ବାହାନଗା ରେଳ ଦୁର୍ଘଟଣା: ୩ ଅଧିକାରୀଙ୍କୁ ଗିରଫ କଲା ସିବିଆଇ

ଭୁବନେଶ୍ବର / ବାଲେଶ୍ବର : ବିଶାଖାପାଟଣାରେ ଆଜି ଫଲକନୁମା ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ ହଠାତ୍ ସିବିଆଇ ରେଳ ବିଭାଗ ପାଇଁ ଆଶ୍ବସ୍ତି ଆଣିବାକୁ ଚେଷ୍ଟା କରିଛି। ବହୁ ଚର୍ଚ୍ଚିତ ବାହାନଗା ରେଳ ଦୁର୍ଘଟଣା ମାମଲାରେ ଆଜି ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ୩ ରେଳ ଅଧିକାରୀଙ୍କୁ ଗିରଫ କରିଛି। କାର୍ଯ୍ୟରେ ଅବହେଳା ଓ ଦୁର୍ଘଟଣାର କାରଣ ଲୁଚାଇଥିବାରୁ ଜାତୀୟ ତଦନ୍ତକାରୀ ସଂସ୍ଥା ଏହି ମାମଲାରେ ଏହି ତିନି ଜଣ ବୈଷୟିକ ଅଧିକାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ସିଗନାଲ୍‌ ବିଭାଗର ବରିଷ୍ଠ ସେକ୍ସନ୍‌ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ୍‌ ଇଞ୍ଜିନିୟର ମହମ୍ମଦ ଅମୀର ଖାନ ଓ ଟେକ୍‌ନିସିଆନ୍‌ ପପୁ କୁମାର। ଧାରା ୩୦୪ (ହତ୍ୟା ଉଦ୍ଦେଶ୍ୟ ନୁହେଁ, କିନ୍ତୁ ମୃତ୍ୟୁ ପାଇଁ ଦାୟୀ) ଓ ୨୦୧ (ପ୍ରମାଣ ନଷ୍ଟ) ସିଆର୍‌ପିସିରେ ସିବିଆଇ ଏହି ୩ ଜଣ ଅଧିକାରୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ବାହାନଗା ଦୁର୍ଘଟଣା ପରେ ଦକ୍ଷିଣ-ପୂର୍ବ ରେଳ ସୁରକ୍ଷା କମିସନର (ସିଆର୍‌ଏସ୍‌) ରେଳବାଇ ବୋର୍ଡକୁ ଯେଉଁ ରିପୋର୍ଟ ଦେଇଥିଲେ, ସେଥିରେ ମାନବୀୟ ତ୍ରୁଟି ବିଶେଷ କରି ସିଗନାଲ, ବୈଷୟିକ ତ୍ରୁଟି ଓ କର୍ମଚାରୀଙ୍କ ଅବହେଳାକୁ ଦାୟୀ କରାଯାଇଥିଲା। ସିଗ୍‌ନାଲିଂ ସର୍କିଟ୍‌ ବଦଳାଯିବା ବେଳେ ବୈଷୟିକ ତ୍ରୁଟି ଯୋଗୁଁ ଇଣ୍ଟର୍‌ଲକିଂ ସିଷ୍ଟମ୍‌ ପ୍ରଭାବିତ ହୋଇଥିଲା ଓ ଏହି କାରଣରୁ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ସିଆର୍‌ଏସ୍‌ ରିପୋର୍ଟ ଦେଇଥିଲେ। ସେହି ରିପୋର୍ଟକୁ ଆଧାର କରି ଉକ୍ତ ଗିରଫଦାରୀ ହୋଇଥିବା କୁହାଯାଉଛି। ତେବେ ଦୁର୍ଘଟଣା ପଛରେ କୌଣସି ଅନ୍ତର୍ଘାତୀ ବା ଷଡ୍‌ଯନ୍ତ୍ର ଥିବା
ବାବଦରେ ଏ ଯାଏ କିଛି ସ୍ପଷ୍ଟ ହୋଇନାହିଁ। ସ୍ବାସ୍ଥ୍ୟ ପରୀକ୍ଷା ପରେ ଆଜି ସନ୍ଧ୍ୟାରେ ୩ ଅଭିଯୁକ୍ତଙ୍କୁ ଭୁବନେଶ୍ବର ସିବିଆଇ କୋର୍ଟରେ ହାଜର କରାଯାଇଛି।

କାର୍ଯ୍ୟରେ ଅବହେଳା, ଦୁର୍ଘଟଣା କାରଣ ଲୁଚାଇଥିଲେ
ରେଳ ସୁରକ୍ଷା କମିସନରଙ୍କ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ!

ଦୁର୍ଘଟଣା ପରେ ସିଗ୍‌ନାଲ ସେକ୍ସନ୍‌ ଇଞ୍ଜିନିୟର ମହମ୍ମଦ ଅମୀର ଖାନ ବାଲେଶ୍ବର ସୋରସ୍ଥିତ ଭଡ଼ା ଘରେ ତାଲା ପକାଇ ନିଜ ଘର ପଶ୍ଚିମବଙ୍ଗକୁ ପଳାଇଥିଲେ। ଟେକ୍‌ନିସିଆନ୍‌ ପପୁ କୁମାରଙ୍କ ଘର ବିହାର ଅଞ୍ଚଳରେ। ସିବିଆଇ ଦିଲ୍ଲୀ ଅପରାଧ ଶାଖା ସେଲ-୨ର ୧୦ ଜଣିଆ ଟିମ୍ ବାହାନଗା ଆସି ସିଗନାଲ୍‌ ରିଲେ ରୁମ୍ ସିଲ୍‌ କରିବା ସହ ଷ୍ଟେସନ୍‌ମାଷ୍ଟର, କ୍ୟାବିନ୍ କର୍ମଚାରୀ, ଦୁର୍ଘଟଣାଗ୍ରସ୍ତ ୩ଟି ଯାକ ଟ୍ରେନ୍‌ର ଲୋକୋ ପାଇଲଟ୍ ଓ ଗାର୍ଡଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଜେରା କରିଥିଲା। ତେବେ କାର୍ଯ୍ୟରେ ଅବହେଳା ନେଇ ଆପାତତଃ ପ୍ରମାଣ (ପ୍ରାଇମାଫେସି) ପାଇବା ପରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡ଼ିଛି। ରେଳ ବୈଷୟିକ ଟିମ୍‌ର ତଥ୍ୟ, ଫୋରେନସିକ୍ ଯାଞ୍ଚ ରିପୋର୍ଟ, ପାରିପାର୍ଶ୍ବିକ ପ୍ରମାଣ, ରିଲେ ରୁମ୍ ସିଗନାଲ୍ ସିଷ୍ଟମ୍‌ ଜବତ, ଷ୍ଟେସନର ବିଭିନ୍ନ ଅଧିକାରୀଙ୍କ ବୟାନ ରେକର୍ଡ କରିଥିଲା ସିବିଆଇ। ଅନ୍ୟପକ୍ଷରେ ଷ୍ଟେସନ୍ ମାଷ୍ଟରଙ୍କ ଭୂମିକା ସଂପର୍କରେ ମଧ୍ୟ ତଦନ୍ତ ଜାରି ରଖିଛି କେନ୍ଦ୍ରୀୟ ତଦନ୍ତ ଏଜେନ୍ସି। ସେହିଭଳି ଦୁର୍ଘଟଣା ପରେ ପ୍ରମାଣ ନଷ୍ଟ କରିବା ପାଇଁ ରିଲେ ରୁମ୍ ସିଗନାଲ୍ ସିଷ୍ଟମ୍‌କୁ ଟାମ୍ପରିଂ କରାଯାଇଥିବା ମଧ୍ୟ ସିବିଆଇ ତଦନ୍ତକାରୀ ଦଳ ଜାଣିବାକୁ ପାଇଛି। ସେଥିପାଇଁ ସେମାନଙ୍କ ବିରୋଧରେ ପ୍ରମାଣ ନଷ୍ଟ କରିବା ଦଫା ଲଗାଯାଇଛି। ତେବେ ରେଳ ପରିଚାଳନାରେ ଷ୍ଟେସନ୍ ମାଷ୍ଟରଙ୍କ ପ୍ରମୁଖ ଭୂମିକା ଥିବାରୁ ତାଙ୍କ ଉପରେ ବି ଯେ କୌଣସି ସମୟରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ବାହାନଗା ରେଳ ଦୁର୍ଘଟଣାର କାରଣ ଜାଣିବା ପାଇଁ ରେଳ ନିରାପତ୍ତା କମିସନର ନିଜ ଆଡୁ ତଦନ୍ତ ଚଳାଇଥିବା ବେଳେ ଏହାର ଅପରାଧିକ ଷଡ଼୍‌ଯନ୍ତ୍ର ଦିଗ ଉପରେ ତଦନ୍ତ ଚଳାଇଥିଲା ସିବିଆଇ। ଜୁନ୍ ୩୦ ତାରିଖରେ ସିଏସ୍‌ଆର୍‌ ନିଜର ଆଭ୍ୟନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ। ଦୁର୍ଘଟଣା ଘଟିବାର କିଛି ଘଣ୍ଟା ଆଗରୁ ବାହାନଗା ବଜାର ରେଳ ଷ୍ଟେସନ୍‌ ନିକଟ ରେଳଫାଟକ-୯୪ର ଇଲେକ୍‌ଟ୍ରୋନିକ୍‌ ଲିଫ୍‌ଟିଂ ବେରିୟର (ଇଏଲ୍‌ବି) ମରାମତି କାର୍ଯ୍ୟ ହୋଇଥିଲା। ସେହି ସମୟରେ ସିଗ୍‌ନାଲିଂ ସର୍କିଟ୍‌ ବଦଳାଯିବାରେ ବୈଷୟିକ ତ୍ରୁଟି ରହିଥିଲା। ଯାହା ସିଗ୍‌ନାଲ୍‌ ସିଷ୍ଟମ୍‌ ସହ ପୂରା ଇଣ୍ଟର୍‌ଲକିଂ ସିଷ୍ଟମ୍‌କୁ ପ୍ରଭାବିତ କରିଥିଲା। ଯାହାଫଳରେ ୧୨୮୪୧ ନଂ କରମଣ୍ଡଳ ଏକ୍ସପ୍ରେସ୍‌କୁ ଭୁଲ୍‌ ସିଗ୍‌ନାଲ୍‌ ମିଳିଥିଲା ଓ ଏହା ମେନ୍‌ ଲାଇନ୍‌ ବଦଳରେ ଲୁପ୍‌ ଲାଇନ୍‌କୁ ଚାଲିଯାଇ ସେଠାରେ ଛିଡ଼ା ହୋଇ ରହିଥିବା ମାଲ୍‌ଗାଡ଼ିକୁ ଧକ୍କା ଦେଇଥିଲା। ଦୁର୍ଘଟଣା ପାଇଁ କେବଳ ଷ୍ଟେସନ୍‌ ମ୍ୟାନେଜର ନୁହନ୍ତି, କ୍ଷେତ୍ର ପରିଦର୍ଶନ ଦାୟିତ୍ୱରେ ଥିବା କର୍ମଚାରୀମାନେ ମଧ୍ୟ ଦାୟୀ ବୋଲି ରିପୋର୍ଟରେ ଦର୍ଶାଯାଇଥିଲା।

ଉଲ୍ଲେଖଥାଉକି, ଜୁନ୍ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ବରଠାରୁ ୨୨ କିମି ଦୂର ବାହାନଗା ବଜାର ଷ୍ଟେସନ୍‌ଠାରେ ଶାଲିମାର-ଏମ୍‌ଜିଆର ଚେନ୍ନାଇ ସେଣ୍ଟ୍ରାଲ୍‌ କରମଣ୍ଡଳ ଏକ୍ସପ୍ରେସ୍‌ ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇ ଓଲଟି ପଡ଼ିବା ଫଳରେ ଅପର ପାର୍ଶ୍ବରୁ ଆସୁଥିବା ହାଓଡ଼ା ଏସ୍‌ଏମ୍‌ଭିବି (ଯଶବନ୍ତପୁର) ଏକ୍ସପ୍ରେସ୍‌ର ଶେଷ ଦୁଇଟି ବଗି ଲାଇନ୍‌ଚ୍ୟୁତ ହୋଇ ବିଲକୁ ଖସି ଯାଇଥିଲା। ଏହି ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧ ହଜାରରୁ ଅଧିକ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର