ଭୁବନେଶ୍ୱର ପରେ ବରଗଡ଼ : ଭୁଶୁଡ଼ିଲା ବିଜୁ ସେତୁ

୮ ଆହତ, ୨ ଗୁରୁତର

ଥୁଆପାଲି/ଭେଡ଼େନ/ରେମଣ୍ଡା : ଭୁବନେଶ୍ୱର ବମିଖାଲଠାରେ ନିର୍ମାଣାଧୀନ ରେଳ ଓଭରବ୍ରିଜ୍‌ ଭୁଶୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାକୁ ନେଇ ଚର୍ଚ୍ଚା ଥମିନି, ଆଜି ବରଗଡ଼ ଜିଲ୍ଲାର ଭେଡେନ୍‌ ବ୍ଲକ ଜାମଡୋଲ୍‌ ଧୁବେନପାଲିଠାରେ ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡ଼ି ପଡ଼ିଛି। ଅତ୍ୟନ୍ତ ନିମ୍ନମାନର କାମ ଯୋଗୁଁ ଜୀରା ନଦୀ ଉପରେ ନିର୍ମାଣ ଚାଲିଥିବା ଏହି ସେତୁର ବିଶାଳକାୟ ସ୍ଲାବ୍‌ ମଝିରୁ ଭାଙ୍ଗି ପଡ଼ିବାରୁ ସେଠାରେ କାମ କରୁଥିବା ୮ ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ଜୀରା ନଦୀ ଉପରେ ୮ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଜୁ ସେତୁ ଯୋଜନାରେ ଏହି ପୋଲ ନିର୍ମାଣ କାମ ଚାଲିଥିଲା। ରବିବାର ଛାତ ପକାଇବା ପାଇଁ ଆବଶ୍ୟକ କାର୍ଯ୍ୟ ଚାଲିଥିବା ବେଳେ ଅପରାହ୍‌ଣ ପ୍ରାୟ ସାଢ଼େ ୪ଟା ସମୟରେ ହଠାତ୍‌ ମଧ୍ୟ ଭାଗରୁ ଦୁଇ ଫାଳ ହୋଇ ନଦୀ ଭିତରକୁ ଭୁଶୁଡ଼ିି ପଡ଼ିଥିଲା। ଫଳରେ ସେଠାରେ କାର୍ଯ୍ୟରତ ୮ ଜଣ ଶ୍ରମିକ ଆହତ ହୋଇଥିଲେ। ଏଥି ସହ ପୋଲ ତଳେ ଥିବା କେତେକ ବାଇକ୍‌ ମଧ୍ୟ ଚାପି ହୋଇ ଚୂର୍‌ମାର୍‌ ହୋଇଯାଇଛି। ସ୍ଥାନୀୟ ଲୋକେ ସଂଗେ ସଂଗେ ଆହତ ଶ୍ରମିକଙ୍କୁ ଉଦ୍ଧାର କରି ଭେଡ଼େନ ସିଏଚ୍‌ସିକୁ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଗୁରୁତର ରଜତ ନାଏକ ଓ ସୁରେନ୍ଦ୍ର ନାଏକଙ୍କୁ ବରଗଡ଼ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଜିଲ୍ଲାପାଳ ଖଗେନ୍ଦ୍ର ପାଢ଼ୀ ଡାକ୍ତରଖାନାରେ ପହଞ୍ଚିଥିଲେ। ଆହତଙ୍କ ସଂପର୍କରେ ସିଡିଏମ୍‌ଓ ଡା. ପ୍ରକାଶ ପ୍ରଧାନଙ୍କୁ ପଚାରିବାରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା କହିଛନ୍ତି।
ଅନ୍ୟପଟେ ପୂର୍ବ ବିଧାୟକ ସାଧୁ ଚରଣ ନେପାକ ମଧ୍ୟ ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ଅବସ୍ଥା ପଚାରି ବୁଝିବା ସହ ଏହାର ଉପଯୁକ୍ତ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ବ୍ୟାପକ ପିସି କାରବାର ଓ ନିମ୍ନମାନର କାମ ଯୋଗୁଁ ରାଜ୍ୟରେ ପୋଲ ଭୁଶୁଡ଼ିବା ବର୍ତ୍ତମାନ ନିତିଦିନିଆ ଘଟଣା ପାଲଟିଥିବା ଶ୍ରୀ ନେପାକ ମତ ଦେଇଛନ୍ତି।
ଟେଣ୍ଡର ପରେ କାର୍ଯ୍ୟାଦେଶ ଦେବା ସମୟରେ ବର୍ଷା ଦିନେ ପୋଲ ନିର୍ମାଣ କାମ ବନ୍ଦ କରିବାକୁ ସରକାରୀ ନିର୍ଦ୍ଦେଶ ଥିଲେ ହେଁ ସଂପୃକ୍ତ ଠିକାଦାରଙ୍କ ମନମୁଖୀ ଯୋଗୁଁ ଆଜି ଏଭଳି ଘଟଣା ଘଟିଲା। ଅପରାହ୍‌ଣ ବଦଳରେ ଯଦି ମଧ୍ୟାହ୍ନ ସମୟରେ ଏହା ଘଟିଥାନ୍ତା ତେବେ ଅଧିକ ଲୋକ ଦୁର୍ଘଟଣାର ଶିକାର ହୋଇଥାନ୍ତେ ବୋଲି ଅଂଚଳବାସୀ କହିଛନ୍ତି।
ସମ୍ବନ୍ଧିତ ଖବର