ହଂସପାଳ ଫ୍ଲାଏ ଓଭର: ଟେଣ୍ଡର୍‌ ବାତିଲ କଲା ଏନ୍‌ଏଚ୍‌ଏଆଇ

କାମ ପୂର୍ଣ୍ଣାଙ୍ଗ କରିବ ଅଭୀପ୍ସା କନଷ୍ଟ୍ରକ୍‌ସନ୍‌, ମାସେ ଭିତରେ କାମ ସାରିବାକୁ ଲକ୍ଷ୍ୟ

ଭୁବନେଶ୍ବର: ସାଢ଼େ ୪ ବର୍ଷ ବିତିଗଲା। ସରିଲାନି ହଂସପାଳ ଫ୍ଲାଏ ଓଭର କାମ। ନିର୍ଦ୍ଧାରିତ ସମୟ ପରେ ମଧ୍ୟ ଛତିଶଗଡ଼ର ଠିକାସଂସ୍ଥା ବ୍ରିଜେଶ ଅଗ୍ରୱାଲ୍‌କୁ ୩ ଥର ଅବଧି ବଢ଼ାଗଲା। ହେଲେ ନିର୍ମାଣରେ ଅହେତୁକ ବିଳମ୍ବ ପାଇଁ ଏହି ସଂସ୍ଥାର ଟେଣ୍ଡର ବାତିଲ କରିଛି ଏନ୍‌ଏଚ୍‌ଏଆଇ। ଏବେ ବାକି ଥିବା କାମ ଓଡ଼ିଶାର ଠିକାସଂସ୍ଥା ଅଭୀପ୍ସା କନଷ୍ଟ୍ରକ୍‌ସନ୍‌ କରିବ ଏବଂ ମାସେ ଭିତରେ କାମ ଶେଷ ହେବ ବୋଲି କହିଛି ଏନ୍‌ଏଚ୍‌ଏଆଇ। ହଂସପାଳ ଛକ ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟିବାସହିତ ପ୍ରତିଦିନ ଧନ ଜୀବନ ହାନି ହେବା ପରେ ସ୍ଥାନୀୟ ବାସିନ୍ଦା ହଂସପାଳ ଓଭରବ୍ରିଜ୍‌ ନିର୍ମାଣ ପାଇଁ ଦାବି କରିଥିଲେ। ଏହାପରେ କେବଳ ଅଣ୍ଡରପାସ୍‌ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ପ୍ରସ୍ତାବ ପଠାଇଥିଲା। ହେଲେ ଏଠାରେ ଓଭରବ୍ରିଜ୍‌ ନିର୍ମାଣ ପାଇଁ ଯୋଜନା କରିଥିଲା ଏନ୍‌ଏଚ୍‌ଏଆଇ। ଓଭରବ୍ରିଜ୍‌ ଉପରେ ଜାତୀୟ ରାଜପଥ ଗାଡ଼ି ଯିବା ସହ ଉଭୟ ପାର୍ଶ୍ବକୁ ଯିବା ପାଇଁ ଅଣ୍ଡରପାସ୍‌ କରିବାକୁ ସ୍ଥିର ହୋଇଥିଲା। ୨୪ କୋଟି ୦୬ ଲକ୍ଷ ଟଙ୍କା ବ୍ୟୟରେ ୫୫୮ ମିଟର ଲମ୍ବା ଓ ୬ ଲେନ୍‌ ଏବଂ ୧୦.୫ ମିଟର ଲମ୍ବର ଦୁଇଟି ସେଲ୍‌ ବିଶିଷ୍ଟ ଅଣ୍ଡରପାସ୍‌ ନିର୍ମାଣ ପାଇଁ ସ୍ଥିର ହୋଇଥିଲା।

ଏହି ଟେଣ୍ଡର୍‌ ପାଇଥିଲା ବ୍ରିଜେଶ ଅଗ୍ରୱାଲ ଠିକାସଂସ୍ଥା। ୨୦୨୦ ଫେବ୍ରୁଆରିରୁ କାମ ଆରମ୍ଭ ହୋଇ ୨୦୨୧ ଡିସେମ୍ବରରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା କଥା। ଟେଣ୍ଡର ଚୁକ୍ତି ବେଳେ ନିର୍ଦ୍ଧାରିତ ସମୟରେ କାମ ଶେଷ କରିବାକୁ ଦାଗିଦ୍‌ କରାଯାଇଥିଲା। ତେବେ ୨୦୨୦ ମସିହାରେ କୋଭିଡ୍‌ ପାଇଁ କାମରେ ବିଳମ୍ବ ହେଲା। ସେଥିପାଇଁ ପ୍ରାୟ ୧ ବର୍ଷ ସମୟସୀମା ବୃଦ୍ଧି କରାଯାଇ ୨୦୨୨ ମସିହା ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏହାପରେ ୨୦୨୩ ଦୁର୍ଗାପୂଜା ପୂର୍ବରୁ କାମ ଶେଷ ପାଇଁ କୁହାଗଲା, ତଥାପି ସରିଲା ନାହିଁ। ୨୦୨୪ ସାଧାରଣ ନିର୍ବାଚନ ଥିବାରୁ ଶେଷ ଥର ପାଇଁ ଗତ ମାର୍ଚ୍ଚ ୩୧ ସୁଦ୍ଧା ସାରିବାକୁ ଠିକାସଂସ୍ଥାକୁ ନୋଟିସ୍‌ ଦେଇଥିଲା ଏନ୍‌ଏଚ୍‌ଏଆଇ। ତଥାପି ମଧ୍ୟ କାମ ସାରି ପାରିଲା ନାହିଁ ଠିକା ସଂସ୍ଥା। ତେଣୁ ଏହି ଟେଣ୍ଡରକୁ ଏନ୍‌ଏଚ୍‌ଏଆଇ ବାତିଲ କରିଛି। ଏନ୍‌ଏଚ୍‌ଏଆଇ ପ୍ରକଳ୍ପ ନିର୍ଦ୍ଦେଶକ କେ. ନାଗେଶ୍ବର ରାୟ କହିଛନ୍ତି, ଏବେ ସୁଦ୍ଧା ୮୫ ପ୍ରତିଶତ କାମ ସରିଛି। ବାରମ୍ବାର ନୋଟିସ୍‌ ପରେ କାମରେ ଅଗ୍ରଗତି ନହେବାରୁ ଟେଣ୍ଡର ବାତିଲ କରାଯାଇ ନୂଆ ସଂସ୍ଥାକୁ ଦିଆଯାଇଛି। ୧୫ ଦିନ ଭିତରେ କଟକ ପଟୁ ଭୁବନେଶ୍ବରକୁ ଯିବା ପାଇଁ ଗୋଟିଏ ପାଖ ରାସ୍ତାକୁ ଖୋଲାଯିବ। ମାସେ ଭିତରେ ସମସ୍ତ କାମ ସାରିବାକୁ ଚେଷ୍ଟା କରାଯିବ।

କାର୍ଯ୍ୟାନୁଷ୍ଠାନ ବଦଳରେ ଅନୁକମ୍ପା କାହିଁକି?
୨୦ କୋଟି ନେଇ ଛୁ’ ଠିକାସଂସ୍ଥା
୨୨ ମାସ ଭିତରେ ହଂସପାଳ ଫ୍ଲାଏଓଭର କାମ ଶେଷ କରିବାକୁ ‌ଚୁକ୍ତି ହୋଇଥିଲା। କରୋନା ଆଳରେ ସମୟ ଘୁଞ୍ଚିଲା। କିନ୍ତୁ ତା’ପରେ ଠିକାସଂସ୍ଥାର ମନମୁଖୀ ଓ କଚ୍ଛପ ଗତିର କାମ ପାଇଁ କାମ ଏଯାଏ ସରିନାହିଁ। ସାଢ଼େ ୪ ବର୍ଷ ହେବ ପ୍ରତିଦିନ ସକାଳ ୮ଟାରୁ ଦିନ ୧ଟା ଏବଂ ଅପରାହ୍ନ ୪ଟାରୁ ରାତି ୧୦ଟା ପ୍ରାୟ ୯ରୁ ୧୦ ଘଣ୍ଟା ଟ୍ରାଫିକ୍‌ ଯନ୍ତ୍ରଣା ଭୋଗୁଛନ୍ତି ହଜାର ହଜାର ଗାଡ଼ି ଚାଳକ। ମାତ୍ର ୬୦୦ ମିଟର ବାଟ ପାର୍‌ ହେବା ପାଇଁ ଲୋକେ ଯମଯନ୍ତ୍ରଣା ଭୋଗୁଛନ୍ତି। ହେଲେ ଠିକା ସଂସ୍ଥା ବ୍ରିଜେଶ ଅଗ୍ରୱାଲ୍‌ର କେବଳ ଟେଣ୍ଡର ବାତିଲ କରି ଚୁପ୍‌ ବସିଛି ଏନ୍‌ଏଚ୍‌ଏଆଇ। ସବୁଠାରୁ ଅାଶ୍ଚର୍ଯ୍ୟର କଥା ହେଲା ୮୫ ପ୍ରତିଶତ କାମ ସରିଥିବା ଦର୍ଶାଇ ଠିକାସଂସ୍ଥାକୁ ୨୦ କୋଟି ଟଙ୍କା ଦିଆ ସରିଛି। ବାକି ୪ କୋଟିରେ ୧୫ ପ୍ରତିଶତ କାମ ହେବ ବୋଲି କହିଛି ଏନ୍‌ଏଚ୍‌ଏଆଇ। ବର୍ତ୍ତମାନ ଗୋଟିଏ ପାଖ କାମ ବି ସରିନି। ବାମପାଖ ରାସ୍ତା ଅଧା ହୋଇଛି। ଦୁଇପାଖରେ ସୁରକ୍ଷା ବାଡ଼ ବି ହୋଇନି। ଏବେବି ୧୫ ପ୍ରତିଶତରୁ ଅଧିକ କାମ ଥିବା ଜଣାପଡ଼ୁଛି। ନିୟମ ଖିଲାପ କରିଥିବା ଠିକା ସଂସ୍ଥା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ୨୦ କୋଟି ଟଙ୍କା ଟେକି ଦେଇ ଚୁପ୍‌ ବସିଛି ଏନ୍‌ଏଚ୍‌ଏଆଇ।

ସମ୍ବନ୍ଧିତ ଖବର