ମୋ ବସ୍‌: ୫ ବର୍ଷ ପରେ ବି ଲକ୍ଷ୍ୟ ପୂରଣ ହେଲାନି

ଭୁବନେଶ୍ବର: ୨୦୧୮ ମସିହା ନଭେମ୍ବର ୬ ତାରିଖରେ ଭୁବନେଶ୍ବରରେ ଆରମ୍ଭ ହୋଇଥିଲା ‘ମୋ ବସ୍‌’ ସେବା। ପୂର୍ବରୁ ଚାଲୁଥିବା ସିଟି ବସ୍‌କୁ ଅପସାରଣ କରାଯାଇ ନୂଆ ରୂପରେ କ୍ରୁଟ୍‌ ଜରିଆରେ ଏହି ସେବା ଉପଲବ୍ଧ ହୋଇଥିଲା। ଏବେ ଏହି ସେବାକୁ ୫ ବର୍ଷ ପୂରିଛି। ହେଲେ ଲକ୍ଷ୍ୟସ୍ଥଳଠାରୁ ଢେର୍‌ ଦୂରରେ ରହିଛି କ୍ରୁଟ୍‌। ଏବେ ବି ଆର୍ଥିକ ସହାୟତା କରୁଛନ୍ତି ସରକାର। ୨୦୨୦ ସୁଦ୍ଧା ୬୦୦ ଓ ୨୦୨୫ ସୁଦ୍ଧା ୧୨୦୦ ବସ୍‌ ଚାଲିବାକୁ ଯୋଜନା ଥିବା ବେଳେ ଏବେ ୨୦୦ ବସ୍‌ ଚଳାଚଳ କରୁଛି। ବଡ଼ କଥା ହେଉଛି ଏହି ସାଧାରଣ ପରିବହନ ସେବାକୁ ଲୋକମାନେ ବ୍ୟବହାର କରିବା ଫଳରେ ଗାଡ଼ିମୋଟର ବ୍ୟବହାର କମିବା ନେଇ ଯେଉଁ ଆଶା କରାଯାଇଥିଲା ତାହା ଆଶାରେ ହିଁ ରହିଛି। ଏ ପର୍ଯ୍ୟନ୍ତ ପ୍ରତ୍ୟେକ ଗଳିକନ୍ଦିକୁ ସଂଯୋଗ କରିପାରି ନାହିଁ। ନା ଲାଭ ଦେଇ ପାରୁଛି, ନା ଲକ୍ଷ୍ୟ ହାସଲ ହେଉଛି। ଲାଭ ନୁହେଁ, ବରଂ ସେବାକୁ ଗୁରୁତ୍ବ ଦିଆଯାଉଥିବା ଅଧିକାରୀମାନେ କହୁଥିବା ବେଳେ ସେବାକୁ ନେଇ ମଧ୍ୟ ମାଳମାଳ ଅଭିଯୋଗ ରହିଛି। ଲାଗୁଛି ଯେମିତି କର୍ତ୍ତୃପକ୍ଷ କେବଳ ପ୍ରଚାରରେ ମାତିଛନ୍ତି।

