ମେମୁ ପାସେଞ୍ଜର ଟ୍ରେନ୍‌ରେ ନିଆଁ ଲାଗିଲା, ଅଳ୍ପକେ ବର୍ତ୍ତିଲେ ୭୦୦ ଯାତ୍ରୀ

ବାଲେଶ୍ଵର: ଭଦ୍ରକ-ଖଡ଼ଗପୁର ମେମୁ ପାସେଞ୍ଜର ଟ୍ରେନ୍‌ର ପଛ ବଗିରେ ନିଆଁ ଲାଗିଛି। ପାଇଲଟ ଜରୁରୀକାଳୀନ ବ୍ରେକ୍‌ ଦେବା ପରେ ବାହାନଗା ଷ୍ଟେସନରେ ରେଳ କର୍ମଚାରୀ ନିଆଁକୁ ନିଆଁ ଲିଭା ଗ୍ୟାସ୍‌ରେ ଲିଭାଇ ନିଆଁକୁ ଆୟତ କରିଛନ୍ତି। ଫଳରେ ଟ୍ରେନ୍‌ରେ ଥିବା ପ୍ରାୟ ୭୦୦ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଯେଉଁ ବଗି ନିଆଁ ଲାଗିଥିଲା, ଏଥିରେ ପ୍ରାୟ ୧୫୦ରୁ ଊର୍ଦ୍ଧ୍ବ ଯାତ୍ରୀ ଥିଲେ।

ସୂଚନା ମୁତାବକ ଭଦ୍ରକ ଷ୍ଟେସନରୁ ଟ୍ରେନ୍‌ଟି ଛାଡ଼ିବା ପରଠାରୁ ବାରମ୍ବାର ବ୍ରେକ ଦେବାରୁ ଟ୍ରେନ ଅଟକି ଅଟକି ଚାଲୁଥିଲା। ତେବେ ବାହାନଗା ଷ୍ଟେସନ ପହଞ୍ଚିବା ଠିକ ପୂର୍ବରୁ ଶେଷ ବଗିରେ ଜୋର୍ ଧୂଆଁ ବାହାରିଥିଲା ଓ ଯାତ୍ରୀମାନେ ଚିତ୍କାର କରିବାକୁ ଟ୍ରେନ୍‌ର ପାଇଲଟ ଜରୁରୀକାଳୀନ ବ୍ରେକ ଦେବାରୁ ଯାତ୍ରୀମାନେ ଭୟଭୀତ ହୋଇ ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ। ସଙ୍ଗେ ସଙ୍ଗେ ନିଆଁ ଲିଭାଯାଇଥିଲା। ରେଳ କର୍ମଚାରୀ ଗ୍ୟାସରେ ନିଆଁକୁ ଆୟତ କରିଥିଲେ। କୌଣସି ଯାତ୍ରୀଙ୍କ କ୍ଷତି ହୋଇ ନ ଥିବା ଜଣାପଡ଼ିଛି ଓ ଟ୍ରେନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ରହିଥିବାରୁ ଏବେ ମଧ୍ୟ ଟ୍ରେନ୍‌ଟି ଷ୍ଟେସନରେ ଅଟକି ରହିଛି। ଟ୍ରେନ୍‌ ଚକ ଘଷି ହୋଇ ସେଥିରୁ ନିଆଁ ବାହାରି ବ୍ରେକ୍‌ରେ ନିଆଁ ଲାଗି ଯାଇଥିଲା ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର