ଯୋଦ୍ଧାଙ୍କ ଅସ୍ତ୍ର ତ୍ୟାଗ

କଥାଟିଏ - ଯାଯାବର

ଯୁଦ୍ଧ ଓ ରକ୍ତପାତ ଦ୍ୱାରା ମୁହ୍ୟମାନ ଜଣେ ଯୋଦ୍ଧା ବିଚାର କଲେ ଯେ ସେ ଆଉ ଯୁଦ୍ଧ କରିବେ ନାହିଁ। ସୁତରା˚, ସେ ନିଜ ଖଡ୍‌ଗକୁ ନଦୀରେ ବିସର୍ଜନ କରି ଜଣେ ସାଧୁଙ୍କ ଶରଣାପନ୍ନ ହେଲେ।

ସାଧୁ ତାଙ୍କ ଠାରୁ ସବୁ ଶୁଣି ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କଲେ। କିନ୍ତୁ ସେଥିଲାଗି ସେ ଏକ ବିଚିତ୍ର ସର୍ତ୍ତ ରଖିଲେ। ସର୍ତ୍ତଟି ଥିଲା ଯୋଦ୍ଧା ଏଣିକି ଆଶ୍ରମର ସୁରକ୍ଷା ଦାୟିତ୍ବରେ ରହିବେ ଏବ˚ ସର୍ବଦା ତାଙ୍କ ପାଖରେ ଖଣ୍ତାଟିଏ ଅସ୍ତ୍ର ଭାବେ ରଖି‌େବ। ଆଶ୍ରମର ଶିଷ୍ୟ ଭାବେ ଏ ଦାୟିତ୍ବ ତାଙ୍କ ଉପରେ ନ୍ୟସ୍ତ କରାଗଲା। ଯୋଦ୍ଧା କିନ୍ତୁ ଖଡ୍‌ଗ ଧରିବାକୁ ରାଜି ନ ଥିଲେ। ଅଥଚ, ସାଧୁ ମଧୢ କିଛି ଶୁଣିଲେ ନାହିଁ।

କିଛି ଦିନ କଟିଗଲା। ଯୋଦ୍ଧା ଏଇ ସମୟରେ ବିଷମ ପରୀକ୍ଷାର ସମ୍ମୁଖୀନ ହେଲେ। ବିଭିନ୍ନ ଜୀବଜନ୍ତୁଙ୍କ ଦାଉରୁ ନିଜକୁ ତଥା ଆଶ୍ରମକୁ ସୁରକ୍ଷା ଦେବାକୁ ସେ ସ୍ବାଭାବିକ ଭାବେ ଅସ୍ତ୍ର ଉତ୍ତୋଳନ କଲେ। କିନ୍ତୁ ସେଇ ମୁହୂର୍ତ୍ତରେ ପୁଣି ନିଜକୁ ସମ୍ବରଣ କରି ବିନା ଅସ୍ତ୍ର ବ୍ୟବହାରରେ କେମିତି ସମସ୍ୟାର ସମାଧାନ ହୋଇପାରିବ ସେ ବାଟକୁ ଖୋଜିଲେ। ଅସ୍ତ୍ରଟିଏ ପାଖରେ ଥାଇ ବି ତାକୁ ବ୍ୟବହାର ନ କରିବାର ସ˚ଯମ ହାସଲରେ ସ˚ପୂର୍ଣ୍ଣ ସମର୍ଥ ହେବା ଲାଗି ତାଙ୍କୁ ଅନେକ କାଳ ଚାଲିଗଲା। କ୍ରମେ ତାଙ୍କ ପାଖରେ ଏକ ଖଡ୍‌ଗ ରହିବା ମଧ୍ୟ ଅର୍ଥହୀନ ହୋଇଗଲା।

ଏବେ ଦିନେ ସାଧୁ ତାଙ୍କୁ ଡକାଇ କହିଲେ- ତୁମେ ଯେତେବେଳେ ଶିଷ୍ୟତ୍ବ ନେବାକୁ ଆସିଥିଲ, ସେତିକି ବେଳେ ତୁମ ହୃଦୟରେ ମାତ୍ର ଆ˚ଶିକ ପରିବର୍ତ୍ତନ ଆସିଥିଲା। ପୂର୍ଣ୍ଣ ସ˚ଯମ ଆସି ନ ଥିଲା। ଏବେ ତାହା ଆସିଛି। ଏବେ ଆଶ୍ରମର ଦ୍ବାର ନ ଜଗି ଭିତରେ ଆମ ସହିତ ସାମିଲ ହୁଅ।

ସମ୍ବନ୍ଧିତ ଖବର