ପୂର୍ବରୁ ସହରରେ ସିଟି ବସ୍‌ ଚାଲୁଥିଲା। ପୁରୁଣା ସିଟି ବସ୍‌ଗୁଡ଼ିକ ଅପସାରଣ କରାଯାଇ ନୂଆ ମୋ ବସ୍‌ ଅଣାଗଲା। ସିଟି ବସ୍‌ଗୁଡ଼ିକ ପୋଖରୀପୁଟ ଡିପୋରେ ଖତ ଖାଇଲା। ଏହି ସେବା ଆରମ୍ଭ ସମୟରେ ଏ‌ହା ବେଶ୍‌ ଲୋକପ୍ରିୟ ହୋଇଥିଲା। ପ୍ରଥମେ ଭୁବନେଶ୍ବର ଓ ପରେ ପୁରୀ, କଟକ, ଖୋର୍ଦ୍ଧା ଓ ପରେ ଭୁବନେଶ୍ବରର ଉପାନ୍ତ ଅଞ୍ଚଳ ଜୟଦେବ ପୀଠ, ନିମାପଡ଼ା ଓ କୋଣାର୍କ ପ୍ରଭୃତି ଅଞ୍ଚଳକୁ ବସ୍‌ ଚଳାଚଳ କଲା। ବିଡିଏ, ସିଡିଏ ଓ ପିକେଡିଏ ଅଞ୍ଚଳରେ ବସ୍‌ ଚଳାଚଳ ନେଇ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ ହୋଇଥିଲା। ଏହି ସବୁ ଅଞ୍ଚଳରେ ପ୍ରତି ଗଳି କନ୍ଦିରେ ଯେପରି ମୋ ବସ୍‌ ଚାଲିବ, ପ୍ରତି ଛକରେ ପ୍ରତି ୫ରୁ ୧୦ମିନିଟରେ ବସ୍‌ ପହଞ୍ଚିବ, ସେଥିପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ୨୦୨୦ ସୁଦ୍ଧା ଏହି ଅଞ୍ଚଳରେ ୬୦୦ ମୋ ବସ୍‌ ଚାଲିବାକୁ ଥିବାବେଳେ ଏବେ ମାତ୍ର ୨ଶହ ବସ୍‌ ଚାଲୁଛି। ୨୦୨୫ ସୁଦ୍ଧା ଯେଉଁ ୧୨୦୦ଟି ବସ୍‌ ଚଲାଇବାକୁ ଯୋଜନା ହୋଇଛି ତାହା କେବଳ ଧୂଆଁବାଣ ବୋଲି ସ୍ପଷ୍ଟ ହୋଇଛି।

ସେବା ଆରମ୍ଭ ଦିନରୁ ଜଣେ ଅଧିକାରୀ ହିଁ ମହାପ୍ରବନ୍ଧକ ଦାୟିତ୍ବରେ ଅଛନ୍ତି। କିନ୍ତୁ ଆଖିଦୃଶିଆ ପରିବର୍ତ୍ତନ ଆସିନାହିଁ। ବ୍ରହ୍ମପୁରରେ ବେଶ୍‌ ନାଁ କମାଇଥିବା ଆଇଏଏସ୍‌ ଅଫିସର ବିଜୟ ଅମୃତା କୁଲାଙ୍ଗେ କ୍ରୁଟ୍‌ ଏମ୍‌ଡି ଦାୟିତ୍ବ ନେବା ପରେ ଏଥିରେ ସୁଧାର ଆସିବା ଆଶା କରାଯାଉଥିଲା। କିନ୍ତୁ ତାହା ମଧ୍ୟ ହେଲା ନାହିଁ। ଯୋଜନା ଅନୁସାରେ ବସ୍‌ ଆସିଲେ କିପରି କେଉଁ ରୁଟ୍‌ରେ ଚାଲିବ ସେ ନେଇ ରୋଡ୍‌ ମ୍ୟାପ୍‌ ବି ହୋଇନାହିଁ। ଏଣୁ ନିକଟ ଭବିଷ୍ୟତରେ ମୋ ବସ୍‌ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଦୃଷ୍ଟିଗୋଚର ହେଉନାହିଁ।

