୧୭ବର୍ଷ ପରେ ଦୁଇଭାଇଙ୍କ ମିଳନ: ଜଣେ କଏଦୀ ଅନ୍ୟ ଜଣେ ଜେଲ ସିପାହୀ

ନୂଆଦିଲ୍ଲୀ: ଭାଇଭାଇ ଅଲଗା ହେବା ପୁଣି ଭେଟ ହେବାର ଅନେକ କାହାଣୀ ସାମ୍ନାକୁ ଆସିଛି। ଏହି କ୍ରମରେ ଦେଖିବାକୁ ଗଲେ ଗୁଜୁରାଟରେ ୧୭ ବର୍ଷ ପରେ ଦୁଇ ଭାଇଙ୍କ ଭେଟ ହୋଇଥିବାର ଏକ ହୃଦୟସ୍ପର୍ଶୀ ଘଟଣା ଘଟିଛି।

ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଜଣେ ଭାଇ କଏଦୀ ଭାବରେ ଜେଲରେ ଥିବାବେଳେ ଅନ୍ୟ ଭାଇ ଜେଲରେ ସହକାରୀ ଅଧିକାରୀ ଭାବରେ କାର୍ଯ୍ୟ କରୁଥିବା ବେଳେ ଭେଟାଭେଟି ହୋଇଛନ୍ତି।

ବନାସକାଣ୍ଠାର ଦେଓଧର ତହସିଲର ଗୋଲଭି ଗାଁରେ ଘଟିଥିବା ଏହି ଘଟଣା  ଏକ ଚଳଚ୍ଚିତ୍ରର କାହାଣୀ ପରି ମନେହୁଏ, କିନ୍ତୁ ବାସ୍ତବରେ ଏମିତି ଘଟଣା ଘଟିଛି। ଯେତେବେଳେ ଜେଲରେ ସିପାହୀ ଭାବରେ କାମ କରୁଥିବା ଜଣେ ଭାଇ ଅନ୍ୟ ଭାଇକୁ ଖୋଜିବା ଆରମ୍ଭ କଲେ, ସେତେବେଳେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ଭାଇ ଜେଲରେ କଏଦୀ ଭାବେ ବନ୍ଦୀ ଅଛନ୍ତି।

ବନାସକାଣ୍ଠାର ଦେଓଧର ତହସିଲର ଗୋଲଭି ଗ୍ରାମରେ ରହୁଥିବା ଭରତ ଚୌଧୁରୀ ୧୭ ବର୍ଷ ପୂର୍ବେ ୧୫ ବର୍ଷ ବୟସରେ ଘରୁ ଚାଲି ଯାଇଥିଲେ। ପରିବାର ସଦସ୍ୟମାନେ ଭରତଙ୍କୁ ଅନେକ ଖୋଜାଖୋଜି କରିବା ପରେ ନପାଇବାରୁ ହାର ମାନି ରହି ଯାଇଥି‌ଲେ।  ସୁରଟ‌ରେ ଯାଇ ଭରତ ଏକ ହୀରା ଫାର୍ମରେ ଆସିଷ୍ଟାଣ୍ଟ ଭାବରେ କାମ କରିବା ଆରମ୍ଭ କରିଥିଲେ । ଏହାପରେ ୨୦୦୬ ରେ ସେ ସୁଟରରୁ ଅହମ୍ମଦାବାଦ ଆସି ହେଲପର ଭାବେ କାମ କରୁକରୁ ବସ ଡ୍ରାଇଭର ହୋଇଯାଇଥିଲେ।

୨୦୨୧ ମସିହାରେ ଯେତେବେଳେ ଭରତ ୪୮ନମ୍ବର ଜାତୀୟ ରାଜପଥରେ ବସ୍‌ ଧରି ଫେରୁଥିଲେ, ସୁରଟ ଗ୍ରାମୀଣ ପୁଲିସର ଅନୁସନ୍ଧାନ ବେଳେ ତାଙ୍କ ନିକଟରୁ ୫୫ ଗ୍ରାମ ଗଞ୍ଜେଇ ମିଳିଥିଲା। ଏହାପରେ ପୁଲିସ ତାଙ୍କୁ ସୁରଟର ଲାଜପୋର ଜେଲକୁ ପଠାଇ ଦେଇଥିଲା।

ଭରତଙ୍କ ଦ୍ୱିତୀୟ ଭାଇ ଦଶରଥ ଅହମ୍ମଦାବାଦ କେନ୍ଦ୍ରୀୟ ଜେଲ (ସାବରମାତି ଜେଲ)ରେ ଜଣେ  ସିପାହୀ ଭାବରେ ଚାକିରି ପାଇଥିଲେ। ଦିନେ ସେ ଅନ୍ୟ ଜେଲର କର୍ମଚାରୀଙ୍କୁ ତାଙ୍କ ଭାଇ ଭରତଙ୍କ ନିଖୋଜ ବିଷୟରେ ଆଲୋଚନା କରିଥିଲେ।

ଜେଲର କର୍ମଚାରୀମାନେ ଦଶରଥଙ୍କୁ ଗୁଜରାଟର ଜେଲଗୁଡିକରେ ତାଙ୍କ ନିଖୋଜ ଭାଇକୁ ଖୋଜିବାକୁ ପରାମର୍ଶ ଦେଇଥିଲେ। ଯେତେବେଳେ ଦଶରଥ ଇ-ଜେଲ ମାଧ୍ୟମରେ ତାଙ୍କ ଭାଇଙ୍କ ନାମ ଖୋଜିଲେ, ସେତେବେଳେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ଭାଇ ଭରତ ସୁରଟର ଲାଜପୋର ଜେଲରେ ଅଛନ୍ତି।

ଏହାପରେ ଦୁଇ ଭାଇ ପରସ୍ପରକୁ ଭେଟିଥିଲେ। ୧୭ବର୍ଷ ପରେ ଦୁଇ ଭାଇ ଭେଟାଭେଟି ହେବାପରେ ସେମାନଙ୍କ ଖୁସିର କୌଣସି ସୀମା ନଥିଲା। ଅହମଦାବାଦ ଏବଂ ସୁରଟ ଜେଲର ଅଧିକାରୀମାନେ ଦୁଇ ଭାଇଙ୍କ ମିଳନ ପାଇଁ ଇ-ଜେଲକୁ ଶ୍ରେୟ ଦେଉଛନ୍ତି।

ସମ୍ବନ୍ଧିତ ଖବର