କ୍ୟାମ୍ପସ୍‌ ସାରା ଚୋରା ତାର, ଅନ୍ଧାରରେ ପ୍ରଫେସର

ମାଟି ତଳେ, ଗଛ ଡାଳରେ ଯାଇଛି କେବୁଲ୍‌, ବିଶ୍ବବିଦ୍ୟାଳୟ ଉପରେ ପଡ଼ୁଛି ଆର୍ଥିକ ବୋଝ

ଭୁବନେଶ୍ବର: କ୍ୟାମ୍ପସ ସାରା ବିଦ୍ୟୁତ୍‌ ଖୁଣ୍ଟ ପଡ଼ିଛି। ତିନିଟି ଫେଜ୍‌ରେ ତାର ଟଣାଯାଇଛି। ବିଜୁଳି ଚୋରି ରୋକିବାକୁ ଟଣା ଯାଇଥିବା ତାରଗୁଡ଼ିକ କେବଲିଂ ହୋଇଛି। ତା’ସ‌ତ୍ତ୍ବେ ମଧ୍ୟ ବିଦ୍ୟୁତ୍‌ ଚୋରିକୁ ରୋକାଯାଇପାରୁ ନାହିଁ। ସିଧାସଳଖ ବିଦ୍ୟୁତ୍‌ ଖୁଣ୍ଟରୁ ହୁକ ପକାଯାଇ ଲୋକଙ୍କ ଘରକୁ କେବୁଲ୍‌ ଟଣାଯାଇଛି। ଖୁଣ୍ଟଠାରୁ ଘରକୁ କେବୁଲ୍‌ଗୁଡ଼ିକ ଏଭଳି ଭାବେ ନିଆଯାଇଛି ଯେ କେହି ତାହାର ଟେର୍‌ ପାଇବେ ନାହିଁ। ଗୋଟିଏ ଗୋଟିଏ ଖୁଣ୍ଟରେ ୧୦ରୁ ଅଧିକ ତାର ଟଣାଯାଇଛି। କେଉଁଠି ଗଛ ଡାଳକୁ ଡାଳ ବନ୍ଧାଯାଇ କେବୁଲ୍‌ ଯାଇ ଲୋକଙ୍କ ଘରକୁ କେବୁଲ୍‌ ଯାଇଛି ତ ଆଉ କେଉଁଠି ମାଟିତଳେ ପୋତା ହୋଇଛି। ୫୦ରୁ ୧୦୦ ମିଟର ପର୍ଯ୍ୟନ୍ତ ତାର ମାଟି ତଳେ ପୋତା ହୋଇ ଯାଇଥିବା ଦେଖିବାକୁ ମିଳୁଛି। ଦିନରାତି ସେମାନଙ୍କ ଘରେ ବିଜୁଳି ଜଳୁଛି। ଏସି ବି ଚାଲୁଛି। ମାତ୍ର ବିଦ୍ୟୁତ୍‌ ବିଲ୍‌ ବାବଦରେ ଟଙ୍କାଟି‌ଏ ଦେବାକୁ ପଡ଼ୁନି। ଦିନ ଦି’ପହରରେ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରୁ ଏଭଳି ଢଙ୍ଗରେ ବିଜୁଳି ଚୋରି ହେଉଥିବା ନଜରକୁ ଆସିଛି।

ବର୍ଷ ବର୍ଷ ଧରି ଏଭଳି ବିଜୁଳି ଚୋରି ହେଉଥିଲେ ମଧ୍ୟ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଫଳରେ ଉତ୍କଳ ବିଶ୍ବବିଦ୍ୟାଳୟରେ ଏବେ ବିଜୁଳି ସଙ୍କଟ ଦେଖାଦେଇଛି। କ୍ୟାମ୍ପସକୁ ଘେରି ରହିଥିବା ବସ୍ତିବାସିନ୍ଦା ବେଆଇନ ଭାବେ ବିଜୁଳି ସଂଯୋଗ ନେଉଥିବାରୁ କ୍ୟାମ୍ପସ ପରିସରରେ ରହୁଥିବା ପ୍ରଫେସର ଓ କର୍ମଚାରୀମାନଙ୍କୁ ହଇରାଣ ହେବାକୁ ପଡ଼ୁଛି। ବିଜୁଳି ଭିତ୍ତିଭୂମିଠାରୁ ଅଧିକ ବ୍ୟବହାର ହେଉଥିବାରୁ ଖରା ୪ ମାସରେ ଅଧିକାଂଶ ଦିନ ପ୍ରଫେସରମାନଙ୍କୁ ଲୋ-ଭୋଲଟେଜ୍‌ର ସମ୍ମୁଖୀନ ହେବାକୁ ପଡ଼ିଥିଲା। ବର୍ଷାଦିନ ହୋଇଥିବାରୁ ଏବେ ସ୍ଥିତିରେ କିଛିଟା ସୁଧାର ଆସିଛି। ମାତ୍ର ବସ୍ତିବାସିନ୍ଦାଙ୍କ ଘରକୁ ପୂର୍ବଭଳି ଚୋରା ବିଜୁଳି ସଂଯୋଗ ଜାରି ରହିଛି। ଏମିତିକି ଟ୍ରାନ୍ସଫର୍ମରଠାରୁ ପାଖାପାଖି ୩୦୦ ମିଟରର କେବୁଲ୍‌ ବିଛାଯାଇ ଲୋକେ ଚୋରାରେ ବିଜୁଳି ସଂଯୋଗ ନେଇଛନ୍ତି।

କେବଳ ଯେ କ୍ୟାମ୍ପସରେ ବିଜୁଳି ସଙ୍କଟ ହେଉଛି ତାହା ନୁହେଁ, ବରଂ ଆର୍ଥିକ ବୋଝ ବଢ଼ିବାରେ ଲାଗିଛି। ସମ୍ପୂର୍ଣ୍ଣ କ୍ୟାମ୍ପସକୁ ବିଜୁଳି ସଂଯୋଗ ପାଇଁ ୭ଟି ଟ୍ରାନ୍ସଫର୍ମର ରହିଛି, ଯେଉଁଥିରୁ ସମସ୍ତ ବିଭାଗ ସହ ଛାତ୍ରାବାସ, ଛାତ୍ରୀନିବାସ, ପ୍ରଫେସରଙ୍କ ଆବାସିକ ଅଞ୍ଚଳ, କର୍ମଚାରୀ ରହୁଥିବା କଲୋନି, ଗେଷ୍ଟ ହାଉସ୍‌, କ୍ୟାଣ୍ଟିନ୍‌କୁ ବିଜୁଳି ସଂଯୋଗ ହୋଇଛି। ପ୍ରଶାସନିକ ଭବନ, ପୁରାତନ ପ୍ରଶାସନିକ କୋଠା, ପରୀକ୍ଷା ନିୟନ୍ତ୍ରକଙ୍କ କାର୍ଯ୍ୟାଳୟ, ପିଜି କାଉନସିଲ୍‌ଙ୍କ କାର୍ଯ୍ୟାଳୟକୁ ବିଦ୍ୟୁତ୍‌ ସରବରାହ ହେଉଛି। ଆବାସିକ ଗୃହଗୁଡ଼ିକୁ ଦିଆଯାଇଥିବା ବିଦ୍ୟୁତ୍‌ ସଂଯୋଗ ପାଇଁ ସମ୍ପୃକ୍ତ ଗୃହକର୍ତ୍ତା ବିଲ୍‌ ପଇଠ କରୁଛନ୍ତି। କ୍ୟାମ୍ପସରେ ବ୍ୟବହୃତ ହେଉଥିବା ବିଜୁଳି ବାବଦରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବରୁ ମାସିକ ବିଲ୍‌ ଯେତିକି ଦେଉଥିଲେ ତାହା ବୃଦ୍ଧି ପାଇଛି। ଏବେ ମାସକୁ ପ୍ରାୟ ୩୦ରୁ ୩୫ ଲକ୍ଷ ଟଙ୍କାର ବିଦ୍ୟୁତ୍‌ ବିଲ୍‌ ଆସୁଥିବାରୁ ଚାପ ପଡ଼ୁଛି।

ବିଜୁଳି ଚୋରି ସମ୍ପର୍କରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଅବଗତ ରହିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇପାରୁ ନାହାନ୍ତି। ବିଜୁଳି ଚୋରି ହେଉଥିବା ବାବଦରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଇତିମଧ୍ୟରେ ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ ସେମାନେ ମୁଣ୍ଡ ପୂରାଇବାକୁ ସିଧାସଳଖ ମନା କରି ଦେଇଛନ୍ତି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବାଧ୍ୟ ହୋଇ ବାରମ୍ବାର ଲୋକଙ୍କ ଚୋରା କେବୁଲ୍‌କୁ କାଟୁଥିଲେ ମଧ୍ୟ କିଛି ସୁଫଳ ମିଳିପାରୁ ନାହିଁ। ଦିନେ ଦୁଇ ଦିନ ପରେ ପୁଣିଥରେ ଚୋରା କେବୁଲ୍‌ ପକାଇ ବିଜୁଳି ସଂଯୋଗ ନେଇଯାଉଛନ୍ତି। ତେଣୁ କାର୍ଯ୍ୟାନୁଷ୍ଠାନର କୌଣସି ସୁଫଳ ଦେଖିବାକୁ ମିଳୁନାହିଁ ବୋଲି ବିଶ୍ବବିଦ୍ୟାଳୟର ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର