ଓଡ଼ିଆ ଭାଷାରେ ‘ପାଣ୍ତୋଇ’ର ପ୍ରବେଶ

ବାବାଜୀଚରଣ ପଟ୍ଟନାୟକ

‘ପାଣ୍ତୋଇ’ ଅଥବା ‘ପାଣ୍ଢୋଇ’ ଶବ୍ଦକୁ ଓଡ଼ିଶାର ଝିଅ-ବୋହୂମାନେ ‘ମାଣବସା’ ବହିରେ ପଢ଼ି ଜାଣିଛନ୍ତି। ତା’ର ଅର୍ଥ ବି ଜାଣନ୍ତି। ଚମଡ଼ାରେ ତିଆରି ଜୋତା। ଲକ୍ଷ୍ମୀ ବ୍ରତଧାରିଣୀଙ୍କ ପ୍ରସାଦରୁ ଏ ଶବ୍ଦ ଓଡ଼ିଶାର ଜନଜୀବନରେ କେବେ ଠୁଁ ଜାଣି ରହିଛି ତାହା ଜାଣିବା କି ଜଣେଇବା ସହଜ ଲାଗୁନାହିଁ। କିନ୍ତୁ, ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ୨୦୧୮ରେ ପ୍ରକାଶିତ ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ର (ତିନିଜଣ ପରିଚିତ ଓଡ଼ିଆଙ୍କ ଦ୍ବାରା ସମ୍ପାଦିତ) ଅବତରଣିକାରେ ଲେଖାଯାଇଛି ଯେ ‘ପାଣ୍ତୋଇ’ ଶବ୍ଦ ଊନବି˚ଶ ଶତାବ୍ଦୀରେ ଓଡ଼ିଆ ଶବ୍ଦ ଭଣ୍ତାରକୁ ଆସିଛି। ଅଥଚ ଷୋଡ଼ଶ ଶତାବ୍ଦୀର କବି ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ରେ ଏ ଶବ୍ଦ ବ୍ୟବହୃତ। ଯେପରି- ‘ଭାରିଯା ବୋଲିଣ ପାଦର ଯେ ପାଣ୍ତୋଇ/ଭାଇ ଥିଲେ ଭାରିଯା କୋଟିଏ ବିଭା ହୋଇ।’ ୯୧ (ପୃ-୭୭)। ସ˚ପାଦନାକାରୀ ତ୍ରୟ ‘ପାଣ୍ତୋଇ’ ଭଳି କେତେକ ଶବ୍ଦ ପୋଥି ଉତାରିଥିବା ବ୍ୟକ୍ତିମାନଙ୍କ ଦ୍ବାରା ‘ଲକ୍ଷ୍ମୀପୁରାଣ’ରେ ପଶିଛି ବୋଲି ଅନୁମାନ କରିଛନ୍ତି। ଉପଲବ୍‌ଧ ପୋଥିଗୁଡ଼ିକ ଆଧାରରେ ସମ୍ପାଦନା କରିବା ବେଳେ ସେମାନେ ସେ ଶବ୍ଦକୁ ସ୍ଥାନଚ୍ୟୁତ କରି ପାରିନାହାନ୍ତି। ଡକ୍ଟର କୁଞ୍ଜବିହାରୀ ତ୍ରିପାଠୀ ଲେଖିଛନ୍ତିି- ‘‘ଭକ୍ତକବି ଜଗନ୍ନାଥ ଦାସ ଓଡ଼ିଆ ଭାଗବତର ଲେଖକ ଭାବରେ ଓଡ଼ିଶାରେ ଏବ˚ ଓଡ଼ିଶା ବାହାରେ ଥିବା ଓଡ଼ିଆଭାଷୀ ଲୋକମାନଙ୍କ ଉପରେ ଯେଉଁ ପ୍ରଭାବ ପକାଇ ଅଛନ୍ତି ତାହା ଅସାଧାରଣ। ତାଙ୍କର ସମୟ ପ୍ରାୟ ୧୫ଶ ଖ୍ରୀଷ୍ଟାବ୍ଦର ଶେଷ ପାଦ ଓ ୧୬ଶ ଶତାବ୍ଦୀର ପ୍ରଥମାର୍ଦ୍ଧ।’’ (ଓଡ଼ିଆ ଭାଷାତତ୍ତ୍ବ ଓ ଲିପିର ବିକାଶ) ରାଜକିଶୋର ଦାସଙ୍କ ସଂକଳିତ ଜଗନ୍ନାଥ ଦାସଙ୍କ ଭାଗବତ ଦଶମ ସ୍କନ୍ଧର ପ୍ରଥମ ୨୦ଟି ଅଧୢାୟରୁ ସେ ଯେଉଁ କେତୋଟି ପ୍ରଣିଧାନଯୋଗ୍ୟ ଶବ୍ଦ ଅବତାରଣା କରିଅଛନ୍ତି, ତହିଁରେ ‘ପାଣ୍ତୋଇ’ (ଜୋତା) ଶବ୍ଦ ରହିଛି। ରାଜକିଶୋରଙ୍କ ସ˚କଳିତ ଭାଗବତ ଦଶମ ସ୍କନ୍ଧ ଦ୍ବାଦଶ ଅଧୢାୟରେ ରହିଛି- ‘‘ପାଣ୍ତୋଇ କଠୋଉ ମସୁଣି/ ଆଣ ତୁ ଦୁଧର ଦୁହୁଁଣୀ।’’ ପଣ୍ତିତ ଗୋପୀନାଥ ନନ୍ଦ ‘ଶବ୍ଦତତ୍ତ୍ବବୋଧ ଅଭିଧାନ’ରେ ଲେଖିଛନ୍ତି- ‘‘ପାଣ୍ଢୋଇ, ବି. (ପନଦ୍ଧ୍ରୀ ଶବ୍ଦଜ) ପାଦରକ୍ଷକ, ଜୋତା। ଯଥା- ପାଣ୍ଢୋଇ କଠାଉ ମସୁଣି,/ ଆଣ ତ ଦୁଧର ଦୁହୁଣି। ଭା.ଦ.ସ୍କ।’’ ଭା.ଦ.ସ୍କ.ର ପୂର୍ଣ୍ଣ ରୂପ ହେଉଛି ଭାଗବତ ଦଶମ ସ୍କନ୍ଦ।

ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ମୁଖ୍ୟ ସ˚ଗ୍ରାହକତ୍ବ, ସ˚ପାଦନାରେ ସ˚କଳିତ ଓ ପ୍ରକାଶିତ ‘ସାରଳା ମହାଭାରତ’ ବନ ପର୍ବରେ ‘ପାଣ୍ତୋଇ’ର ବ୍ୟବହାର ଦେଖାଯାଏ। ପ୍ରସଙ୍ଗ- ମକର ସ୍ନାନରେ କିଭଳି ପୁଣ୍ୟ ମିଳେ। କାହାଣୀଟି ଏହିପରି; ପଶ୍ଚିମ ଦେଶରେ କାଣନ୍ତେକ ନଗରୀ ଅବସ୍ଥିତ। ସେଠି ରାଜା ଥାନ୍ତି କର୍ଣ୍ଣକେଶରୀ। ସେହି ନଗରୀରେ ଅମ୍ବିକା ନାମରେ ଜଣେ ଦଳିତ ଜାତିର ବ୍ୟକ୍ତି ଥିଲା। ଶବ ସତ୍କାର ହେବାକୁ କେହି ମଶାଣିକୁ ଆସିଲେ ସେ ତାଙ୍କ ଦେହରେ ଥିବା ବସ୍ତ୍ର କଢ଼ା ଯିବା ପରେ ନେଇଯାଏ। ପୂର୍ବ ଜନ୍ମର ଦୁଷ୍କୃତି ହେତୁ ଏ ଜନ୍ମରେ ଏଭଳି ଦଶା ଭୋଗ କରେ ବୋଲି ତା’ର ଅନୁଭବରେ ଆସେ। ପୂର୍ବର କର୍ମଫଳ ଆଉ ଯେପରି ଭୋଗିବ ନାହିଁ- ଏଥି ପାଇଁ ସେ ନିଜ ବାଡ଼ିରେ ଗାତ ଖୋଳି, ଝରିଥିବା ପାଣିରେ ମକର ସ୍ନାନ କରେ। ମକର ମାସ ଅମାବାସ୍ୟାରେ ସେ ଦାଣ୍ତରେ ମେଞ୍ଜନ (ବ୍ୟଞ୍ଜନ) ପ୍ରସ୍ତୁତ କରିବା ପାଇଁ ଶ୍ମଶାନରେ ପଡ଼ିଥିବା ମଣିଷର ତିନିଟା ମୁଣ୍ତକୁ ପଖା କରି ଗୋଟିଏ ଚୁଲି ନିର୍ମାଣ କଲା। ଗୋଟିଏ କୁକୁର ମାରି ତା’ର ମା˚ସ କେଳାଇଲା। ଗଧ ମୁଣ୍ତରେ ସେ ମା˚ସ ଭରିଲା। ତହିଁରେ ମଦ ଫୁଟାୟେ ପକାଇଲା। ତା’ଉପରେ ଗୋରୁ ଚର୍ମରେ ନିର୍ମିତ ପାଣ୍ତୋଇ ଘୋଡ଼ାଇଲା। ପଡ଼ିଥିବା ଅଇଁଠା ପତ୍ର ଜାଳି ମା˚ସ ସିଝାଇଲା। କବିଙ୍କ ଭାଷାରେ- ‘ତହି˚ ଘୋଡ଼ାଇ ଅଛଇ ଗୋ ଚର୍ମ ପାଣ୍ତୋଇ ଖଣ୍ତେ/ କଣ୍ତୁ ମହଋଷି ଯେ ରହିଲେ ତହି˚ ଦଣ୍ତେ।’’ (ବନପର୍ବ- ୨ୟ ଖଣ୍ତ- ପୃ-୧୪୩) କଣ୍ତୁ ଅମ୍ବିକାକୁ କହିଲେ; ଏମିତିକା କାମ ସେ କାହିଁ କୋଉଠି ଆଗରୁ ତ ଦେଖି ନ ଥିଲେ। ଅମ୍ବିକା ବୁଝାଇ ଦେଲା, ପାଣ୍ତୋଇକୁ ତେଲାଉଣି କରି ସେ ଘୋଡ଼ାଇଛି ଏଇଥି ପାଇଁ ଯେ, କାଳେ ମକର ସ୍ନାନ ନ କରିଥିବା କୌଣସି ମଣିଷର ପାଦ ଧୂଳି ଉଡ଼ିଆସି ରନ୍ଧା ପଦାର୍ଥରେ ପଡ଼ିଯିବ। ଫଳତଃ ଅମ୍ବିକା ଯମ ଦରବାରରେ ନିଜ କର୍ମ ପାଇଁ ପୁନଃ ଜନ୍ମରୁ ମୁକ୍ତି ପାଇଛି। (ତେଲାଉଣିର ଅର୍ଥ ପଲମ ବା ରନ୍ଧନ ହୋଇଥିବା ପାତ୍ର ଉପରେ ଦିଆଯାଉଥିବା ଘୋଡ଼ଣୀ)।

ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଜଗନ୍ନାଥ ଦାସଙ୍କ ଭାଗବତ ନୀଳମଣି ମିଶ୍ରଙ୍କ ସ˚ପାଦନାରେ ପ୍ରକାଶିତ। ଦଶମ ସ୍କନ୍ଧ (ଗୋପଲୀଳା) ଶୁଦ୍ଧ ସ˚ସ୍କରଣ ଅର୍ଥ ଦୀପିକା ସହ ପ୍ରଥମେ ପ୍ରକାଶ ପାଇଛି ୧୯୯୪ରେ। ଏଥିରେ ‘ପାଣ୍ତୋଇ’ ଶବ୍ଦ ବ୍ୟବହୃତ ପଦଟି ଏହିପରି- ‘ପାଣ୍ତୋଇ କଠାଉ ମସୁଣି/ଆଣ ତୁ ଦୁଧର ଦୁହୁଁଣୀ।’ ‘ଅର୍ଥ ଦୀପିକା’ ଗ୍ରନ୍ଥ ପଛରେ ସ˚ଯୋଜିତ। ‘ପାଣ୍ତୋଇ’ର ଅର୍ଥ ଲେଖାଯାଇଛି ‘ଜୋତା’, ‘କଠଉ’, ‘ଚର୍ମ ପାଦୁକା’। ତେଣୁ, ସାହିତ୍ୟ ଏକାଡେମୀ ତରଫରୁ ପ୍ରକାଶିତ ‘ଲକ୍ଷ୍ମୀପୁରାଣ’ର ‘ଅବତରଣିକା’ରେ ସମ୍ପାଦନାକାରୀ ଏ ‘ପାଣ୍ତୋଇ’ ଶବ୍ଦ ‘ଊନବି˚ଶ ଶତାବ୍ଦୀରେ ଓଡ଼ିଆ ଶବ୍ଦ ଭଣ୍ତାରକୁ ଆସିଛି’ ବୋଲି ଲେଖିବା ଆଦୌ ଯଥାର୍ଥ ମନେ ହୁଏ ନାହିଁ। ଓଡ଼ିଆ ଭାଷାରେ ଆଦିକବି ରୂପେ ସମ୍ବୋଧିତ ସାରଳା ଦାସ (ତାଙ୍କ ମହାଭାରତ ଭଣିତାରେ ସାରୋଳ ଦାସ/ସାରୋଳା ଦାସ) ତାଙ୍କ ମହାଭାରତରେ ‘ପାଣ୍ତୋଇ’ ଶବ୍ଦ ବ୍ୟବହାର କରିଥିବା ଅନ୍ତତଃ ସ˚ପାଦନା ଦୃଷ୍ଟିରୁ ଉପଲବ୍‌ଧ ହେଉଥିବାରୁ, ତହିଁର ଓଡ଼ିଶାରେ ବ୍ୟବହାର ପ୍ରାଚୀନ ବୋଲି ଜଣାଯାଏ। ଗବେଷକମାନେ ଓଡ଼ିଆ ଭାଷାର ଆଦିକବି ସାରୋଳ ଦାସଙ୍କୁ ସୂର୍ଯ୍ୟବ˚ଶୀ ରାଜା କପିଳେନ୍ଦ୍ର ଦେବଙ୍କ ସମକାଳୀନ ବା ପଞ୍ଚଦଶ ଶତାବ୍ଦୀର ବୋଲି ଦର୍ଶାଇ ଅଛନ୍ତି। ନୀଳମଣି ମିଶ୍ରଙ୍କ ଦ୍ବାରା ସ˚ପାଦିତ ‘ଶ୍ରୀମଦ୍‌ ଭାଗବତ’ (ଜଗନ୍ନାଥ ଦାସକୃତ) ପ୍ରଥମ-ଦ୍ବିତୀୟ ସ୍କନ୍ଧ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ପ୍ରଥମେ ୧୯୮୯ରେ ପ୍ରକାଶ ପାଇଥିଲା। ‘ସନ୍ଥକବି ଜଗନ୍ନାଥ ଦାସ ଓ ତାଙ୍କର ଭାଗବତ’- ଏଇ ଶୀର୍ଷକରେ ତତ୍କାଳୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ଲେଖା ତହିଁରେ ପ୍ରକାଶିତ। ଆଦିକବି ସାରଳା ଦାସ ଓ ସନ୍ଥକବି ଜଗନ୍ନାଥ ଦାସଙ୍କ ଓଡ଼ିଆ ସାହିତ୍ୟକୁ ସେ ଏହିପରି ବର୍ଣ୍ଣନା କରିଛନ୍ତି।

ଆଦିକବିଙ୍କ ସାହିତ୍ୟ ‘‘ଯେପରି ବର୍ଷାକାଳୀନ ନଦୀ ତାର ପ୍ରଖର ସ୍ରୋତରେ ଥଳକୂଳ ନ ମାନି ବନ୍ୟା ରୂପରେ ବହିଯାଉଚି। ଜଗନ୍ନାଥ ଦାସଙ୍କ ଭାଗବତରେ ତାହା ହେଲା ଏକ ନିର୍ମଳ ଶାରଦୀୟ କୁଳୁନାଦିନୀ ସ୍ରୋତସ୍ବିନୀ।’’ ପ୍ରଖର ସ୍ରୋତ ହେଉ କି କୁଳୁନାଦିନୀ ଅଳସ ସ୍ରୋତ- ଏଥିର ଊର୍ମିମାଳିକାରେ ନାଚି ନାଚି ଆସିଛି ‘ପାଣ୍ତୋଇ’ ଅଥବା ‘ପାଣ୍ଢୋଇ’ ଶବ୍ଦ। ତହିଁର ଓଡ଼ିଆ ଭାଷାରେ ଅନୁପ୍ରବେଶ ଊନବି˚ଶ ଶତାବ୍ଦୀରେ ହୋଇଛି ବୋଲି ଭାବିବା କଳ୍ପନା ମାତ୍ର।

ବି-୪୯, ସେକ୍ଟର-୮
ସିଡିଏ, କଟକ-୧୪
ମୋ-୯୪୩୭୩୧୯୯୧୪

ସମ୍ବନ୍ଧିତ ଖବର