ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ ଜୁବୁଲି

ଦେବୀ ପ୍ରସନ୍ନ ପଟ୍ଟନାୟକ

ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ ଜୁବୁଲି ସମାରୋହ ସମାପ୍ତ ହୋଇଯାଇଛି। ଏ ପରିପ୍ରେକ୍ଷୀରେ ୨୪ ତାରିଖ ‘ସମ୍ବାଦ’ରେ ‘ଆମ ଘରର ହାଲଚାଲ’ରେ ସୌମ୍ୟରଞ୍ଜନ ପଟ୍ଟନାୟକ ଲେଖିଛନ୍ତି, ‘‘ଗୋଟିଏ ଶିକ୍ଷାନୁଷ୍ଠାନର ଶ୍ରେଷ୍ଠ ସମ୍ପଦ ହେଲା ତାହାର ପୁରାତନ ସଫଳ ଛାତ୍ରଛାତ୍ରୀମାନେ। ବିଦେଶର ବିଖ୍ୟାତ ବିଶ୍ବବିଦ୍ୟାଳୟ ଗୁଡ଼ିକ ସେମାନଙ୍କର ପୁରାତନ ଛାତ୍ରଛାତ୍ରୀମାନଙ୍କର ପ୍ରତିଦାନ ଓ ପୃଷ୍ଠପୋଷକତାରେ ଗଢ଼ି ଉଠିଛନ୍ତି’’। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ‘‘ମାତ୍ର ୨୩ ଦିନ ମଧୢରେ ପୁରାତନ ଛାତ୍ରଛାତ୍ରୀଙ୍କୁ ଏକାଠି କରି ପ୍ଲାଟିନମ ଜୁବୁଲି ଉତ୍ସବକୁ ସଫଳ କରିବା ବହୁତ କଷ୍ଟକର ଥିଲା’’। ମୋତେ ସବୁଠୁ ଆଶ୍ଚର୍ଯ୍ୟ ଲାଗିଲା ଯେ ମଞ୍ଚ ଉପରେ ବସିଥିବା ଲୋକଙ୍କ ଭିତରେ ସମସ୍ତେ ଆପଣା ପଦପଦବି ଯୋଗୁଁ ବସିଥିଲେ। କିନ୍ତୁ କେହି ଜଣେ ପୁରାତନ ଛାତ୍ରମାନଙ୍କର ପ୍ରତିନିଧି ଭାବରେ ନ ଥିଲେ। ଏମିତିକି ବିଜୟ ପଟ୍ଟନାୟକ, ଯାହାଙ୍କ ନାଁ ଖବରକାଗଜରେ ଆବାହକ ରୂପେ ପ୍ରକାଶିତ ହୋଇଥିଲା, ସେ ବି ନ ଥିଲେ।

ଅନୁବନ୍ଧିତ କଲେଜ ଛାତ୍ରମାନଙ୍କୁ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରାକ୍ତନ ଛାତ୍ର ହିସାବରେ ଗଣା ହେଉଛି କି ନାହିଁ, ସେ ବିଷୟରେ ସନ୍ଦେହ ହେବାର କାରଣ ଅଛି। ଉତ୍କଳ ବିଶ୍ବବିଦ୍ୟାଳୟ ସାଙ୍ଗରେ ରେଭେନ୍‌ସା ସ୍ବତନ୍ତ୍ର ବିଶ୍ବବିଦ୍ୟାଳୟ ହେବା ଯାଏ ଅନୁବନ୍ଧିତ ଥିଲା। ମୁଁ ଉତ୍କଳ ଖ୍ରୀଷ୍ଟିଆନ କଲେଜରୁ ବି.ଏ ଅନର୍ସ ଓ ରେଭେନ୍‌ସାରୁ ଏମ.ଏ କରି ଉଭୟରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଡିଗ୍ରି ଓ ସ୍ବର୍ଣ୍ଣପଦକ ପାଇଥିଲି। ଚାରିପାଞ୍ଚ ଦିନ ଆଗେ ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ସାଙ୍ଗରେ ଦେଖା ହୋଇଥିଲା। ସିଏ ମତେ ପଚାରିଲେ, ‘ଆପଣ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରାକ୍ତନ ଛାତ୍ର?’ ମୁଁ ହଁ କଲାରୁ ସିଏ କହିଲେ, ‘ତାହା ହେଲେ ଆପଣ ପ୍ଲାଟିନମ ଜୁବୁଲିରେ ନିମନ୍ତ୍ରଣ ପାଇବେ।’ କିନ୍ତୁ ମୁଁ ପାଇଲି ନାହିଁ।

