ଆରମ୍ଭରୁ ଭାସିଲା: ଇସ୍କନ ସାମ୍ନାରେ ଗାଡ଼ି ଭାସିଲା, ଜନପଥରେ ସୁଅ

ଯାହା ଆଶଙ୍କା ଥିଲା, ତାହା ଘଟିଲା

ଭୁବନେଶ୍ବର: ଯାହା ଆଶଙ୍କା ଥିଲା ତାହା ହିଁ ଘଟିଲା। ଘଣ୍ଟାଏ ବର୍ଷାରେ ଭୁବନେଶ୍ବର ଭାସିଲା। ଇସ୍କନମନ୍ଦିର ରାସ୍ତାରେ ପୂର୍ବବତ୍‌ ବସ୍‌, ବାଇକ୍‌ ଫସିଲା। ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଆଣ୍ଠୁଏ ଉଚ୍ଚାର ପାଣି ଲହଡ଼ି ମାରିଲା। ତଳି ଅଞ୍ଚଳରେ ଘରେ ପଶିଯିବାରୁ ପଙ୍କ କାଦୁଅରେ ଲଟପଟ ହେଲେ ଅଗଣିତ ପରିବାର। ରାସ୍ତାରେ ପାଣି ଜମିବାରୁ ସହର ସାରା ଟ୍ରାଫିକ୍‌ ଭୁଶୁଡ଼ି ପଡ଼ିଲା। ଯିଏ ଯୁଆଡ଼େ ପାରିଲେ ପଶିଲେ, ରେଡ୍‌ ସିଗ୍‌ନାଲ ବି କାମ ଦେଲାନି। ଯେଉଁ ୧୨ଟି ସମ୍ବେଦନଶୀଳ ଚିହ୍ନଟ ହୋଇଥିଲା ସେସବୁ ଜାଗା ଭାସିଲା। ଅର୍ଥାତ୍‌ ଗୋଟିଏ ହେଲେ ଜାଗାରେ ଜଳବନ୍ଦୀ ଦୂର କରିବା ପାଇଁ ବ୍ୟବସ୍ଥା ହୋଇ ନାହିଁ। ବାହାଘର ବେଳେ ବାଇଗଣ ରୋଇବା ଭଳି ବିଏମ୍‌ସି ନଳା ସଫା କରି ଗଦା କରିଥିବା ଆବର୍ଜନା ପୁଣି ନଳା ଭିତରକୁ ପଶି ଯାଇଛି। ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ହୋଇଥିବା ୨୮.୬ ମିମି ବର୍ଷାରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି।

ବିଏମ୍‌ସି ଚିହ୍ନଟ କରିଥିବା ୧୨ଟି ସ୍ଥାନ ମଧ୍ୟରୁ ଇସ୍କନ ସାମ୍ନାରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଠାରେ ଆଣ୍ଠୁଏ ଉଚ୍ଚାର ପାଣି ଜମିବା ସହ ଯାତାୟାତ ବନ୍ଦ ହୋଇଯାଇଥିଲା। ପାର୍କ ହୋଇଥିବା ୩ଟି କାର୍‌ ବୁଡ଼ିଯିବା ସହ ପାଣି ଭିତରେ ପଶି ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ଭିତରେ ପାଣି ପଶି ଯାଇଥିଲା। ଅନ୍‌ଲାଇନ୍‌ ଖାଦ୍ୟ ପହଞ୍ଚାଉଥିବା ଜଣେ କର୍ମଚାରୀ ଏହି ପାଣି ଭିତରେ ପଶିଯିବାରୁ ତାଙ୍କ ବାଇକ୍‌ ଭାସି ଯାଇଥିଲା। ଅନ୍ୟତମ ସମ୍ବେଦନଶୀଳ ଜାଗା ବମିଖାଲରେ ମଧ୍ୟ ଅବସ୍ଥା ତଦ୍‌ରୂପ ହୋଇଥିଲା। ଏଠାରେ ରାସ୍ତା ଉପରେ ପାଣି ଜମିବା ସହ ବମିଖାଲ ଓ ଲକ୍ଷ୍ମୀସାଗର ଅଞ୍ଚଳ ଜଳମଗ୍ନ ହୋଇଥିଲା। କଟକ ରୋଡ୍‌ର ଏକାଧିକ ସ୍ଥାନରେ ରାସ୍ତା ଉପରେ ସୁଅ ପଡ଼ିଥିଲା। ତେବେ ଅନ୍ୟତମ ସମ୍ବେଦନଶୀଳ ଜାଗା ରାଜୀବନଗର, ଡୁମୁଡୁମା, ଆଇଗିଣିଆ ଅଞ୍ଚଳରେ ବର୍ଷା କମ୍‌ ହୋଇଥିବାରୁ ଜଳବନ୍ଦୀ ସମସ୍ୟା ଉପୁଜିନଥିଲା। ତେବେ ବିଭିନ୍ନ ସ୍ଥାନରେ ଆବର୍ଜନା ଜମି ରହିଥିବାରୁ ଭୟଙ୍କର ପରିସ୍ଥିତି ଉପୁଜିଥିଲା। ବର୍ଷା ଜଳ ସହ ଆବର୍ଜନା ମିଶି ସହରସାରା ଭାସିଥିଲା।

ଏବେ ବିଭିନ୍ନ ଜାଗାରୁ ଆବର୍ଜନା ଉଠାଯାଇ ପ୍ରଥମେ ଗୋଟିଏ ଜାଗାରେ ଗଦା କରାଯାଉଛି। ପ୍ରାୟ ୩-୪ ଦିନ ପରେ ଏହାକୁ ନିଆଯାଉଛି। ବଡ଼କଥା ହେଉଛି, ସହରର ଛାତି ଉପର କୁହାଯାଉଥିବା ଜନପଥରେ ବିଚିତ୍ର ସ୍ଥିତି ଉପୁଜିଥିଲା। ତାଜ୍‌ ପ୍ୟାଲେସ୍‌ ନିକଟରେ ଜଳମଗ୍ନ ସ୍ଥିତି ଉପୁଜିଥିଲା। ଅନେକ ଗ୍ରାହକ ଦୋକାନ ଭିତରେ ଫସି ଯାଇଥିଲେ। ଆଣ୍ଠୁଏ ଉଚ୍ଚାର ପାଣି ଜମିଥିବାରୁ ଗାଡ଼ି ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲେ। ଏଠାରୁ ପାଣି ଖାଲି ହେବା ପାଇଁ ପ୍ରାୟ ଅଧଘଣ୍ଟାରୁ ୪୫ ମିନିଟ୍‌ ଲାଗିଥିଲା। ଜନପଥ ଅତିକ୍ରମ କରି ପାଣି ଯିବାକୁ ବ୍ୟବସ୍ଥା ନଥିବାରୁ ଏଭଳି ସମସ୍ୟା ହେଉଥିବା କେତେକ ବ୍ୟବସାୟୀ ଅଭିଯୋଗ କରିଥିଲେ। ଅଶୋକ ନଗରରେ ମଧ୍ୟ ଜନପଥର ସମାନ୍ତରାଳ ରାସ୍ତାରେ ଆଣ୍ଠୁଏ ପାଣି ଜମିଥିଲା। ସେହିଭଳି ଜୟଦେବ ବିହାରରେ ମଧ୍ୟ ପାଣି ଦୀର୍ଘ ସମୟ ଜମି ରହିଥିଲା।

ସମ୍ବନ୍ଧିତ ଖବର