ଜଳ ନିଷ୍କାସନ ସମସ୍ୟା ପାଇଁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ

ଭୁବନେଶ୍ୱର: ଜଳ ନିଷ୍କାସନ ପାଇଁ ବିଏମ୍‌ସିର କଳ, ବଳ ଓ କୌଶଳ; ସବୁ ଫେଲ୍‌ ମାରିଛି। ଯେତେ ଯାହା କଲେ ବି ସହରବାସୀ ଜଳବନ୍ଦୀ ସମସ୍ୟାରୁ ମୁକ୍ତି ପାଇ ପାରୁନାହାନ୍ତି। ଗତକାଲି ବିଭିନ୍ନ ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କରିବା ପରେ ମେୟର ସୁଲୋଚନା ଦାସ ଆଜି ଏହି ପ୍ରସଙ୍ଗରେ ତନାଘନା କରିଛନ୍ତି।

ଅପରାହ୍‌ଣରେ ବସିଥିବା ସମୀକ୍ଷା ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବିଏମ୍‌ସି-ଆଇସିଓଏମ୍‌ସି କୋଠାରେ ଏକ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। କୌଣସି ପ୍ରକାରର ଜଳବନ୍ଦୀ ବା ଜଳ ନିଷ୍କାସନକୁ ନେଇ ସମସ୍ୟା ଦେଖାଦେଲେ, ତୁରନ୍ତ ଖବର ଦେବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ବିଏମ୍‌ସିକୁ ଖବର ଦେବା ପାଇଁ ୧୯୨୯ କିମ୍ବା ୭୦୦୮୪୭୫୪୫୫ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି। ଜଳବନ୍ଦୀ ସମସ୍ୟା ଦେଖାଦେଲେ ଭୟଭୀତ ନ ହୋଇ ଏଥିରେ ସୂଚନା ଦେବାକୁ ଅନୁରୋଧ କରିଛନ୍ତି ମେୟର ସୁଲୋଚନା ଦାସ।

‘ପାଣି ଜମିଲେ ଡାଏଲ୍‌ କରନ୍ତୁ ୧୯୨୯/ ୭୦୦୮୪୭୫୪୫୫’
ଅଧିକାରୀ ସଜାଗ ରହିବାକୁ ନିର୍ଦେଶ, ୧୧ଟି ପ୍ରକଳ୍ପକୁ ଅନୁମୋଦନ

ଆଜି ଅପରାହ୍‌ଣରେ କମିସନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ବରିଷ୍ଠ ଅଧିକାରୀମାନଙ୍କ ସହିତ ସେ ଆଲୋଚନା କରିଛନ୍ତି। ପୂର୍ବରୁ ଚିହ୍ନଟ ହୋଇଥିବା ଓ ଗତକାଲି ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଯେଭଳି ଜଳବନ୍ଦୀ ସମସ୍ୟା ସୃଷ୍ଟି ନ ହୁଏ, ସେଥିପ୍ରତି ସତର୍କ ରହିବାକୁ ଉପ-ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦେଶ ଦିଆଯାଇଛି। ବର୍ଷା ସମୟରେ ଅଧିକାରୀ ଓ କର୍ମଚାରୀମାନେ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଜୋନ୍‌ସ୍ତରୀୟ ଟିମ୍ ଗଠନ କରାଯିବାକୁ ନିର୍ଦେଶ ଦିଆଯାଇଛି। ନିୟମିତ ପରିମଳ କାର୍ଯ୍ୟ ବ୍ୟତୀତ ଜରୁରି ଡ୍ରେନ କାର୍ଯ୍ୟ ପାଇଁ ଅଧିକ କର୍ମୀଙ୍କୁ ମହଜୁଦ ରଖିବାକୁ କୁହାଯାଇଛି।
ଆଜି ବସିଥିବା କଣ୍ଟ୍ରାକ୍ଟସ୍‌ ଷ୍ଟାଣ୍ଡିଂ କମିଟି ବୈଠକରେ ସହରରେ ୧୧ଟି ଉନ୍ନତିମୂଳକ ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ସହରରୁ ଜଳ ନିଷ୍କାସନ ପାଇଁ ଏହି ପ୍ରକଳ୍ପ ସବୁ ପ୍ରମୁଖ ଭୂମିକା ନିଭାଇବ ବୋଲି କୁହାଯାଉଛି। ବିବେକାନନ୍ଦ ମାର୍ଗରେ ଡ୍ରେନ୍‌ର ସିମେଣ୍ଟ କଂକ୍ରିଟ କାନ୍ଥ ନିର୍ମାଣ ସହ ମହାଦେବ ନଗରରୁ ଗଙ୍ଗୁଆ ବ୍ରିଜ୍ ପର୍ଯ୍ୟନ୍ତ ବକ୍ସ ଡ୍ରେନ ଓ ରାସ୍ତା, ଦୟାୱେଷ୍ଟ କେନାଲରୁ ଲକ୍ଷ୍ମୀସାଗର ମୁଖ୍ୟ ରାସ୍ତା ଓସ୍କାର ସିଟି ଦେଇ ଗଙ୍ଗୁଆ ନାଳ ପର୍ଯ୍ୟନ୍ତ ଆରସିସି ଡ୍ରେନ ସହ ସ୍ଲାବ ସହ ଅନ୍ୟାନ୍ୟ ପ୍ରକଳ୍ପକୁ କମିଟି ଅନୁମୋଦନ କରିଛି।

ସମ୍ବନ୍ଧିତ ଖବର