ମୁମ୍ବାଇ: ଭାରତୀୟ ସଂସ୍କୃତିରେ ବଡମାନଙ୍କ ପାଦ ଛୁଇଁବାର ପରମ୍ପରା ରହିଛି। ପ୍ରତ୍ୟେକଙ୍କ ଘରେ ଛୋଟପିଲାମାନଙ୍କୁ ସର୍ବଦା ତାଙ୍କ ଠାରୁ ବୟସରେ ବଡ଼ ଓ ଗୁରୁଜନମାନଙ୍କ ପାଦ ସ୍ପର୍ଶ କରିବା ପାଇଁ ଶିକ୍ଷା ଦିଆଯାଇଥାଏ। ସମାନ କଥା ପିଲାମାନଙ୍କୁ ସ୍କୁଲରେ ବି ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବି ଶିଖାଇ ଥାଆନ୍ତି। ତେବେ ଆମେ ଦେଶରେ ଏପରି ଏକ ସ୍କୁଲ ଅଛି ଯେଉଁଠାରେ ଶିକ୍ଷକମାନେ ପିଲାମାନଙ୍କ ପାଦସ୍ପର୍ଶ କରିଥାଆନ୍ତି।
ମୁମ୍ବାଇର ଘାଟକୋପରରେ ଥିବା ଏହି ବିଚିତ୍ର ବିଦ୍ୟାଳୟର ନାମ ତୃଷିକୁଲ ଗୁରୁକୁଳ। ଏହି ବିଦ୍ୟାଳୟରେ ଶିକ୍ଷକ ଛାତ୍ରଙ୍କ ପାଦ ସ୍ପର୍ଶ କରିବାର ପରମ୍ପରା ରହିଛି। ଭାରତୀୟ ପରମ୍ପରାରେ ଛୋଟପିଲାମାନେ ଭଗବାନଙ୍କ ସହିତ ସମାନ, ଏଥିପାଇଁ ତୃଷିକୁଲ ଗୁରୁକୁଳରେ ଶିକ୍ଷକମାନେ ପ୍ରତିଦିନ ଛାତ୍ରଙ୍କ ପାଦ ଛୁଇଁ ଥାଆନ୍ତି। ଏଠାକାର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବିଶ୍ୱାସ ପିଲାଙ୍କ ପାଦ ସ୍ପର୍ଶ କରିବାର ଅର୍ଥ ଭଗବାନଙ୍କ ପାଦସ୍ପର୍ଶ କରି ଆଶୀର୍ବାଦ ନେବା। ଏତଦ୍ବ୍ୟତୀତ ଏପରି କରିବା ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ମନରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପ୍ରତି ସମ୍ମାନ ଭାବ ଜାତ ହୋଇଥାଏ।