ଆଘୋଷିତ ବିଦ୍ୟୁତ କାଟ୍‌ ଓ ଅତ୍ୟଧିକ ବିଲ୍‌ ଆସୁଥିବା ନେଇ ଟାଟାପାୱାର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି

ଛୁଟିରେ ବି ଆସି ବୁଝାଇବାକୁ ଚେଷ୍ଟାକଲେ ନିର୍ବାହୀ ଯନ୍ତ୍ରୀ

ଜୟପୁର: ଗତ କିଛି ଦିନ ହେବ ମନଇଛା ଅଘୋଷିତ ଭାବେ ବିଦ୍ୟୁତ କାଟ୍ ହେଉଛି। ପତ୍ର ହଲିବା ମାତ୍ରକେ ବିଦ୍ୟୁତ କାଟ। ଥରେ କଟିଲେ ପୁଣି ଆଉ ଥରେ କେତେ ବେଳେ ବିଦ୍ୟୁତ ଆସିବ ତାହାର ଠିକ ଠିକଣା ନାହିଁ। ଗ୍ରାମାଂଚଳରେ ଥରେ ଗଲେ ଦିନକ କି ଦୁଇ ଦିନ ପରେ ଆସୁଛି ବିଦ୍ୟୁତ। ଏଭଳି କେତେ ଦିନ ଚଳିବ। ସହିବାର ସବୁ ସୀମା ପାର ହୋଇଗଲା। ଏଭଳି ଅଭିଯୋଗ କରି ଆଜି ଜୟପୁର ବିଜେପି ପକ୍ଷରୁ ବାମୁଣୀପୁଟରେ ଥିବା ଟାଟା ପାୱାରର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ରାଜ୍ୟ ପରିଷଦ ସଭ୍ୟ ଗୌତମ ସାମନ୍ତରାୟ, ମଣ୍ଡଳସଭାପତି ରାଧେଶ୍ୟାମ ପରିଡ଼ାଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ଓ ନେତା ଘେରାଉ କରିଥିଲେ। ଆଜି ରଜପାଇଁ କାର୍ଯ୍ୟାଳୟ ଛୁଟି ଥିବାରୁ ଏମାନେ ରାଂଚି ବିଜୟୱାଡା କରିଡର ୩୨୬ନଂ ରାସ୍ତା ପାର୍ଶ୍ବରେ ବସି ଧାରଣା ଦେଇଥିଲେ।

ଧାରଣାସ୍ଥଳକୁ ନିର୍ବାହୀ ଯନ୍ତ୍ରୀ ବିବେକ ଚୌଧୁରୀ ଆସି ଏମାନଙ୍କୁ ବହୁ ବୁଝାସୁଝା ବି କରିଥିଲେ। ମିଟର ରିଡିଂ କେତେ ଉଠିଲେ କେତେ ଟଙ୍କା ନିଆଯାଉଛି ବୁଝାଇବାକୁ ଚେଷ୍ଟା କରିଥିଲେ। ପାୱାରକଟକୁ କିଭଳି ରୋକାଯିବ ସେ ଉଦ୍ୟମ ଟାଟାପାୱାର ପକ୍ଷରୁ ଜାରି ରହିଛି ବୋଲି ବୁଝାଇଥିଲେ। ଟାଟାପାୱାର ଓ ରାଜ୍ୟ ସରକାର ମଧ୍ୟରେ ଚାଳିଥିବା ମଧୁଚନ୍ଦ୍ରିକା ଯୋଗୁଁ ଲୋକେ ଅଘୋଷିତ ବିଦ୍ୟୁତ କାଟରେ ହନ୍ତସନ୍ତ ହେଉଛନ୍ତି ବୋଲି ଶ୍ରୀ ସାମନ୍ତରାୟ ଅଭିଯୋଗ କରିଛନ୍ତି। ଟାଟାପାୱର ଘର ଗୁଡିକରେ ମାଗଣାରେ ମିଟର ଲଗାଇବା ନାଁରେ ସ୍ମାର୍ଟ ମିଟର ଲଗାଇ ତ୍ରୁଟିପୁର୍ଣ୍ଣ ବିଲ୍ ଏବଂ ଅଧିକା ବିଲ୍ ନେଉଛନ୍ତି। ଏହାକୁ ତୁରନ୍ତ ସଂଶୋଧନ କରାନଗଲେ ଆଗାମୀ ଦିନରେ ବିଜେପି ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଶ୍ରୀ ସାମନ୍ତରାୟ ଚେତାବନୀ ଦେଇଛନ୍ତି।

ଗରିବ ତଥା ମଧ୍ୟବିତ୍ତ ଶ୍ରେଣୀର ଲୋକେ ବିଦ୍ୟୁତ ବିଲ୍ ପୈଠ କରି ପାରୁନାହାନ୍ତି। ନୂଆ ନିୟମ ଓ ନିୟମର ପଶାପାଲୀରେ ଲୋକଙ୍କୁ ନାହିଁ ନଥିବା ହଇରାଣ କରାଯାଉଛି। ଅତ୍ୟାଧୁନିକ ଏବଂ ସଂପୁର୍ଣ୍ଣ ପୁନଃରୁଦ୍ଧାର କରାଯାଇଥିବା ସରକାର କହୁଥିବା ବେଳେ ଉପଯୁକ୍ତ ବିଦ୍ୟୁତସେବା ଉପଲବ୍ଧ ହୋଇ ପାରୁନଥିବାରୁ ଲୋକେ ପ୍ରବଳ ଧୁଧୁ ଖରା, ଗୁଳୁଗୁଳିରେ ଥରେ ବିଦ୍ୟୁତ ଚାଳିଗଲେ ନାହିଁ ନଥିବା ହଇରାଣର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଥିଲେ ବିଜେପି ନେତା ଓ ନେତ୍ରୀ ମାନେ। ଟାଟାପାୱର ଉପଯୁକ୍ତ ସେବା ଯୋଗାଇବ ବୋଲି ଯେଉଁ ଆଶା କରାଯାଇଥିବା ତାହା ନିରାଶରେ ପାଲଟିଛି। ନିରନ୍ତର ବିଦ୍ୟୁତ ସେବା, ତ୍ରୁଟି ପୁର୍ଣ୍ଣ ବିଲ୍ ପ୍ରସ୍ତୁତିକୁ ସଜାଡିବା, ସ୍ମାର୍ଟ ମିଟର ଓ ଏଥିରେ ଲାଗିଥିବା ତାର, ଲାଇଟ୍ ଆଦିକୁ ସଜାଡ଼ା ନ ଗଲେ ବିଜେପି ଆନ୍ଦୋଳନ କରିବ ବୋଲି ଏମାନେ ଚେତାବନୀ ଦେଇଥିଲେ। ଯଦିଓ ରାଜନୈତିକ ଦଳ ବିଜେପି ପକ୍ଷରୁ ଏହି ଘେରାଉଓଧାରଣା ଦିଆଯାଉଥିଲେ ହେଁ ସହରରେ ସବୁ ଦଳ ଓ ବୁଦ୍ଧିଜୀବୀ, ସାହିତ୍ୟିକ, ଗନ୍ୟମାନ୍ୟ ବ୍ୟକ୍ତି ମାନେ ଦାବିରେ ଯର୍ଥଥା ରହିଛି, ରାଜ୍ୟସରକାର ତୁରନ୍ତ ଦୃଷ୍ଟି ଦେବା ଆବଶ୍ୟକ ବୋଲି ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର