ସାକ୍ଷାତକାର ବେଳେ ସଂଜନାଙ୍କୁ ବୁମ୍‌ରାଙ୍କ ଆଲିଙ୍ଗନ

ଭାରତର ବିଶ୍ବକପ୍‌ ବିଜୟ ଅଭିଯାନରେ ପ୍ରମୁଖ ଖେଳାଳି ଥିଲେ ଯଶପ୍ରୀତ୍ ବୁମ୍‌ରା। ବିଶ୍ବକପ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ବୁମ୍‌ରାଙ୍କୁ ମିଳିଛି। ଭାରତ ବିଶ୍ବକପ୍‌ ସାରା ଅପରାଜିତ ରହି ମୁକୁଟ ହାତେଇବା ପଛରେ ବୁମ୍‌ରାଙ୍କ ପ୍ରଦର୍ଶନ ମଧ୍ୟ ସବୁଠାରୁ ଉଲ୍ଲେଖନୀୟ ରହିଥିଲା। ବ୍ରିଜଟାଉନ୍‌ର କେନ୍‌ସିଙ୍ଗଟନ୍‌ ଓଭାଲରେ ବିଶ୍ବକପ୍‌ ବିଜୟ ଉତ୍ସବ ଚାଲିଥିଲା। ବୁମ୍‌ରା ଏକ ଲାଇଭ୍ ସାକ୍ଷାତକାର ବେଳେ ଏକ ଅପ୍ରତ୍ୟାଶିତ ଆଚରଣ ପାଇଁ ଏବେ ଚର୍ଚ୍ଚାକୁ ଆସିଛନ୍ତି। ଟିଭି ଉପସ୍ଥାପିକା ସଂଜନା ଗଣେଶନ ଏହି ସାକ୍ଷାତକାର ନେବା ବେଳେ ଏକ ଭିଡିଓ ବ୍ରେକ୍‌ର ସୁବିଧା ଦେଖି ବୁମ୍‌ରା ତାଙ୍କୁ ଖୁସିରେ ଆଲିଙ୍ଗନ କରିପକାଇଥିଲେ। ପ୍ରଶଂସକମାନେ ମଧ୍ୟ ଏହା ‌ଦେଖି ‘କପଲ୍ ଗୋଲ୍ସ’ ମୁହୂର୍ତ୍ତ ଭାବେ ବର୍ଣ୍ଣନା କରିଥିଲେ। ବାସ୍ତବରେ ସଂଜନା ହେଉଛନ୍ତି ବୁମରାଙ୍କ ଧର୍ମପତ୍ନୀ। ଫଳରେ ଏଭଳି ଆଲିଙ୍ଗନରେ କିଛି ଭୁଲ୍‌ ନାହିଁ ବୋଲି ଏ ସମ୍ପର୍କରେ ଅବଗତ ଥିବା ପ୍ରଶଂସକ ବୁଝିପାରିଥିଲେ।

ଏକାଧିକ ଚମତ୍କାର ସ୍ପେଲ୍ ବୋଲିଂ କରିଥିବା ବୁମ୍‌ରା ୮ ମ୍ୟାଚ୍‌ରୁ ୧୫ ୱିକେଟ୍‌ ନେଇ ‘ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ୍‌’ ବିବେଚିତ ହୋଇଛନ୍ତି। ‘ସାଧାରଣତଃ ମୁଁ ମୋ ଭାବାବେଗକୁ ନିୟନ୍ତ୍ରଣରେ ରଖିଥାଏ। ଏବେ କିନ୍ତୁ ଭାବବିହ୍ବଳ ହୋଇପଡ଼ିଥବାରୁ କହିବାକୁ ଭାଷା ପାଉନି। ମଝିରେ ଦଳ ଅସୁବିଧାରେ ପଡ଼ିଥିବା ଅନୁଭବ କରିଥିଲି। ଏଭଳି ପରିସ୍ଥିତିରୁ ମ୍ୟାଚ୍‌ ଜିତିବା ଏକ ଅବାସ୍ତବ ଅନୁଭବ। ମୁଁ ଏବେ ଚନ୍ଦ୍ରପୃଷ୍ଠରେ ଥିବା ଭଳି ଅନୁଭବ ପାଇଛି’ ବୋଲି ବୁମ୍‌ରା କହିଛନ୍ତି। ମୋ ପୁଅ ଏଠି ଅଛି, ମୋ ପରିବାର ଏଠି ଅଛି, ତେଣୁ ମୁଁ ଭାରତ ପାଇଁ କିଛି ସ୍ବତନ୍ତ୍ର କରିପାରେ ବୋଲି ବିଶ୍ବାସ ରଖିଥିଲି। ଏହାଠାରୁ ଅଧିକ କିଛି ଭଲ ଅନୁଭବ ନାହିଁ ବୋଲି ମଧ୍ୟ ବୁମ୍‌ରା କହିଥ‌ିଲେ। ଗତ ଥର ଆମେ ନିକଟତର ହୋଇ ମଧ୍ୟ ଲକ୍ଷ୍ୟରେ ପହଞ୍ଚିପାରିନଥିଲୁ ବୋଲି ବୁମ୍‌ରା ସ୍ବୀକାର କରିଥିଲେ।

ସମ୍ବନ୍ଧିତ ଖବର