କଟକରେ ବକ୍ସି ଜଗବନ୍ଧୁଙ୍କ ସ୍ମୃତି ରକ୍ଷା ପାଇଁ ଏକାଠି ହେଲେ ସର୍ବଦଳୀୟ ନେତା

କଟକ: ପାଇକ ବିଦ୍ରୋହର କର୍ଣ୍ଣଧାର ବକ୍ସି ଜଗବନ୍ଧୁଙ୍କର କଟକ ସହରରେ ଅନେକ ସ୍ମୃତି ରହିଛି। କଟକରେ ବକ୍ସି ଜଗବନ୍ଧୁଙ୍କୁ ନଜର ବନ୍ଦୀ ଭାବେ ରଖାଯାଇଥିଲା। କଟକରେ ହିଁ ଜେଲରେ ଥିବା ଅବସ୍ଥାରେ ବକ୍ସି ଜଗବନ୍ଧୁ ସହିଦ ହୋଇଥିଲେ। ତେଣୁ ଆଜି ବକ୍ସି ଜଗବନ୍ଧୁଙ୍କ ତିରୋଧାନ ଦିବସ ଅବସରରେ କଟକରେ ବକ୍ସି ଜଗବନ୍ଧୁଙ୍କ ସ୍ମୃତି ରକ୍ଷା ପାଇଁ ଦଳ ମତ ନିର୍ବିଶେଷରେ ଏକାଠି ହେଇଛନ୍ତି ସବୁ ଦଳର ନେତା। ସେପଟେ ବକ୍ସି ଜଗବନ୍ଧୁଙ୍କ ଏକ ଦଶ ଫୁଟର ପ୍ରତିମୂର୍ତ୍ତି ବକ୍ସି ବଜାରରେ ସ୍ଥାପନ କରିବା ପାଇଁ ନିର୍ମାଣ କାମ ଚାଲିଛି କିନ୍ତୁ ସିଏମ୍‌ସି (କଟକ ମହାନଗର ନିଗମ)ର ଅବହେଳା ଯୋଗୁଁ ନିର୍ଦ୍ଧାରିତ ସମୟ ଭିତରେ ସରିପାରୁନି ପ୍ରତିମୂର୍ତ୍ତି କାମ, ଯାହାକୁ ନେଇ କଟକିଆଙ୍କ ମନରେ ବଢ଼ିଛି କ୍ଷୋଭ।

ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାଏ ବା ବକ୍ସି ଜଗବନ୍ଧୁ। ଇଂରେଜ ଶାସନ ବିରୋଧରେ ୧୮୧୭ ମସିହାରେ ଖୋର୍ଦ୍ଧାରୁ ଆରମ୍ଭ ହୋଇଥିବା ପାଇକ ବିଦ୍ରୋହର କର୍ଣ୍ଣଧାର। ୧୮୫୭ର ସିପାହୀ ବିଦ୍ରୋହର ବହୁ ପୂର୍ବରୁ ବ୍ରିଟିଶ ଶାସନ ବିରୋଧରେ ଆରମ୍ଭ ହୋଇଥିଵା ଖୋର୍ଦ୍ଧାର ଏହି ପାଇକ ବିଦ୍ରୋହର ନାୟକ ବକ୍ସି ଜଗବନ୍ଧୁ ମାତ୍ର ୪ ଶହ କନ୍ଧ ସୈନିକଙ୍କ ସହାୟତାରେ ବାଣପୁର ଓ ଘୁମୁସରରୁ ତଡ଼ି ଦେଇଥିଲେ ବ୍ରିଟିଶ ସୈନ୍ୟଙ୍କୁ। ଏହି ମହାନ ଯୋଦ୍ଧାଙ୍କର ଜୀବନର ଶେଷ ସମୟ କଟିଛି କଟକ ସହରରେ। କଟକର ଏଇ ବକ୍ସି ବଜାର ଛକ ନିକଟରେ ଥିବା ଅସ୍ଥାୟୀ ଜେଲରେ ୧୮୨୫ ମସିହାରେ ବ୍ରିଟିଶ ସେନା ବକ୍ସି ଜଗବନ୍ଧୁଙ୍କୁ ଗୃହ ବନ୍ଦୀ କରି ରଖିଥିଲେ। ତେଣୁ ଏଇ ଛକର ନାଁ ବକ୍ସି ବଜାର।

୧୮୨୯ ମସିହା ଆଜିର ଦିନରେ କଟକରେ ଜେଲରେ ଥିବା ସମୟରେ ସହିଦ ହୋଇଥିଲେ ବକ୍ସି ଜଗବନ୍ଧୁ। ଏହି ମହାନ୍ ସ୍ବାଧୀନତା ସଂଗ୍ରାମୀଙ୍କର କଟକ ସହିତ ଏତେ ଗୁଡିଏ ସ୍ମୃତି ରହିଥିବାରୁ ଆଜି ତାଙ୍କର ତିରୋଧାନ ଦିବସରେ ସବୁ ଦଳର ନେତା ଏକାଠି ହେଇ ତାଙ୍କର ସ୍ମୃତି ସାଇତି ରଖିବା ପାଇଁ ଅଣ୍ଟା ଭିଡିଛନ୍ତି। ବଜାର ଛକରେ ଘୋଡା ସବାର ହୋଇଥିବା ବକ୍ସି ଜଗବନ୍ଧୁଙ୍କର ଏକ ଦଶ ଫୁଟର ବୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସରକାର ୨୧ଲକ୍ଷ ଟଙ୍କା ଦେଇଛନ୍ତି। ସିଏମ୍‌ସି ପ୍ରତିମୂର୍ତ୍ତି ତିଆରି ପାଇଁ ବିଶିଷ୍ଟ ସ୍ତପତି ଲକ୍ଷ୍ମୀଧର ରଣାଙ୍କୁ ଟେଣ୍ଡର ଦେଇଛି। ମାତ୍ର ଦୀର୍ଘ ତିନି ବର୍ଷ ପରେ ବ ପ୍ରତିମୂର୍ତ୍ତି କାମ ସରିପାରୁ ନାହିଁ। ସେପଟେ ଚଳିତ ବର୍ଷ ବକ୍ସି ଜଗବନ୍ଧୁଙ୍କର ଅଢେଇ ଶହତମ ଜୟନ୍ତୀ ପାଳନ ହେଵାକୁ ଅଛି। ତେଣୁ ତା ପୂର୍ବରୁ କଟକରେ ବକ୍ସି ଜଗବନ୍ଧୁଙ୍କର ସ୍ମୃତି ସାଇତି ରଖିବା ପାଇଁ ଠୋସ ପଦକ୍ଷେପ ନେବାକୁ ଦାବି କରିଛନ୍ତି ସହରର ବୁଦ୍ଧିଜୀବୀ ଓ ବ୍ୟବସାୟୀ ସଂଘ। ତେବେ କଟକିଆଙ୍କ ଭାବିବେଗକୁ ଆଧାର କରି କେବେ ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ବକ୍ସିବଜାର ଛକରେ ପ୍ରତିଷ୍ଠା ହେବ ତାକୁ ହିଁ ଅପେକ୍ଷା|

ସମ୍ବନ୍ଧିତ ଖବର