କେନ୍ଦ୍ରାପଡ଼ାରେ କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ

ଡେରାବିଶ : ହରିଦାସପୁର- ପାରାଦୀପ ରେଳପଥର ବାଜିପଡା ଷ୍ଟେସନ ନିକଟରେ ଗୁରୁବାର ଦିନ ଏକ କୋଇଲା ବୋଝେଇ ଟ୍ରେନ୍‌ର ୨ଟି ବଗିରେ ନିଆଁ ଲାଗି ଯାଇଥିଲା। ଆଜି ସକାଳେ ପାରାଦୀପରୁ ହରିଦାସପୁର ଆଡକୁ ଯାଉଥିବା ଏହି କୋଇଲା ବୋଝେଇ ଟ୍ରେନ୍‌ର ୨ଟି ବଗିରୁ ନିଆଁ ବାହାରୁଥିବା ଦେଖି ଟ୍ରେନ୍‌ଟିକୁ ଷ୍ଟେସନ୍‌ରେ ଅଟକା ଯାଇଥିଲା। ଏ ସଂପର୍କରେ ଖୋର୍ଦ୍ଧା ରେଳବାଇ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରାଯାଇ ବିଦ୍ୟୁତ କାଟ କରାଯାଇଥିଲା। ଟ୍ରେନ୍‌ରୁ ନିଆଁ ଲିଭାଇବା ପାଇଁ ଡେରାବିଶ ଅଗ୍ନିଶମ କାର୍ଯ୍ୟାଳୟକୁ ସୂଚନା ଦିଆଯାଇଥିଲା। ଅପରାହ୍ନ ୨ଟା ୩୦ରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଜଳୁଥିବା ନିଆଁକୁ ଆୟତ କରିଥିଲେ।

କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଗ୍ନିକାଣ୍ତ ଘଟିଥିବା ଟ୍ରେନ୍‌ଟି ବାଜିପଡା ଷ୍ଟେସନ୍‌ ନିକଟସ୍ଥ ରେଳ ଧାରଣରେ ଅଟକି ରହିଥିବାରୁ ଏହି ରେଳପଥରେ ଚଳାଚଳ କରୁଥିବା ଅନ୍ୟ ସମସ୍ତ ମାଲବାହୀ ଟ୍ରେନ୍‌ଗୁଡିକୁ ନିକଟସ୍ଥ କେନ୍ଦ୍ରାପଡା ଜିଲ୍ଲା ଷ୍ଟେସନ ଓ ଲଳିତଗିର ସ୍ଥିତ ବୈାଦ୍ଧ ବିହାର ଷ୍ଟେସନ ପାଖରେ ଅଟକାଇ ଦିଆଯାଇଥିବା ଡେରାବିଶ ବ୍ଲକ୍‌ ବାଜୀପଡ଼ାର ଷ୍ଟେସନ ମାଷ୍ଟର ସୁକାନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି। ନବନିର୍ମିତ ହରିଦାସପୁର-ପାରାଦୀପ ରେଳପଥରେ କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ ଲାଗିବା ଘଟଣା ପ୍ରଥମ ହୋଇଥିବାରୁ ଟ୍ରେନକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା।

ସମ୍ବନ୍ଧିତ ଖବର