ପୁରସ୍କାରର ଲମ୍ବା ତାଲିକା
ପରିଚାଳନରେ ତ୍ରୁଟି ଜଳଜଳ
ସରକାରଙ୍କ ଅନୁଦାନ ବିନା ସବୁ ଅଚଳ

୨୦୧୯ରେ ଦୈନିକ ପ୍ର‌ାୟ ୬୦ ହଜାର ଯାତ୍ରୀ ମୋ ବସ୍ ବ୍ୟବହାର କରୁଥିବା ବେଳେ ଏବେ ଏହା ୭୦ ହଜାର ଅତିକ୍ରମ କରିଛି। ଅନେକ ସମୟରେ ଏହି ସଂଖ୍ୟା ଏକ ଲକ୍ଷ ବି ଅତିକ୍ରମ କରୁଛି। ଏହି ହିସାବ ମୁତାବକ କ୍ରୁଟ୍‍ ବର୍ଷକୁ କ୍ରୁଟ୍‌ ଭଡ଼ା ବାବଦରେ ପ୍ରାୟ ୩୬ କୋଟି ପାଉଛି। କିନ୍ତୁ ଏହା କ୍ଷତିରେ ଚାଲିଛି। ୨୦୧୮-୧୯ ଆର୍ଥିକ ବର୍ଷରେ ସରକାର ୧୩୩ କୋଟି ୩୬ ଲକ୍ଷ ୨୨ ହଜାର ଟଙ୍କା ଯୋଗାଇଥିବା ବେଳେ ୨୦୧୯-୨୦ରେ ୫୭ କୋଟି ୯୬ ଲକ୍ଷ ୭୪ ହଜାର ୩୨୫ ଟଙ୍କା, ୨୦୨୦-୨୧ ବର୍ଷରେ ୨ଶହ କୋଟି ଓ ୨୦୨୧-୨୨ ବର୍ଷରେ ୬୯କୋଟି ୫୦ ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି। ଅର୍ଥାତ୍‌ ୪ ବର୍ଷରେ କ୍ରୁଟ୍‌ ରାଜ୍ୟ ସରକାରଙ୍କ ଠାରୁ ୪୬୦ କୋଟି ୮୨ ଲକ୍ଷ ୯୬ ହଜାର ୩୨୫ ଟଙ୍କା ପାଇଛି। ସେତିକି ନୁହେଁ, ୨୦୧୮ ମସିହାରେ ବସ୍‌ କିଣିବା ପାଇଁ ସରକାର ଯେଉଁ ଅର୍ଥ ଦେଇଥିଲେ ତାହାକୁ କ୍ରୁଟ୍‌ ସୁଝିବା କଥା। କିନ୍ତୁ ଓଲଟା ସରକାର ଆର୍ଥିକ ସହାୟତା ଯୋଗାଇ ଚାଲିଛନ୍ତି।

ଯୋଜନା ଥିଲା ପ୍ରତି ଗଳିକନ୍ଦିକୁ ବସ୍‌ ଯିବ। ପ୍ରତି ୫ ମିନିଟ୍‌ରେ ଲୋକ ଏହି ସେବା ପାଇବେ। କିନ୍ତୁ ରାସ୍ତା ଓ ଅନ୍ୟାନ୍ୟ ସମସ୍ୟା ଯୋଗୁ ବସ୍‌ ପଶି ପାରିଲାନାହିଁ। ଏଣୁ ପ୍ରତି ମୋ ବସ୍‌ଷ୍ଟାଣ୍ଡକୁ ଗଳି ସହ ସଂଯୁକ୍ତ କରିବା ପାଇଁ ମୋ ଇ-ରାଇଡ୍‌(ଇ-ଅଟୋ) ସେବା ଆରମ୍ଭ ହେଲା। ହେଲେ ତାହା ମଧ୍ୟ ସଫଳ ହେଲାନାହିଁ। କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ୫୦ଟି ଅଟୋ ସେବା ଆରମ୍ଭ ହୋଇଥିଲା। ଏଥିରେ କେବଳ ମହିଳା ଓ କିନ୍ନରଙ୍କୁ ଚାଳକ ଭାବେ ନିଯୁକ୍ତି ଦିଆଯାଇଥିଲା। ଏହି ଲିଙ୍ଗଗତ ଅନ୍ତର୍ଭୁକ୍ତୀକରଣକୁ ନେଇ କ୍ରୁଟ୍‌ ବେଶ୍‌ ପ୍ରଶଂସା ମଧ୍ୟ ସାଉଁଟିଥିଲା। ହେଲେ ପରିଚାଳନାଗତ ତ୍ରୁଟି ଯୋଗୁ ଏକାଧିକ ଚାଳକ ଚାକିରି ଛାଡ଼ିଦେଲେ। ଫଳରେ ଏହି ସେବା ମଧ୍ୟ ଲକ୍ଷ୍ୟ ହାସଲ କରିପାରିଲାନାହିଁ।

ଖତ ଖାଉଛି ସିଟି ବସ୍‌

ରାଜଧାନୀର ପୋଖରୀପୁଟସ୍ଥିତ ସମେତ ବିଭିନ୍ନ ଡିପୋରେ ପୁରୁଣା ସିଟି ବସ୍‌ ସବୁ ପଡ଼ି ରହିଛି। ଏଥିରୁ ୧୦୦ଟି ବସ୍‌କୁ ହକି ବିଶ୍ବକପ୍‌-୨୦୧୮ ସମୟରେ ଚଲାଇବାର ଯୋଜନା ଥିଲା। କିନ୍ତୁ ତାହା ସମ୍ଭବ ହୋଇନଥିଲା। ପରେ ୮୩ଟି ବସ୍‌କୁ ମରାମତି କରିବା ପରେ ଚଳାଚଳ ଆରମ୍ଭ କରିଛି। ଏବେ ବି ଶତାଧିକ ଖତ ଖାଊଛି। ସେହିଭଳି ଗତ ଜୁଲାଇ ମାସରେ ୧୦ଟି ଇ-ବସ୍‌ ସେବା ଯୋଗାଇବା ଆରମ୍ଭ କରିଥିଲା। ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‌ଘାଟେନ କରିଥିଲେ। ଏହା ସଫଳ ହୋଇଥିଲେ ସଂଖ୍ୟା ବଢ଼ିଥା’ନ୍ତା। ପ୍ରଦୂଷଣମୁକ୍ତ ଭୁବନେଶ୍ବର ଗଢ଼ିବାରେ ଏହା ପ୍ରମୁଖ ଭୁମିକା ନିଭାଇଥା’ନ୍ତା। କିନ୍ତୁ ଏହି ଘଟଣାକୁ ୪ ମାସ ବିତିଥିଲେ ମଧ୍ୟ ଆଉ ଗୋଟିଏ ବସ୍‌ ମଧ୍ୟ ଅଧିକ ଚାଲିପାରିଲା ନାହିଁ। ସବୁଠାରୁ ବଳିପଡ଼ିଛି ‘ମୋ ବସ୍‌’ ଚାଳକଙ୍କ ପୋରୁଆ ଗାଡ଼ିଚାଳନା। ଗୋଟିଏ ବର୍ଷରେ ମୋ ବସ୍‌ ଧକ୍କାରେ ୨୫ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିବା ବେଳେ ୩ ଜଣଙ୍କର ଜୀବନ ଯାଇଛି। ଜଟଣୀରେ ବର୍ଷା ପାଣିରେ ମୋ ବସ୍‌ ବୁଡ଼ିବା ଘଟଣାରେ ଚାଳକଙ୍କ ବେପାରୁଆ ପଣର ସୀମା ଲଂଘିଛି। ପୁଣି କିଛି ଜାଗାରେ ଗାଇଡ୍‌ଙ୍କ ଦୁର୍ବ୍ୟବହାରେ ଓ ଚୋରି ଯୋଗୁ ସାଧାରଣ ଯାତ୍ରୀ ଅତିଷ୍ଠ ହୋଇଛନ୍ତି। ପରିସ୍ଥିତି କେବେ ସୁଧୁରିବ, କେବେ ଲକ୍ଷ୍ୟ ସାଧନ ହେବ ସେ ନେଇ କାହା ପାଖରେ କିଛି ଉତ୍ତର ନାହିଁ।

ସମ୍ବନ୍ଧିତ ଖବର