କ୍ବାର୍ଟରରେ କାନାଡା; ପେରୁକୁ ହରାଇଲା ଆର୍ଜେଣ୍ଟିନା

ଫ୍ଲୋରିଡା: ଚଳିତ କୋପା ଆମେରିକା ଫୁଟ୍‌ବଲ୍‌ ପ୍ରତିଯୋଗିତାର କ୍ବାର୍ଟରଫାଇନାଲ୍‌ରେ ଦ୍ବିତୀୟ ଦଳ ଭାବେ କାନାଡା ପ୍ରବେଶ କରିଛି। ରବିବାର ଗ୍ରୁପ୍‌-ଏ’ ମ୍ୟାଚ୍‌ରେ ଏହି ଦଳ ଚିଲି ସହ ଗୋଲ୍‌ ଶୂନ୍ୟ ଅମୀମାଂସିତ ରଖିଛି। ଫଳରେ କାନାଡା ୩ ମ୍ୟାଚ୍‌ ଖେଳି ଗୋଟିଏ ଲେଖାଏଁ ବିଜୟ, ପରାଜୟ ଓ ଅମୀମାଂସିତରୁ ୪ ପଏଣ୍ଟ ପାଇ ଆର୍ଜେଣ୍ଟିନା (୯ ପଏଣ୍ଟ୍‌) ପଛକୁ ଦ୍ବିତୀୟରେ ରହି କ୍ବାର୍ଟରଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଛି। ଦୁଇ ଥରର ବିଜେତା ଚିଲି (୨ ପଏଣ୍ଟ୍‌) ୨୦୦୪ ପରେ ପ୍ରଥମ ଥର ଲାଗି ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେଇଛି। ଚତୁର୍ଥରେ ଥିବା ପେରୁ (୧)ର ଅଭିଯାନ ମଧ୍ୟ ଗ୍ରୁପ୍‌ ପର୍ଯ୍ୟାୟରେ ଶେଷ ହୋଇଛି।

ମିଆମିର ହାର୍ଡ ରକ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୦ ଗୋଲ୍‌ରେ ପେରୁକୁ ପରାସ୍ତ କରିଛି। ପୂର୍ବରୁ କ୍ବାର୍ଟରଫାଇନାଲ୍‌ ସ୍ଥାନ ନିଶ୍ଚିତ କରି ସାରିଥିବା ଏହି ଦଳ ଆପରାଜେୟ ସହ ଗ୍ରୁପ୍‌ ବିଜେତା ହୋଇଛି। ପ୍ରଥମାର୍ଦ୍ଧ ଗୋଲ୍‌ ଶୂନ୍ୟରେ ଶେଷ ହେବା ପରେ ଦ୍ବିତୀୟାର୍ଦ୍ଧରେ ଆର୍ଜେଣ୍ଟିନା ଦୁଇଟି ଗୋଲ୍‌ ଲଦି ଏହି ବିଜୟ ପାଇଛି। ଏହି ଦୁଇଟି ଯାକ ଗୋଲ୍‌ ଲୌଟାରୋ ମାର୍ଟିନେଜ (୪୭ ଓ ୮୬ ମିନିଟ୍‌) ଦେଇଥିଲେ। ଏହି ବିଜେତା ଦଳ ଆରମ୍ଭ ଏକାଦଶରୁ ଅଧିନାୟକ ଲିଓନେଲ ମେସିଙ୍କ ସହ ୯ ଜଣ ଖେଳାଳିଙ୍କୁ ବଦଳାଇ ଖେଳି ମ୍ୟାଚ୍‌ ଜିତି ନେଇଥିଲା।

ସମ୍ବନ୍ଧିତ ଖବର