ହବିଷ୍ୟାଳୀମୟ ଶ୍ରୀକ୍ଷେତ୍ର: ୫ଟି ସରକାରୀ ଶିବିରରେ ୩ହଜାର ହବିଷ୍ୟାଳୀ

ପଞ୍ଜୀକରଣ ନକରି ଦହଗଞ୍ଜ ହେଲେ ବହୁ ହବିଷ୍ୟାଳୀ

ପୁରୀ : ଶ୍ରୀକ୍ଷେତ୍ରକୁ ଛୁଟିଛି ହବିଷ୍ୟାଳୀଙ୍କ ସୁଅ। ରାତି ପାହିଲେ ହବିଷ୍ୟାଳୀମାନେ କାର୍ତ୍ତିକ ବ୍ରତ ଅନୁକୂଳ କରିବେ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମଥର ପାଇଁ ହବିଷ୍ୟାଳୀଙ୍କୁ ସ୍ଥାୟୀ ଆବାସିକ ଯୋଗାଇ ଦେଇଛି ପ୍ରଶାସନ। ୫ଟି ସ୍ଥାନରେ ୩ହଜାର ହବିଷ୍ୟାଳୀଙ୍କ ରହଣି ବ୍ୟବସ୍ଥା କରାଯାଇଥିଲେ ହେଁ ଆଶାୟୀଙ୍କ ସଂଖ୍ୟା ଦୁଇଗୁଣା ଟପିଛି। ତେଣୁ ହବିଷ୍ୟାଳୀ ଓ ପ୍ରଶାସନକୁ ହଟହଟା ହେବାକୁ ପଡ଼ିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରତଧାରୀ ୩ ହଜାର ହବିଷ୍ୟାଳୀଙ୍କ ପାଇଁ ଆବାସ ସହ ଖାଦ୍ୟପେୟର ବନ୍ଦୋବସ୍ତ କରାଯାଇଛି। ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ବାଗେଡ଼ିଆ ଧର୍ମଶାଳା, ମୋଚିସାହିସ୍ଥିତ ପୌରସଂସ୍ଥା କଲ୍ୟାଣ ମଣ୍ଡପ ଓ ଅକ୍ଷୟ ପାତ୍ର ଫାଉଣ୍ଡେସନ ମଧ୍ୟରେ ରହଣି ବ୍ୟବସ୍ଥା କରାଯାଇଛି। ମାତ୍ର ବହୁ ହବିଷ୍ୟାଳୀ ବିନା ପଞ୍ଜୀକରଣରେ ଆସି ରହିବା ପାଇଁ ଦାବି କରିବା ପରେ ପ୍ରଶାସନ ସମସ୍ୟାରେ ପଡ଼ିଛି।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସ ଜରିଆରେ ବୃନ୍ଦାବତୀ ନିବାସ ଓ ହବିଷ୍ୟାଳୀ ଯୋଜନାର ଶୁଭାରମ୍ଭ କରିବେ। ନୂତନ ଭାବେ ନିର୍ମିତ ବୃନ୍ଦାବତୀ ନିବାସରେ ପୁରୀ, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାର ୧୬୦୪ ଜଣ, ଅକ୍ଷୟ ପାତ୍ର ଫାଉଣ୍ଡେସନ, ବଗଲା ଧର୍ମଶାଳା ଓ ବାଗେଡିଆ ଧର୍ମଶାଳାରେ ଖୋର୍ଦ୍ଧା ଜିଲ୍ଲାର ୭୩୦ ଜଣ, ମୋଚିସାହି କଲ୍ୟାଣ ମଣ୍ଡପରେ ଅବଶିଷ୍ଟ ଜିଲ୍ଲାର ୬୦୧ ଜଣ ହବିଷ୍ୟାଳୀମାନଙ୍କର ରହଣିର ବ୍ୟବସ୍ଥା ହୋଇଛି। ତେବେ ଆଜି ବୃନ୍ଦାବତୀ ନିବାସରେ ୨ହଜାରରୁ ଅଧିକହବିଷ୍ୟାଳୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା। କିଛି ହବିଷ୍ୟାଳୀ ନିଜ ସହ ଅନ୍ୟ କିଛି ହବିଷ୍ୟାଳୀଙ୍କୁ ନେଇ ଆସିଥିବାରୁ ସେମାନଙ୍କ ରହଣି ପାଇଁ ଦାବି କରିଥିଲେ। ଅନ୍ୟ ଜିଲ୍ଲାର କିଛି ପ୍ରଭାବଶାଳୀ ରାଜନେତାମାନେ ମଧ୍ୟ ନିଜ ଅଞ୍ଚଳର ହବିଷ୍ୟାଳୀମାନଙ୍କୁ ସରକାରଙ୍କ ଦ୍ବାରା ହୋଇଥିବା ନିବାସରେ ସ୍ଥାନ ଦେବାକୁ ଦାବି କରିଥିଲେ। ତେଣୁ ସମସ୍ୟା ସୃଷ୍ଟି ହୋଇଥିଲା।

ପ୍ରଥମ ଭୋଗ ମଣ୍ଡପ ପରେ ସଅଳ ମହାପ୍ରସାଦ ଯୋଗାଇବାକୁ ଗୁରୁତ୍ବ

ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ପଞ୍ଜୀକରଣ କରିଥିବା ହବିଷ୍ୟାଳୀମାନଙ୍କୁ ଅଗ୍ରାଧିକାର ଦିଆଯାଉଛି। ଯଦି କେହି ଅନୁପସ୍ଥିତ ରୁହନ୍ତି ତାଙ୍କ ସ୍ଥାନରେ ଅଣପଞ୍ଜୀକୃତ ହବିଷ୍ୟାଳୀଙ୍କୁ ଆବାସ ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ଏହାକୁ ନେଇ ହବିଷ୍ୟାଳୀଙ୍କ ମଧ୍ୟରେ ଅସନ୍ତୋଷ ‌ପ୍ରକାଶ ପାଇଛି। କିଛି ହବିଷ୍ୟାଳୀ କହିଛନ୍ତି ଯେ ସେମାନେ ପଞ୍ଜୀକରଣ କରିଥିଲେ ସୁଦ୍ଧା ସେମାନଙ୍କୁ ଆବାସ ମିଳିନାହିଁ। ବାସ୍ତବରେ ହବିଷ୍ୟାଳୀମାନେ ବୁଷ୍ଟର ଡୋଜ୍‌ ନେଇଥିବା ନିୟମ କରାଯାଇଥିବାରୁ ଏହି ଆଧାରରେ କିଛି ହବିଷ୍ୟାଳୀଙ୍କୁ ବାଦ୍‌ ଦିଆଯାଇଥିବାରୁ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ପଞ୍ଜିକୃତ କରିନଥିବା ବହୁ ହବିଷ୍ୟାଳୀ ସରକାରୀ ହବିଷ୍ୟାଳୀ ଶିବିରରେ ରହିବା ଆଶାରେ ବିଭିନ୍ନ ସ୍ଥାନରେ ହୋଇଥିବା ଶିବିର ବୁଲି ଦହଗଞ୍ଜ ହୋଇ ଶେଷରେ ନିଜନିଜ ବ୍ୟବସ୍ଥାରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହୋଇଛନ୍ତି।

ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମାଧବ ମହାପାତ୍ର କହିଛନ୍ତି, ହବିଷ୍ୟାଳୀଙ୍କ ସୁବିଧା ଦୃଷ୍ଟିରୁ ସଅଳ ଓ ଶୃଙ୍ଖଳିତ ନୀତିକାନ୍ତିକୁ ଗୁରୁତ୍ବ ଦିଆଯାଉଛି ବୋଲି କହିଛନ୍ତି। ଠିକ୍‌ ସମୟରେ ପ୍ରଥମ ଭୋଗ ମଣ୍ଡପ ଉଠିବା ସହ ହବିଷ୍ୟାଳୀମାନେ ଯେପରି ଉଚିତ୍‌ ସମୟରେ ମହାପ୍ରସାଦ ସେବନ କରିବେ ସେନେଇ ଗୁରୁତ୍ବ ଦିଆଯାଉଛି। ଏତଦ୍‌ବ୍ୟତୀତ ଏକାଦଶୀ, ସୂଯ୍ୟୋପରାଗ ଦିନ ହବିଷ୍ୟାଳୀମାନଙ୍କୁ ଖାଦ୍ୟରେ ଫଳ ଦିଆଯିବାର ବନ୍ଦୋବସ୍ତ କରାଯାଇଛି। ହବିଷ୍ୟାଳୀମାନଙ୍କ ନିକଟରେ ମହାପ୍ରସାଦ ପହଞ୍ଚାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ଦାୟିତ୍ବ ନେଇଥିବା ବେଳେ ଅବଢ଼ା ବୋଝେୟାମାନେ ସ୍ବତନ୍ତ୍ର ଡ୍ରେସ୍‌ କୋଡ୍‌ ପରିଧାନ କରି ନିଜ ଦାୟିତ୍ବ ତୁଲାଇବେ। ଅବଢ଼ା ପହଞ୍ଚାଇବା ସହ ବିତରଣ କରିବେ। ବୃନ୍ଦାବତୀ ନିବାସ ନିକଟରେ ଥିବା ନରେନ୍ଦ୍ର ପୁଷ୍କରିଣୀରେ ହବିଷ୍ୟାଳୀମାନେ ସ୍ନାନ କରିବା ପାଇଁ ପ୍ରାଧାନ୍ୟ ଦେଉଥିବାରୁ ପାହାଚଗୁଡ଼ିକ ଯେପରି ଶିଉଳି ମୁକ୍ତ ରହିବ ସେ ଦିଗରେ ଗୁରୁତ୍ବ ଦିଆଯାଇଛି। ସେହିପରି ହବିଷ୍ୟାଳୀମାନେ ସୁରକ୍ଷିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ମଧ୍ୟ ପୁଲିସ୍‌ ପ୍ରଶାସନ ସହଯୋଗରେ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର