟତାମୂଳକ ମତଦାନ ପ୍ରସଙ୍ଗ

ଚିତ୍ତରଞ୍ଜନ ଚିରଞ୍ଜିତ

ସଂସଦର ଚଳିତ ଶୀତକାଳୀନ ଅଧିବେଶ‌ନରେ ଗୋଟିଏ ପ୍ରଶ୍ନ ରହିଥିଲା, ଆମ ଦେଶର ମତଦାନକୁ ବାଧ୍ୟତାମୂଳକ କରାଯାଇପାରିବ କି? ଏହି ପ୍ରଶ୍ନ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ ଏହାର ଯେ ଗୁରୁତ୍ବ ରହିଛି, ଯେ କୌଣସି ନାଗରିକ ନିଶ୍ଚିତ ଭାବେ ସ୍ବୀକାର କରିବେ। ପ୍ରଶ୍ନ ଉଠୁଛି, ଆମ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାର ପ୍ରତିଟି ସୋପାନରେ ଲୋକମାନଙ୍କର ସମ୍ପୃକ୍ତି ରହିଥିବାବେଳେ ମତଦାନ ପାଇଁ କ’ଣ ଆମେ ଲୋକମାନଙ୍କୁ ବାଧ୍ୟ କରିପାରିବା? ଏଥିପାଇଁ ବାଧ୍ୟତାମୂଳକ ଆଇନ କରାଯିବା ଉଚିତ ନା ସ୍ବେଚ୍ଛାକୃତ ଭାବେ ଅଧିକ ସଂଖ୍ୟକ ନାଗରିକଙ୍କ ମତଦାନକୁ ଗଣତନ୍ତ୍ରର ବି‌ଜୟ ବୋଲି ଧରାଯିବ।

ଏ ସମ୍ପର୍କରେ କିଛି ମତ ରଖିବା ପୂର୍ବରୁ ଗତ ସାଧାରଣ ନିର୍ବାଚନ କିଭଳି ଆମ ଗଣତନ୍ତ୍ର ପାଇଁ ଗୁରୁତ୍ବପୂର୍ଣ୍ଣ ଥିଲା, ସେ ସମ୍ପର୍କରେ ପ୍ରଥମେ ଚିନ୍ତା କରିବା। ବିଭିନ୍ନ କାରଣରୁ ୨୦୧୯ ମସିହା ସାଧାରଣ ନିର୍ବାଚନ ସବୁବେଳେ ମନେ ରହିବ। ସେଥିମଧ୍ୟରୁ ଗୋଟିଏ ହେଉଛି ୬୭ ପ୍ରତିଶତ ମତଦାନ। ଦେଶର ଗଣତାନ୍ତ୍ରିକ ଇତିହାସରେ କେବେ ଏତେ ପ୍ରତିଶତ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରି ନ ଥିଲେ।

ଭାରତବର୍ଷରେ ମତଦାନ ସବୁବେଳେ କମ୍‌ ରହି ଆସିଥାଏ। ଏହାକୁ ଦୃଷ୍ଟିରେ ରଖି ବୋଧହୁଏ ବାଧ୍ୟତାମୂଳକ ମତଦାନ କଥା ଉଠୁଛି। ବାଧ୍ୟତାମୂଳକ ମତଦାନର ସିଧାସଳଖ ଅର୍ଥ ହେଉଛି ବୁଥ୍‌ରେ ଉପସ୍ଥିତ ରହି ନିଜ ଗଣତାନ୍ତ୍ରିକ ମତାଧିକାର ସାବ୍ୟସ୍ତ କରିବା। ଦ୍ବିତୀୟ କଥା ହେଉଛି, କାହାକୁ ଭୋଟ୍‌ ଦେବା। ମତଦାନରୁ ବିରତ ରହୁଥିବା ଅନେକ ଲୋକଙ୍କ ଯୁକ୍ତି ହେଉଛି, କୌଣସି ରାଜନୈତିକ ଦଳରୁ ଯୋଗ୍ୟ ପ୍ରାର୍ଥୀ ଚୟନ କରାଯାଉନଥିବାରୁ ମତଦାନରୁ ଓହରି ଏକ ପ୍ରତୀକାତ୍ମକ ପ୍ରତିବାଦ। ତେବେ, ଏହି ପରିପ୍ରେକ୍ଷୀରେ ମତଦାନକୁ ବାଧ୍ୟତାମୂଳକ କରିବା ପାଇଁ ଚାହୁଁଥିବା ବ୍ୟକ୍ତିବିଶେଷଙ୍କ ଯୁକ୍ତି ହେଉଛି, ମତଦାନ ଦେବା ଅର୍ଥ କୌଣସି ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କ ସପକ୍ଷ‌େର ଭୋଟ ଦେବା ନୁହେଁ। ତେବେ, ବାଧ୍ୟତାମୂଳକ ଭୋଟ ବ୍ୟବସ୍ଥାରେ ଜଣେ ଭୋଟର୍‌ ‘ନୋଟା’ରେ ଭୋଟ ଦେଇପାରି‌ବ କିମ୍ବା ଏକ ଖାଲି ମତଦାନ ପତ୍ର ରଖିଦେବେ ଯଦି ସେ ରାଜନୈତିକ ପ୍ରାର୍ଥୀଙ୍କ ଉପରେ ସନ୍ତୁଷ୍ଟ ନଥା’ନ୍ତି।

ବର୍ତ୍ତମାନ ବିଶ୍ବର ସମୁଦାୟ ୨୬ଟି ଦେଶ, ଯିଏ କି କେତେକ ପ୍ରକାରରେ ବାଧ୍ୟତାମୂଳକ ଭୋଟ ଲାଗୁ କରିଛନ୍ତି ଏବଂ ଏଥିପାଇଁ ଯେଉଁ ବ୍ୟବସ୍ଥା ରହିଛି ତାହା ସେ ଦେଶର ସମ୍ବିଧାନ‌ରେ କିମ୍ବା ନିର୍ବାଚନ ଆଇନରେ ଉଲ୍ଲେଖ ରହିଛି। ଯଦି ଏସିଆ ମହାଦେଶ କଥା କୁହାଯାଏ, ୧୯୯୭ ମସିହାରେ ଥାଇଲାଣ୍ଡ ନିର୍ବାଚନ ସଂସ୍କାର ସ୍ବରୂପ ବାଧ୍ୟତାମୂଳକ ମତଦାନ ବ୍ୟବସ୍ଥା ଲାଗୁ କରିଥିଲା। ନିର୍ବାଚନ ସମୟରେ ବହୁଳ ପରିମାଣରେ ଭୋଟ କ୍ରୟକୁ ହ୍ରାସ କରିବା ପାଇଁ ଏହି ପଦ‌େକ୍ଷପ ଗ୍ରହଣ କରିଥିଲା। ୨୦୧୪ ମସିହାରେ ଗୁଜରାଟ ମତଦାନ କରିବା ପାଇଁ ଆଇନଗତ ଦାୟିତ୍ବ ବ୍ୟବସ୍ଥା କରାଗଲା। ତେବେ, ଥାଇଲାଣ୍ଡରେ ଏହି ବ୍ୟବସ୍ଥା ଉଚ୍ଛେଦ କରାଯାଇଥିବାବେଳେ ଗୁଜରାଟରେ ଏହା ଏ ପର୍ଯ୍ୟନ୍ତ ସୁଦ୍ଧା କାର୍ଯ୍ୟକାରୀ କରାଯାଇନାହିଁ।
ଭାରତରେ ଯଦିଓ ବାଧ୍ୟତାମୂଳକ ମତଦାନ ବ୍ୟବସ୍ଥାର କୌଣସି ଅନୁଭୂତି ନାହିଁ, ସମ୍ବିଧାନ ସଭା ଅମଳରୁ ଏ ସମ୍ପର୍କରେ ଅନେକବାର ଆଲୋଚନା ହୋଇଛି। ୧୯୪୯ ମସିହା ସମ୍ବିଧାନ ସଭା ବୈଠକରେ ପ୍ରଥମଥର ପାଇଁ ଏମ୍‌. ଅନନ୍ତ ସାୟାନମ ଆୟାଙ୍ଗାର ଏ ସମ୍ପର୍କିତ ବିତର୍କରେ ଭାଗନେଇ ବାଧ୍ୟତାମୂଳକ ମତଦାନ ପାଇଁ ସମ୍ବିଧାନରେ ଏକ ଧାରା ଯୋଡ଼ିବା ପାଇଁ ପ୍ରସ୍ତାବ ଦେଇଥିଲେ ଏବଂ ଆହୁରି ମଧ୍ୟ ମତଦାନରୁ ବିରତ ଭୋଟରଙ୍କ ପ୍ରତି ଜରିମାନା ଲାଗୁ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ। ମାତ୍ର, ଏହି ପ୍ରସ୍ତାବକୁ ନା କେହି ସମର୍ଥନ କରିଥିଲେ ନା ଏହା ଉପର କେହି ଆଲୋଚନା କରିଥିଲେ। ତା’ପରେ ବି ବାଧ୍ୟତାମୂଳକ ମତଦାନ ପ୍ରସଙ୍ଗ ବିଭିନ୍ନ ସମୟରେ ଉଠିଛି, ଯେମିତିକି ତାରକୁନ୍ଦେ କମିଟି ରିପୋର୍ଟରେ ଲୋକପ୍ରତିନିଧି ଆଇନ, ୧୯୫୦ ଲାଗୁ ସମୟରେ ହେଉ, ନିର୍ବାଚନୀ ସଂସ୍କାର ପାଇଁ ଦୀନେଶ ଗୋସ୍ବାମୀ କମିଟି ଏବଂ ଆଇନ କମିସନଙ୍କ ୨୫୫ତମ ରିପୋର୍ଟ ହେଉ। ମାତ୍ର, ପ୍ରତ୍ୟେକଥର ଏହି ପ୍ରସ୍ତାବକୁ ଗ୍ରହଣ କରାଯାଇନାହିଁ।

ଉଭୟ ଲୋକସଭା ଓ ରାଜ୍ୟସଭାରେ ବାଧ୍ୟତାମୂଳକ ମତଦାନ ହେଉଛି ପ୍ରାଇଭେଟ୍‌ ମେମ୍ବର ବିଲ୍। ସଂସଦର ଉଭୟ ସଦନରେ ୪ ଥର ଆଗତ ହୋଇଛି। ଲୋକସଭାରେ ୧୯୧୪ ମସିହାରେ ଜନାର୍ଦ୍ଦନ ସିଂହ ସିଗ୍ରିୱାଲ, ବରୁଣ ଫିରୋଜ ଗାନ୍ଧୀ, ଚନ୍ଦ୍ରକାନ୍ତ ଭାଉରାଓ ଖାଇରେ ଏବଂ ୨୦୧୭ ମସିହାରେ ସୁଖବୀର ସିଂହ ଜଉନପୁରିଆ ଓ ଚାନ୍ଦୁ ବାର୍ଣ୍ଣେ ଆଗତ କରିଥିଲେ। ସେହିଭଳି, ରାଜ୍ୟସଭ‌ାରେ ୨୦୦୧ ମସିହାରେ ସି. ପି. ଥିରୁନାଭୁକ୍କାରାସୁ, ୨୦୦୨ ମସିହାରେ ଟି. ସୁବ୍‌ବାରାମି ରେଡ୍ଡୀ, ୨୦୦୭ ଓ ୨୦୦୯ ରେ ଭି. ନାରାୟଣ ସ୍ବାମୀ ଏବଂ ୨୦୦୬ରେ ପ୍ରକାଶ ଅଗ୍ରୱାଲା ଆଗତ କରିଥିଲେ। ବିଲ୍‌ରେ କୁହାଯାଇଛି ଯେ, କମ୍‌ ମତଦାନ ପ୍ରତିନିଧୀୟ ଓ ନିର୍ବାଚିତ ସରକାରଙ୍କ ପ୍ରାସଙ୍ଗିକତାର ଅବକ୍ଷୟ ଘଟାଉଛି।
ଭାରତବର୍ଷରେ ‌ମତଦାନ ଅଧିକାର ଏକ ବୈଧାନିକ ଆଇନ ବୋଲି ଲୋକପ୍ରତିନିଧି ଆଇନରେ ଉଲ୍ଲେଖ ରହିଛି। ଏବଂ, ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ ନିଜ ପରିସ୍ଥିତିରେ ମତଦାନରୁ ବିରତ ହୋଇପାରିବେ। ତେବେ, ମତଦାନରୁ ବିରତ ରହିବା ଜଣେ ଦାୟିତ୍ବସମ୍ପନ୍ନ ନାଗରିକଙ୍କ ପାଇଁ କେବେହେଲେ ଏକ ଆଦର୍ଶଗତ କାରଣ ନୁହେଁ। ବରଂ, ନୋଟା ମାଧ୍ୟମରେ ଅସନ୍ତୋଷକୁ ଅଧିକ ପ୍ରଭାବୀ କରାଯାଇପାରିବ।

-ଚିତ୍ତରଞ୍ଜନ ଚିରଞ୍ଜିତ
[email protected]

ସମ୍ବନ୍ଧିତ ଖବର