୩ ନମ୍ବର ବ୍ରାକେଟ୍‌ରେ ବିସ୍ଫୋରଣ: ମାଛକୁଣ୍ଡ ପ୍ରକଳ୍ପରେ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ

ଲମତାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପରେ ପୁଣି ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଗତକାଲି ବିଳମ୍ବିତ ରାତିରେ ୩ନମ୍ବର‌ ଜେନେରେଟରେ ବିସ୍ଫୋରଣ ହୋଇଥିଲା। ବ୍ରାକେଟ୍‌ରେ ଏହି ବିସ୍ଫୋରଣ ହୋଇ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଯାହାଫଳରେ, ଜଳ ବିଦ୍ୟୁତ କେନ୍ଦ୍ରର ସମସ୍ତ ଟର୍ବାଇନ୍‌ ଠପ୍‌ ହୋଇଯାଇଛି। ଯାହାର ସିଧାସଳଖ ପ୍ରଭାବ ବିଦ୍ୟୁତ ଉତ୍ପାଦନ ଉପରେ ପଡ଼ିଛି। ମିଳିଥିବା ସୂଚନା ଅନୁସାରେ, କେଉଁ କାରଣରୁ ବ୍ରାକେଟ୍‌ରେ ବିସ୍ଫୋରଣ ହେଲା ସ୍ପଷ୍ଟ ହୋଇପାରିନି। ତଥାପି ବିଦ୍ୟୁତ ଉତ୍ପାଦନକୁ ସ୍ବାଭାବିକ କରିବାକୁ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀଙ୍କ ସହ ସମସ୍ତ ଯନ୍ତ୍ରୀ ଲାଗି ପଡ଼ିଛନ୍ତି। ଗତକାଲି ରାତିରୁ ହିଁ ମରାମତି କାମ ଆରମ୍ଭ ହୋଇଥିଲା। ତେଣୁ ସକାଳ ସୁଦ୍ଧା ୧ନମ୍ବର ଜେନେରେଟର କାର୍ଯ୍ୟକ୍ଷମ ହୋଇଯାଇଥିଲା। ଏହାପରେ ବିଦ୍ୟୁତ ଉତ୍ପାଦନ ପୁନଃ ସ୍ବାଭାବିକ ହୋଇଥିବା ସୂଚନା ମିଳିଛି।

ସେହିପରି କର୍ମଚାରୀମାନେ ୨, ୪, ୫ ଏବଂ ୬ନମ୍ବର ଜେନେରେଟର ମରାମତି କାମ ଜାରି ରଖିଛନ୍ତି। ସଂଧ୍ୟା ସୁଦ୍ଧା ୨ ,୩, ୪ ଓ ୬ ନମ୍ବର ଟର୍ବାଇନ ମରାମତି କାମ ଶେଷ ହେବାରୁ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହୋଇଥିଲା। ଉପରୋକ୍ତ ଚାରୋଟି ଟର୍ବାଇନରୁ ୭୩ ମେଗାୱାଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ ଉତ୍ପାଦନ ହେଉଥିବା ଖବର ମିଳିଛି। ଆସନ୍ତାକାଲି ସୁଦ୍ଧା ୧ ଏବଂ ୫ନମ୍ବର ଟର୍ବାଇନ୍‌ ମରାମତି କାମ ଶେଷହେବାର ସମ୍ଭାବନା ରହିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, କିଛି ମାସ ତଳେ ବୈଷୟିକ କାରଣରୁ ଏହି ପ୍ରକଳ୍ପରେ କିଛି ଘଣ୍ଟା ପାଇଁ ବିଦ୍ୟୁତ ଉତ୍ପାଦନ ବନ୍ଦ ରହିଥିଲା।

ସମ୍ବନ୍ଧିତ ଖବର