ଅଖିଳ ଭାରତ ତୃତୀୟ ଶ୍ରେଣୀ ଡାକ କର୍ମଚାରୀ ସଂଘ ସମ୍ମିଳନୀ

ନ୍ୟାଯ୍ୟ ଦାବି ହାସଲ ପାଇଁ ଏକଜୁଟ ହୋଇ ଲଢ଼ିବାକୁ ଆହ୍ବାନ

ଭୁବନେଶ୍ୱର: ଅଖିଳ ଭାରତ ତୃତୀୟ ଶ୍ରେଣୀ ଡାକ କର୍ମଚାରୀ ସଂଘ ଭୁବନେଶ୍ବର ଶାଖାର ଦ୍ୱାଦଶ ଦ୍ୱିବାର୍ଷିକ ସମ୍ମିଳନୀ ଦୃଷ୍ଟିବାଧିତ ସଂଘ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଲିଙ୍ଗରାଜ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଅଖିଳ ଭାରତ ଡାକ ଓ ରେଳସେବା ପେନସନର୍ସ ଆସୋସିଏସନ୍, ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ରବୀନ୍ଦ୍ର ନାଥ ଧଳ ଉଦ୍‌ଘାଟନ କରି କର୍ମଚାରୀମାନେ ସେମାନଙ୍କର ନ୍ୟାଯ୍ୟ ଦାବି ହାସଲ କରିବା ପାଇଁ ଏକଜୁଟ ହୋଇ ଲଢ଼ିବାକୁ ଆହ୍ବାନ ଦେଇଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ସଂଘ ତଥା ଓଡ଼ିଶା ରାଜ୍ୟ ସମନ୍ୱୟ ସମିତିର ସାଧାରଣ ସମ୍ପାଦକ ବୃହସ୍ପତି ସାମଲ ଯୋଗଦେଇ କେନ୍ଦ୍ର ସରକାରଙ୍କ ୪୪ଟି ଶ୍ରମ ଆଇନ ପରିବର୍ତ୍ତେ ୪ଟି ଶ୍ରମ କୋଡ ପ୍ରଚଳନକୁ ଦୃଢ଼ ନିନ୍ଦା କରିଥିଲେ। ଏଥିସହିତ ନୂତନ ପେନସନ ଯୋଜନା ଉଚ୍ଛେଦ, ପୁରୁଣା ପେନସନ ଯୋଜନାରେ ପୁନଃ ପ୍ରଚଳନ, ସରକାରୀ ଦପ୍ତରରେ ଖାଲି ପଡ଼ିଥିବା ସମସ୍ତ ପଦବି ପୂରଣ, ସରକାରୀ ସଂସ୍ଥାକୁ ଘରୋଇକରଣରୁ ଦୂରେଇ ରଖିବା, କର୍ମଚାରୀମାନଙ୍କର ୧୮ ମାସର ବକେୟା ମହଙ୍ଗା ଭତ୍ତା ପ୍ରତ୍ୟାର୍ପଣ, ଅନୁକମ୍ପାମୂଳକ ଚାକିରି କ୍ଷେତ୍ରରେ ଥିବା ପ୍ରତିବନ୍ଧକକୁ ହଟେଇବା ପାଇଁ ଦାବି ଉପସ୍ଥାପନ କରିଥିଲେ। ତୃତୀୟ ଶ୍ରେଣୀ ଡାକ କର୍ମଚାରୀ ସଂଘର ରାଜ୍ୟ ସମ୍ପାଦକ ରାଜେଶ ବହିଦାର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଡାକ କର୍ମଚାରୀ ରାଷ୍ଟ୍ରୀୟ ମହାସଂଘ ଓ ତୃତୀୟ ଶ୍ରେଣୀ ଡାକ କର୍ମଚାରୀ ସଂଘର ମାନ୍ୟତା ପ୍ରତ୍ୟାହାରକୁ ତୀବ୍ର ନିନ୍ଦା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ତୃତୀୟ ଶ୍ରେଣୀ ଡାକ କର୍ମଚାରୀ ସଂଘର ରାଜ୍ୟ ସମ୍ପାଦକ ରମେଶ ଚନ୍ଦ୍ର ମିଶ୍ର, ପୂର୍ବତନ ମଣ୍ଡଳ ସଭାପତି ପୂର୍ଣ୍ଣେନ୍ଦୁ କୁମାର ଦାଶ, ଶ୍ରୀକାନ୍ତ ମଲ୍ଲିକ, ଏମସିଏସ ରାଓ, ସୁଧୀର କୁମାର ସ୍ୱାଇଁ ଯୋଗ ଦେଇଥିଲେ। ଏହି ଅବସରରେ ସଂଘର ସଭାପତି ଲିଙ୍ଗରାଜ ସାହୁ ଓ ସମ୍ପାଦକ ଦିପ୍ତୀରଞ୍ଜନ ମହାନ୍ତିଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। କାର୍ଯ୍ୟକ୍ରମରେ ସୋନାଲି ପ୍ରିୟଦର୍ଶିନୀ ମଞ୍ଚ ପରିଚାଳନା କରିଥିଲା ବେଳେ ସୁରଥ କୁମାର ଖୁଣ୍ଟିଆ ଧନ୍ୟବାଦ ଦେଇଥିଲେ। ସମ୍ମିଳନୀ ଶେଷରେ ଆସନ୍ତା ଦୁଇ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା। ସର୍ବସମ୍ମତିକ୍ରମେ ତପନ କୁମାର ସାହୁ, ସୁରଥ କୁମାର ଖୁଣ୍ଟିଆ ଓ ବିଜୟ କୁମାର ମୁଦୁଲି ଯଥାକ୍ରମେ ମଣ୍ଡଳ ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧିତ ଖବର