ଡାକ୍ତର ଦିବସ: ମାଗଣା ରୋଗୀସେବାରେ ଗୀତା-ସଞ୍ଜୀବ

ବିପଦରେ ପଡ଼ିଲେ ଆମେ ଭଗବାନଙ୍କୁ ଡାକୁ-‘ହେ ପ୍ରଭୁ, ରକ୍ଷା କର’। ସେହିଭଳି ଜୀବନମରଣ ଭିତରେ ସଂଘର୍ଷ କରୁଥିବା ରୋଗୀ ପାଇଁ ଆମେ ଡାକ୍ତରଙ୍କୁ ନେହୁରା ହେଉ। ସେ ହିଁ ପାଲଟନ୍ତି ଆ‌ମ ଶେଷ ଆଶା ଓ ଭରସା। ଏଣୁ ଆମେ ଡାକ୍ତରଙ୍କୁ ‘ଦ୍ବିତୀୟ ଈଶ୍ବର’ ଭାବେ ଅଭିହିତ କରିଥାଉ। କିନ୍ତୁ ଅଭିଯୋଗ ହୁଏ, ଅନେକ ଡାକ୍ତର ଦ୍ବିତୀୟ ଈଶ୍ବର ହୋଇ ରହିନାହାନ୍ତି। ଅର୍ଥ ଲାଳସାର କବଳିତ ହୋଇ ମାନବିକତା ହରାଉଛନ୍ତି। ରୋଗୀ ନୁହେଁ, ରୋଜଗାରକୁ ଗୁରୁତ୍ବ ଦେଉଛନ୍ତି। କିନ୍ତୁ ପାଞ୍ଚ ଆଙ୍ଗୁଠି ସମାନ ନୁହେଁ। ଏମିତି ବି ଡାକ୍ତର ଅଛନ୍ତି, ଯେଉଁମାନେ ନିଜ ଖର୍ଚ୍ଚରେ କ୍ଲିନିକ୍‌ ଖୋଲି ମାଗଣା ଚିକିତ୍ସା ଯୋଗାଇ ଦେଉଛନ୍ତି। ରୋଗୀସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଛନ୍ତି। ଏହି କ୍ରମରେ ଆସନ୍ତି ସମ୍ବଲପୁରର ଡାକ୍ତର ଦମ୍ପତି ‘ସଞ୍ଜୀବ ଓ ଗୀତା’।

ଡାକ୍ତର ସଞ୍ଜୀବ କୁମାର ମିଶ୍ର ବୁର୍ଲା ଭିମ୍‌ସାର୍‌ରୁ ଏମ୍‌ବିବିଏସ୍‌ ଓ ପିଜି କରି ସେହିଠାରେ ହିଁ କମ୍ୟୁନିଟି ମେଡିସିନ୍‌ ବିଭାଗରେ ଆସିଷ୍ଟାଣ୍ଟ୍‌ ପ୍ରଫେସର ଭାବେ କାର୍ଯ୍ୟରତ। ସେହିଭଳି ତାଙ୍କ ପତ୍ନୀ ଡାକ୍ତର ଗୀତାରାଣୀ ଚୌବେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଏମ୍‌ବିବିଏସ୍‌ କରି ଭିମ୍‌ସାର୍‌ରୁ ‌ଫରେନ୍‌ସିକ୍‌ ମେଡିସିନ୍‌ରେ ପିଜି କରିଛନ୍ତି। ଏବେ ସେ ସରକାରୀ ପୋଷ୍ଟିଂ ଅପେକ୍ଷାରେ ଅଛନ୍ତି। ୧୦ ବର୍ଷ ହେଲା ଉଭୟ ସମ୍ବଲପୁରର ସାକ୍ଷୀପଡ଼ା ଅଞ୍ଚଳରେ ରହିବା ଭିତରେ ସେହି ଅଞ୍ଚଳରେ ରକ୍ତଚାପ, ମଧୁମେହ ଓ ଆଣ୍ଠୁଗଣ୍ଠି ବାତ ରୋଗୀ ଅଧିକ ଥିବା ପର୍ଯ୍ୟବେକ୍ଷଣ କରନ୍ତି। ଏଥିସହ ସ୍ଥାନୀୟ ବାସିନ୍ଦାଙ୍କୁ ନିତିଦିନିଆ ଚିକିତ୍ସା ସୁବିଧା ଯୋଗାଇ ଦେବା ଉଦ୍ଦେଶ୍ୟରେ ନିଜ ଖର୍ଚ୍ଚରେ କ୍ଲିନିକ୍‌ଟିଏ ଖୋଲିବାକୁ ନିଷ୍ପତ୍ତି ନିଅନ୍ତି। ଆଉ ଲୋକଙ୍କୁ ମାଗଣାରେ ଚିକିତ୍ସା ଯୋଗାଇଦେବା ପାଇଁ ମନସ୍ଥିର କରନ୍ତି। ଏହି ଲକ୍ଷ୍ୟରେ ୨୦୨୩ ଜୁଲାଇ ମାସରେ ସାକ୍ଷୀପଡ଼ା ସମଲେଇପଦର ଅଞ୍ଚଳରେ ଆରମ୍ଭ ହୁଏ ‘ଆରୋଗ୍ୟମ୍‌ ସେବାକେନ୍ଦ୍ର’ କ୍ଲିନିକ୍‌।

ଡାକ୍ତର ସଞ୍ଜୀବ କୁମାର ମିଶ୍ର ଏବଂ ତାଙ୍କ ପତ୍ନୀ ଡାକ୍ତର ଗୀତାରାଣୀ ଚୌବେ ଏହି ସଂକଳ୍ପରେ ଅଗ୍ରସର ହୁଅନ୍ତି। ସେବେଠାରୁ ନିକଟସ୍ଥ ବସ୍ତିବାସିନ୍ଦା ଓ ଗ୍ରାମବାସୀଙ୍କୁ ମାଗଣାରେ ଡାକ୍ତରୀ ପରାମର୍ଶ ଯୋଗାଇ ଦେଉଛନ୍ତି। ସୋମବାରଠାରୁ ଶନିବାର ପର୍ଯ୍ୟନ୍ତ ସନ୍ଧ୍ୟା ସାଢ଼େ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏହି କ୍ଲିନିକ୍‌ ଖୋଲା ରହୁଛି। ଏ ନେଇ ଡାକ୍ତର ଗୀତା ଚୌବେ କହନ୍ତି, ‘‘ସାକ୍ଷୀପଡ଼ା ଗ୍ରାମରେ ସବୁବର୍ଗର ଲୋକ ବସବାସ କରୁଥିବା ବେଳେ ବହୁଳାଂଶରେ ଆଦିବାସୀ ବାସିନ୍ଦା ରହିଛନ୍ତି। ଅର୍ଥାଭାବ ଯୋଗୁଁ ସେମାନେ ଉପଯୁକ୍ତ ଚିକିତ୍ସା ସେବ‌ାରୁ ବଞ୍ଚିତ ହେଉଛନ୍ତି। ତେଣୁ ଭିମ୍‌ସାର୍‌ରୁ ଡ୍ୟୁଟି ସାରି ଘରକୁ ଫେରିବା ପରେ ସନ୍ଧ୍ୟାରେ ଆମେ ସ୍ଥାନୀୟ ରୋଗୀଙ୍କୁ ଦେଖୁଛୁ। ଡାକ୍ତରୀ ପରାମର୍ଶ ସହ ରୋଗୀମାନଙ୍କୁ ପ୍ରାଥମିକ ଚିକିତ୍ସା ବିନା ମୂଲ୍ୟରେ ଯୋଗାଇ ଦେବାକୁୁ ଚେଷ୍ଟା କରୁଛୁ। ଭିମ୍‌ସାରରେ କମ୍‌ ସମୟରେ ଅଧିକ ରୋଗୀ ଦେଖିବାକୁ ହୁଏ। ଏହାର ଅସୁବିଧା କ’ଣ ଆମେ ଜାଣିଛୁ। ଏଣୁ ଆମେ ଏହି ଦେଢ଼ଘଣ୍ଟାରେ ୧୫ରୁ ୨୦ ଜଣ ରୋଗୀଙ୍କୁ ଦେଖିବା ସହ ସେମାନଙ୍କ ରୋଗର ଲକ୍ଷଣ ଓ ଏହାର ସମାଧାନ ଉପରେ ଅଧିକ ଗୁରୁତ୍ବ ଦେଉଛୁ। ରକ୍ତଚାପ ମାପିବା, ମଧୁମେହ ଚିହ୍ନଟ ଆଦି ଛୋଟଛୋଟ ସୁବିଧା ବି ଆମେ ଉପଲବ୍ଧ କରାଉଛୁ। ଏଥିସହ ନିତିନିଦିଆ ରୋଗ ଚିକିତ୍ସା ସହ ପ୍ରାୟ ସମୟରେ ଜେନେରିକ୍ ମେଡିସିନ୍‌ ହିଁ ଆମେ ରୋଗୀମାନଙ୍କୁ ଲେଖିଥାଉ।’’

ଏଭଳି ଏକ ପ୍ରଶଂସନୀୟ କାର୍ଯ୍ୟ କରୁଥିବା ଡାକ୍ତର ଗୀତା ଓ ସଞ୍ଜୀବ କହନ୍ତି, ‘‘ଡାକ୍ତର ଭାବେ ଆମକୁ ସରକାର ଯେତିକି ଦରମା ଦେଉଛନ୍ତି, ତାହା ଆମ ପାଇଁ ପର୍ଯ୍ୟାପ୍ତ। ଅଧିକ ଟଙ୍କା ରୋଜଗାର କରି ତ ଆଉ ସୁନାରୁପାକୁ ଖାଇ ହେବ ନାହିଁ। ସେଇ ଭାତଡାଲି ହିଁ ଖାଇବାକୁ ପଡ଼ିବ। ଜଣେ ସଫଳ ମଣିଷ ହିସାବରେ ପରିବାର ପାଇଁ ଟଙ୍କା ରୋଜଗାର କରିବା ଆମ ଦାୟିତ୍ବ, ଆମେ ତାହା ନିର୍ବାହ କରିଛୁ। କିନ୍ତୁ ଡାକ୍ତର ଭାବେ ମାନବସେବା କରିବା ଆମ କର୍ତ୍ତବ୍ୟ। ଏଣୁ ଏହି କର୍ତ୍ତବ୍ୟ ବି ଆମେ ‌ସମ୍ପାଦନ କରିବାକୁ ଚାହିଁଛୁ। କ୍ଲିନିକ୍‌ ପାଇଁ ଆମକୁ ଅଧିକ ଖର୍ଚ୍ଚ ପଡ଼େ ନାହିଁ। ଏଣୁ ରୋଗୀଙ୍କଠାରୁ ଟଙ୍କା ନେବାର ଆବଶ୍ୟକତା ବି ନାହିଁ। ଘର ଭଡ଼ା, ବିଦ୍ୟୁତ୍‌ ବିଲ୍‌ ସହ କିଛି ଔଷଧର ଖର୍ଚ୍ଚ ଆମକୁ ବହନ କରିବାକୁ ପଡ଼େ। ସେଥିପାଇଁ ଭଗବାନ ଆମକୁ ସକ୍ଷମ କରିଛନ୍ତି। ରୋଜଗାର ବି ବିଭିନ୍ନ ଉପାୟରେ ହୋଇପାରିବ, କିନ୍ତୁ ରୋଗୀସେବାରେ ଯେଉଁ ଆତ୍ମସନ୍ତୋଷ ଥାଏ, ତାହା ଦୁର୍ଲଭ।’’

ସଂକ୍ଷେପରେ ଜାତୀୟ ଡାକ୍ତର ଦିବସ
ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଡାକ୍ତର ବିଧାନଚନ୍ଦ୍ର ରାୟଙ୍କ ସ୍ମୃତିରେ ପ୍ରତିବର୍ଷ ଜୁଲାଇ ୧ ତାରିଖକୁ ‘ଜାତୀୟ ଡାକ୍ତର ଦିବସ’ ରୂପେ ପାଳନ କରାଯାଏ। ରୋଗୀସେବାରେ ସମର୍ପିତ ଡାକ୍ତରମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଭାରତରତ୍ନ ଉପାଧିରେ ଭୂଷିତ ଡାକ୍ତର ରାୟଙ୍କ ସ୍ମୃତିରକ୍ଷା ପାଇଁ ୧୯୯୧ରୁ ଏହି ଦିବସ ପାଳିତ ହୋଇଆସୁଛି। ଚିକିତ୍ସା କ୍ଷେତ୍ରକୁ ତାଙ୍କର ଅବଦାନ ଅବିସ୍ମରଣୀୟ। ସେ ବିଭିନ୍ନ ଡାକ୍ତରଖାନା ସମେତ ‘ମେଡିକାଲ୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ’ ଓ ‘ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌’ ଭଳି ସଂସ୍ଥା ସ୍ଥାପନା ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।

ସମ୍ବନ୍ଧିତ ଖବର