ବାକି କଥା ହେଲା ମୁଁ ସଫଳ ପୁରାତନ ଛାତ୍ର କି ନୁହେଁ। ଓଡ଼ିଶାରେ ଅନ୍ତତଃ ବୁଦ୍ଧିଜୀବୀମାନେ ମୋ ସମ୍ପର୍କରେ କିଛି ଜାଣିଥିବେ ବୋଲି ଆଶା କରିବା କ’ଣ ବିଡ଼ମ୍ବନା? ଭାରତରେ ଯେଉଁ ଦୁଇ ଜଣ ଭାରତରତ୍ନ ପାଇଲେ ମୋ ସାଙ୍ଗରେ ସେମାନେ କିମ୍ବା ସେମାନଙ୍କ ସାଙ୍ଗରେ ମୁଁ କାମ କରିଛି। ଆସାମ ସାହିତ୍ୟ ସଭା ଗୋଟିଏ ଉତ୍ସବରେ ମତେ ଏବ˚ ଭୂପେନ ହଜାରିକାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପଶ୍ଚିମବଙ୍ଗ ନିରକ୍ଷରତା ଦୂରୀକରଣ ସମିତିରେ ମୁଁ ଉପସଭାପତି ଓ ପ୍ରଣବ ବାବୁ ସମ୍ପାଦକ ଭାବରେ ତିନିବର୍ଷ କାର୍ଯ୍ୟ କରିଥିଲୁ। ପ୍ରଣବ ବାବୁ ରାଷ୍ଟ୍ରପତି ଭବନରେ ଦୁଇ ଖଣ୍ତରେ ପ୍ରକାଶିତ ମୋର ଇ˚ରେଜୀରେ ଲେଖା ଲେଖନ ସମଗ୍ରକୁ ଲୋକାର୍ପଣ କରିଥିଲେ। ଦେଶ ବିଦେଶରେ ମୁଁ ଯେତେ ସମ୍ମାନ ପାଇଛି, ସେ ସବୁର ତାଲିକା କଲେ ଗୋଟିଏ ଛୋଟ ବହି ହେବ। ଓଡ଼ିଶା ପାଇଁ ଏବ˚ ଓଡ଼ିଶାରେ ମୁଁ ଯେତେ କାମ କରିଛି, ତା ପାଇଁ ସରକାରୀ କିମ୍ବା ବେସରକାରୀ କୌଣସି ସୂତ୍ରରୁ ମୁଁ ସ୍ବୀକୃତି ପାଇନାହିଁ। ଅନେକେ ମନେ କରନ୍ତି ଏବ˚ କେହି କେହି ମତେ ପଚାରିଛନ୍ତି ଯେ ପଦ୍ମଶ୍ରୀ ପାଇଁ ମୋ ନାଁ ପଠେଇବା ଓଡ଼ିଶା ସରକାରଙ୍କର ମୋ କାମର ସ୍ବୀକୃତି ନୁହେଁ କି? ମୋ ଉତ୍ତର ନାଁ। ମୋ ନାଁ ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିଲା। ସାର୍ଟିଫିକେଟରେ, ‘‘ବ୍ୟକ୍ତିଗତ ଗୁଣୋ କେ ଲିୟେ ଆପକେ ସମ୍ମାନାର୍ଥେ ପଦ୍ମଶ୍ରୀ ପ୍ରଦାନ କରତା ହୁଁ’’, ରାଷ୍ଟ୍ରପତିଙ୍କ ଦ୍ବାରା ଲେଖା ହୋଇଥିଲା। ବର୍ତ୍ତମାନ ମୁଁ ଆନ୍ଧ୍ରପ୍ରଦେଶର ଗୋଟିଏ ବିଶ୍ବବିଦ୍ୟାଳୟର କୁଳାଧିପତି (ଚାନ୍‌ସେଲର‌୍‌)। ମୁଁ ଆଶା କରୁଛି ଯେ ମୁଁ ଉତ୍କଳ ବିଶ୍ବବିଦ୍ୟାଳୟର ଜଣେ ସଫଳ ଛାତ୍ର ଏବ˚ ନିମନ୍ତ୍ରଣ ପାଇବାର ଯୋଗ୍ୟ ଏ ବିଷୟରେ ଯଥେଷ୍ଟ ସୂଚନା ଦେଇଛି।

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଏହାର ପ୍ରସ୍ତୁତି ମାତ୍ର ୨୩ ଦିନ ଆଗରୁ ଆରମ୍ଭ କରାଗଲା କାହିଁକି? ପ୍ରତ୍ୟେକ ଅନୁବନ୍ଧିତ କଲେଜକୁ ତାଙ୍କ ସଫଳ ଛାତ୍ରଙ୍କ ତାଲିକା ମାଗିଥିଲେ କାମ ଅନେକ ସୁରୁଖୁରୁରେ ଚାଲିଥାନ୍ତା। ଉତ୍କଳ ବିଶ୍ବବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଦେଶ ବିଦେଶରେ ନାଁ କରିଛନ୍ତି। ଅନ୍ତତଃ ସେମାନଙ୍କୁ ଖଣ୍ତିଏ ଲେଖା ନିମନ୍ତ୍ରଣ ମିଳିଥିଲେ ସେମାନେ କୃତଜ୍ଞ ହୋଇଥାନ୍ତେ।

ଭକ୍ତମଧୁ କଲୋନି, ଲେନ୍-୪
ଗଣ୍ଡମୁଣ୍ଡା, ଭୁବନେଶ୍ବର
ମୋ: ୯୪୩୮୩୧୮୮୮୦

ସମ୍ବନ୍ଧିତ ଖବର