ଖଡ଼ଗପୁର-ଭଦ୍ରକ ପାସେଞ୍ଜର ଓ କୋଇଲା ବୋଝେଇ ​ଟ୍ରେନ୍‌ରେ ନିଆଁ

ଲକ୍ଷ୍ମଣନାଥ ଷ୍ଟେସନ୍‌ରେ ଓହ୍ଲାଇ ପଡ଼ିଲେ ଭୟଭୀତ ଯାତ୍ରୀ

ଜଳେଶ୍ଵର: ପୁଣି ଗୋଟିଏ ପାସେଞ୍ଜର ଟ୍ରେନ୍‌ ଓ ଗୋଟିଏ ମାଲ୍‌ବାହୀ ଟ୍ରେନ୍‌ରେ ନିଆଁ ଲାଗିଛି। ପାସେଞ୍ଜର ଟ୍ରେନ୍‌ର ଯାତ୍ରୀମାନେ ଭୟରେ ଓହ୍ଲାଇ ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ଗୋଟିଏ ଘଟଣା ବାଲେଶ୍ବର ଜିଲ୍ଲା ଲକ୍ଷ୍ମଣନାଥ ଷ୍ଟେସନ୍ ନିକଟରେ ଘଟିଥିବା ବେଳେ ଅନ୍ୟଟି ପଡ଼ୋଶୀ ପଶ୍ଚିମବଙ୍ଗର ଦାନ୍ତୁନ ଷ୍ଟେସନ୍‌ ନିକଟରେ ଘଟିଛି। ଖବର ଅନୁସାରେ ଆଜି ନିର୍ଦ୍ଧାରିତ ସମୟରେ ଖଡ଼ଗପୁର-ଭଦ୍ରକ ପାସେଞ୍ଜର ଟ୍ରେନ୍‌ ଯାତ୍ରା କରୁଥିଲା। ତେବେ ଟ୍ରେନ୍‌ଟି ପଶ୍ଚିମବଙ୍ଗର ଆଙ୍ଗୁଆ ଷ୍ଟେସନ୍‌ ଅତିକ୍ରମ କଲା ପରେ ଇଞ୍ଜିନ୍‌ ନିକଟରୁ ପ୍ରବଳ ଧୂଆଁ ବାହାରିଥିଲା। ଫଳରେ ଇଞ୍ଜିନ୍‌କୁ ଲାଗି ରହିଥିବା ବଗିର ଯାତ୍ରୀମାନେ ଭୟଭୀତ ହୋଇ ପଡ଼ିଥିଲେ। ଘଟଣା ସଂପର୍କରେ ସେମାନେ ଟ୍ରେନ୍‌ର ଲୋକୋ ପାଇଲଟ୍‌ଙ୍କୁ ଜଣାଇଥିଲେ।

ଫଳରେ ସକାଳ ପ୍ରାୟ ୭ଟା ବେଳେ ଟ୍ରେନ୍‌କୁ ଲକ୍ଷ୍ମଣନାଥ ରୋଡ୍‌ ଷ୍ଟେସନ୍‌ରେ ଅଟକାଇ ଲୋକୋ ପାଇଲଟ୍‌ ସ୍ଥିତି ଯାଞ୍ଚ କରିଥିଲେ। ଏପରି ସମୟରେ ଯାତ୍ରୀମାନେ ଭୟରେ ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ଯାଞ୍ଚ ପରେ କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଧୂଆଁ ବାହାରୁଥିବା ଜଣାପଡ଼ିଥିଲା। ଏ ନେଇ ପାଇଲଟ୍‌ ଖଡ଼ଗପୁର ଡିଭିଜନ୍‌ ଅଫିସ୍‌କୁ ଜଣାଇଥିଲେ ଏବଂ ନିର୍ଦ୍ଦେଶ ଅନୁସାରେ ପ୍ରାଥମିକ ମରାମତି କରିଥିଲେ। ପାଖାପାଖି ୪୦ ମିନିଟ୍‌ ପରେ ମରାମତି କାମ ସରିବାରୁ ଟ୍ରେନ୍‌ଟି ଭଦ୍ରକ ଅଭିମୁଖେ ଯାଇଥିବା ଜଳେଶ୍ଵର ଷ୍ଟେସନ୍‌ ମ୍ୟାନେଜର ଖଗେନ୍ଦ୍ରନାଥ ମଣ୍ଡଳ ସୂଚନା ଦେଇଛନ୍ତି।

ଅନ୍ୟପଟେ ଆଜି ଏକ କୋଇଲା ବୋଝେଇ ଟ୍ରେନ୍‌ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା। ଏହି ସମୟରେ ଟ୍ରେନ୍‌ର ଗୋଟିଏ ବଗିରେ କୋଇଲା ଜଳୁଥିବା ଦେଖିବାକୁ ମିଳିଥିଲା। ତେବେ ସକାଳ ପ୍ରାୟ ୮ଟା ବେଳେ ଟ୍ରେନ୍‌ଟି ପଶ୍ଚିମବଙ୍ଗର ଦାନ୍ତୁନ ଷ୍ଟେସନ୍‌ ନିକଟରେ ଅଟକିଥିଲା। ସେତେବେଳକୁ ନିଆଁ ଲିଭିଯାଇଥିଲେ ବି ସୁରକ୍ଷା ଦୃଷ୍ଟିରୁ ଯାଞ୍ଚ ହୋଇଥିଲା। ସ୍ଥିତି ନିୟନ୍ତ୍ରଣାଧୀନ ଥିବା ଜଣାପଡ଼ିବା ପରେ ଟ୍ରେନ୍‌ଟି ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଇଥିଲା। ତେବେ ଘଣ୍ଟାଏ ଭିତରେ ଦୁଇଟି ଯାକ ଘଟଣା ଘଟିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର