ଛୋଟ କାମ

କଥାଟିଏ - ଯାଯାବର

ଜଣେ ବ୍ୟକ୍ତି ଏକ କୁଳୀନ ଓ ପ୍ରତିପତ୍ତିଶାଳୀ ପରିବାରରେ ଜନ୍ମ ନେଇଥିଲେ ବି ଭାଗ୍ୟ ଓ ପରିସ୍ଥିତିର ତାଡ଼ନାରେ ଏମିତି ଦୁଃସ୍ଥିତିରେ ପଡ଼ିଲେ ଯେ ଉପାର୍ଜନ ଲାଗି ରାଜାଙ୍କ ଘୋଡ଼ା ଶାଳରେ କାମ କରିବାକୁ ବାଧୢ ହେଲେ। ଏ କଥା ତାଙ୍କ ପତ୍ନୀ ଓ ପିଲାମାନଙ୍କୁ ବହୁତ ବାଧିଲା।

ଦିନେ ରାଜା ଛଦ୍ମ ବେଶରେ ବାହାରକୁ ବୁଲିବାକୁ ଯାଇଥିଲେ। ଦୈବାତ୍‌ ସେ ସେଇ ବ୍ୟକ୍ତିଙ୍କ ଘର ପାଖରେ ପହଞ୍ଚିଗଲେ। ଘର ଭିତରେ ଚାଲୁଥିବା କଥାବାର୍ତ୍ତା ରାଜାଙ୍କୁ ଶୁଣାଯାଉଥିଲା। ରାଜା ଶୁଣିଲେ ସେଇ ବ୍ୟକ୍ତିଙ୍କ ପୁଅ ମନ ଦୁଃଖରେ କହୁଛି- ବାପା, ତୁମକୁ ଆଉ କିଛି କାମ ମିଳିଲା ନାହିଁ ଯେ ତୁମେ ଶେଷରେ ଏହି କାମ କଲ? ଏବେ ମୋ ସାଙ୍ଗମାନେ ପଚାରିଲେ ମୁଁ କ’ଣ କହିବି?

ବ୍ୟକ୍ତିଜଣକ କହିଲେ- ପୁଅ, କୌଣସି କାମ ଛୋଟ ବା ବଡ଼ ନୁହେଁ। ବଡ଼ କଥା ହେଲା ତୁମେ ଯେଉଁ କାମ କରୁଛ ସେଇ କାମରେ ନିଷ୍ଠା ଶ୍ରଦ୍ଧା ପ୍ରକଟ କରିବା। ମୁଁ ନିଷ୍ଠାପର ଭାବେ କାମ କରୁଥିବାରୁ ମୋତେ କିଛି ଖରାପ ଲାଗୁନାହିଁ। ଆଉ ତୋର ସାଙ୍ଗମାନଙ୍କୁ ଯଦି ମୋ ଚାକିରିର ଦାୟିତ୍ବ ବିଷୟରେ କିଛି କହିବାର ଅଛି ତେବେ କହିବୁ ମୋ ବାପା ହେଉଛନ୍ତି ରାଜାଙ୍କ ରକ୍ଷକ।

ପୁଅ କହିଲା- ୟେ କେମିତି କଥା? ଏହା ତ ସ˚ପୂର୍ଣ୍ଣ ମିଛ।

ସେ ବ୍ୟକ୍ତି କହିଲେ- ନା, ମୁଁ ରାଜାଙ୍କ ଘୋଡ଼ାଶାଳରେ କାମ କଲା ବେଳେ ରାଜାଙ୍କ ଘୋଡ଼ାର ବିଶେଷ ତତ୍ତ୍ବ ନିଏ। କାରଣ ରାଜା ସେଇ ଘୋଡ଼ାରେ ସର୍ବଦା ବସନ୍ତି। ଘୋଡ଼ାର କିଛି ଅସୁବିଧା ହେଲେ ରାଜାଙ୍କର ହିଁ କ୍ଷତି ହେବ। ତେଣୁ ମୋ କାମ ଛୋଟ ହୋଇପାରେ, କିନ୍ତୁ ମୁଁ ବି ରାଜାଙ୍କ ରକ୍ଷାକର୍ତ୍ତାମାନଙ୍କ ଭିତରୁ ଜଣେ।

ରାଜା ଏବେ ବୁଝିପାରିଲେ ଯେ ସେ ବ୍ୟକ୍ତି ସାଧାରଣ ନୁହନ୍ତି। ତେଣୁ ସେ ପର ଦିନ ତାଙ୍କୁ ଏକ ଉପଯୁକ୍ତ ସ୍ଥାନରେ ଚାକିରି ଦେଲେ।

ସମ୍ବନ୍ଧିତ ଖବର