ସୂର୍ଯ୍ୟତିଳକ ପରିକଳ୍ପନାର ବିନ୍ଧାଣି ଓଡ଼ିଆ ପୁଅ

ପାରଳାଖେମୁଣ୍ଡି: ପବିତ୍ର ରାମନବମୀ ଅବସରରେ ଅଯୋଧ୍ୟା ନବନିର୍ମିତ ମନ୍ଦିରରେ ରାମଲାଲାଙ୍କୁ ଆଜି ସୂର୍ଯ୍ୟ ତିଳକରେ ଅଭିଷେକ କରାଯାଇଛି। ଦୀର୍ଘ ଅଢ଼େଇ ମିନିଟ୍ ଧରି ରାମଲାଲାଙ୍କ କପାଳରେ ସୂର୍ଯ୍ୟଙ୍କ କିରଣ ତିଳକ ଆକାରରେ ଦୃଶ୍ୟମାନ ହୋଇଥିଲା। ତେବେ ଯେଉଁ ବୈଷୟିକ କୌଶଳରେ ଏହା ସମ୍ଭବ ହୋଇ ପାରିଲା ସେହି ପ୍ରକଳ୍ପର ମୁଖ୍ୟ ବିନ୍ଧାଣି ହେଉଛନ୍ତି ପାରଳା ମାଟିର ପୁଅ ଡ.ସରୋଜ କୁମାର ପାଣିଗ୍ରାହୀ। ଆଜି ଫୋନ୍‌ରେ ସରୋଜଙ୍କ ସହ ଯୋଗାଯୋଗ ପରେ ସେ ଅତ୍ୟନ୍ତ ଖୁସି ବୋଲି କହିବା ସହିତ ଏହି ଅନୁଭୂତି ତାଙ୍କ ପାଇଁ ଅବିସ୍ମରଣୀୟ ଓ ହୃଦୟସ୍ପର୍ଶୀ ଥିଲା ବୋଲି କହିଛନ୍ତି। ଆଜିର ସୂର୍ଯ୍ୟ ତିଳକ ବ୍ୟବସ୍ଥା ଦ୍ବିତୀୟ ମହଲାରୁ କାର୍ଯ୍ୟକ୍ଷମ କରାଯାଇଥିଲା ବୋଲି ସେ ପ୍ରକାଶ କରିଛନ୍ତି। ରୁର୍‌କି ସ୍ଥିତ ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍ (ସିବିଆରଆଇ) ତତ୍ତ୍ବାବଧାନରେ ନିର୍ମାଣ ହୋଇଥିବା ଏହି ଭବ୍ୟ ମନ୍ଦିରରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମଦିନ ଶ୍ରୀରାମ ନବମୀରେ ‘ସୂର୍ଯ୍ୟ ତିଳକ’ରେ ଅଭିଷେକ ପାଇଁ ମନସ୍ଥ କରାଯାଇ କାମ ଆରମ୍ଭ ହେଲା। ଦାୟିତ୍ବ ଦିଆଗଲା ସିବିଆରଆଇର ମୁଖ୍ୟ ବୈଜ୍ଞାନିକ ତଥା ମନ୍ଦିର ନିର୍ମାଣର ପ୍ରମୁଖ ଅନୁସନ୍ଧାନକାରୀ ସରୋଜ କୁମାର ପାଣିଗ୍ରାହୀଙ୍କୁ।

ଗଜପତି ଜିଲା ପାରଳାଖେମୁଣ୍ଡି ବକ୍ସିସାହି ବାସିନ୍ଦା ଆଦର୍ଶ ଶିକ୍ଷକ ଗୌରାଙ୍ଗ ପାଣିଗ୍ରାହୀ ଓ ହେମଲତା ପାଣିଗ୍ରାହୀଙ୍କ ସାନ ପୁଅ ହେଉଛନ୍ତି ସରୋଜ। ସରୋଜ ବର୍ତ୍ତମାନ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନ ସିବିଆର୍‌ଆଇର ମୁଖ୍ୟ ବୈଜ୍ଞାନିକ ଭାବେ କାର୍ଯ୍ୟରତ। ମନ୍ଦିର ନିର୍ମାଣ ପ୍ରସ୍ତୁତି ଚାଲିଥିବା ବେଳେ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂର୍ଯ୍ୟତିଳକ ଅଭିଷେକ ପାଇଁ ତାଙ୍କୁ ଅନୁରୋଧ କରାଯାଇଥିଲା। ମାତ୍ର ମନ୍ଦିରର ଜଟିଳ ନିର୍ମାଣ ଶୈଳୀ ଯୋଗୁଁ ସିଧାସଳଖ ଭଗବାନଙ୍କ କପାଳରେ ସୂର୍ଯ୍ୟ କିରଣ ପଡ଼ିବା ସମ୍ଭବ ନଥିବାରୁ ଇଣ୍ଡିଆନ ଇନିଷ୍ଟିଚ୍ୟୁଟ୍ ଅଫ୍ ଆଷ୍ଟ୍ରୋଫିଜିକ୍ସ ସହଯୋଗରେ ଏକ ମଡେଲ ପ୍ରସ୍ତୁତ କରାଯାଇଥିଲା। ଉଚ୍ଚଗୁଣବତ୍ତା ସଂପନ୍ନ ଦର୍ପଣ, ଲେନ୍ସ ଓ ଅଷ୍ଟଧାତୁର ବ୍ୟବହାର କରି ଅପ୍ଟି ମେକାନିକାଲ ସିଷ୍ଟମ୍ ସହାୟତାରେ ‘ସୂର୍ଯ୍ୟ ତିଳକ’ର ପରିକଳ୍ପନା କରାଯାଇଥିଲା।

ସମ୍ବନ୍ଧିତ ଖବର