ଗାଙ୍ଗପୁର ଥାନା ଅଧିକାରୀ ପାଇଲେ ଶ୍ରେଷ୍ଠ ଥାନା ପୁରସ୍କାର ଓ ଟ୍ରଫି

କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ନିକଟରୁ ଗ୍ରହଣ କଲେ

ଭଞ୍ଜନଗର: ଓଡ଼ିଶାର ଏକମାତ୍ର ଥାନା ଭାବେ ଗାଙ୍ଗପୁର ଥାନା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଧାର୍ଯ୍ୟ କରିଥିବା ସମସ୍ତ ମାନଦଣ୍ଡ ପୂରଣ କରି ଦେଶର ଶ୍ରେଷ୍ଠ ଦ୍ବିତୀୟ ଥାନା ଭାବେ ଘୋଷାଣା ହେବା ପରେ ଆଜି ଥାନା ଧିରେଶ କୁମାର ଦାସ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଠାରୁ ଟ୍ରଫି ଓ ମାନପତ୍ର ଗ୍ରହଣ କରିଛନ୍ତି। ରାଜ୍ୟ ପୁଲିସ୍ ଡିଜି ଅଭୟ କୁମାର ମଧ୍ୟ ପୁରସ୍କାର ଗ୍ରହଣ କରିବା ସମୟରେ ଉପସ୍ଥିତ ଥିଲେ। ଓଡ଼ିଶାର ଏକମାତ୍ର ଥାନା ଭାବେ ଏହି ଥାନା ଚୟନ ହୋଇ ରାଜ୍ୟ ଓ ଜିଲ୍ଲା ଗୌରବ ବୃଦ୍ଧି କରିପାରିଛି। ଏହି ସର୍ଭେରେ ଦିଲ୍ଲୀର ସଦର ଥାନା ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ବିତୀୟରେ ଗାଙ୍ଗପୁର ଏବଂ ତୃତୀୟ ସ୍ଥାନରେ ହରିଆନାର ଫରିଦାବାଦ ଥାନା ଚୟନ ହୋଇ ଆଜି କେନ୍ଦ୍ର ମନ୍ତ୍ରୀଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଲକ୍ଷ୍ନୌରେ ଦେଶର ସମସ୍ତ ରାଜ୍ୟର ଡିଜିପି ମାନଙ୍କୁ ନେରଇ ସମ୍ମିଳନୀ ଚାଲିଛି। ଏହି ଅବସରରେ ଏହି ଗାଙ୍ଗପୁର ଥାନା ଅଧିକାରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।

ପୁଲିସ୍ ସେବା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ସହ ଥାନା ପରିସରରେ ବନ୍ଧୁତ୍ବ ବାତାବରଣ ସୃଷ୍ଟି କରିବାରେ ଗାଙ୍ଗପୁର ପୁଲିସ୍ ଅଗ୍ରଣୀ ରହିଛି। ଏଥିସହ ଇ ଗର୍ଭନାନ୍ସ୍ ଜରିଆରେ କେନ୍ଦ୍ର ସରକାର ନିର୍ଦ୍ଧାରଣ କରିଥିବା ୪୯ଟି ମାନଦଣ୍ଡ ସିସିଟିଏନ୍ଏସ୍ରେ ଗାଙ୍ଗପୁର ଥାନା ପୂରଣ କରି ଶ୍ରେଷ୍ଠ ହୋଇପାରିଛି। ବ୍ୟପକ ଜୁଆ ଆଡ୍ଡାରେ ଚଢଉ ସହ ଅପରାଧ ନିୟନ୍ତ୍ରଣ,ଅବକାରୀ ଧରପଗଡ,,ପାର୍ସପୋର୍ଟ,ସର୍ଭିସ୍ ଯାଞ୍ଚ ଆଦି କାର୍ଯ୍ୟ ସଠିକ୍ ସମୟରେ କରି ସିସିଟିଏନ୍ଏସ୍ରେ ପଞ୍ଜିକରଣ କରିପାରିଛି।

ଏହି ସର୍ଭେର ପ୍ରାରମ୍ଭିକ ପର୍ଯ୍ୟାୟରେ ସିସିଟିଏନଏସ୍ ପୋର୍ଟାଲ୍‌ରେ ତଥ୍ୟ ପଞ୍ଜୀକରଣ ଆଧାରରେ ଦେଶର ୭୨ଟି ଭଲ ଥାନାକୁ ଚୟନ କରାଯାଇଥିଲା। ଏଥିରେ ରାଜ୍ୟରୁ ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଏବଂ ସୋରଡ଼ା ଥାନା ରହିଥିଲା। ଏହାପରେ କେନ୍ଦ୍ରରୁ ଏକ ଟିମ୍ ଆସି ବିଭିନ୍ନ ମାନଦଣ୍ଡରେ ସରଜମିନ୍ ତଥ୍ୟ ସଂଗ୍ରହ ସହ ଲୋକମାନଙ୍କ ସହ ଆଲୋଚନା କରିଥିଲେ। ଥାନାର ସ୍ବଚ୍ଛତା, ପରିମଳ ଓ ଉତ୍ତମ ପରିବେଶ ସହ ଥାନାକୁ ଆସୁଥିବା ସାଧାରଣ ଲୋକଙ୍କ ପାଇଁ ଆନୁଷଙ୍ଗିକ ସୁବିଧା, ଶୌଚାଳୟ, ଶିଶୁ ଓ ମହିଳା ଡେସ୍କ୍ ସହ ଆଇପିସି ମାମଲା ଓ ଥାନାରେ ପଞ୍ଜୀକୃତ ହେଉଥିବା ସମସ୍ତ ମାମଲା ତଦନ୍ତ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରିଥିଲେ। ସେହିପରି ଗାଙ୍ଗପୁର ଥାନାର ସୌନ୍ଦର୍ଯ୍ୟୀକରଣ ଓ ଉନ୍ନତମାନର ଭିତ୍ତିଭୂମି ସର୍ଭେ ଟିମ୍କୁ ବେଶ୍ ପ୍ରଭାବିତ କରିଥିଲା। ସମସ୍ତ ତଥ୍ୟକୁ ଆଧାର କରି ଦେଶର ଶ୍ରେଷ୍ଠ ତିନି ଥାନା ଭିତରେ ଗାଙ୍ଗପୁରକୁ ଦ୍ବିତୀୟ ସ୍ଥାନ ଅଧିକାର କରିଛି।

ଏହି ଟ୍ରଫି ପାଇବାରେ ପରେ ଗାଙ୍ଗପୁର ଥାନା ଅଧିକାରୀ ଧିରେଶ କୁମାର ଦାଶ, ଏହି ସଫଳତା ପାଇଁ ଜିଲ୍ଲା ଏସ୍ପି ବ୍ରିଜେଶ କୁମାର ରାୟଙ୍କ ପ୍ରେରଣା, ୫ ଟି ଆଧାରରେ କାର୍ଯ୍ୟଧାରା ପରିବର୍ତ୍ତନ ସହ ଲୋକଙ୍କୁ ଉତ୍ତମ ଆଚରଣ ପ୍ରଦର୍ଶନ କରିବା ସହ ଥାନାର ପ୍ରତିଟି କ୍ଷେତ୍ରରେ ସଠିକ୍ ସମୟରେ କାର୍ଯ୍ୟ ଶେଷ କରିବା ସହାୟକ ହୋଇପାରିଛି। ପ୍ରତ୍ୟକ୍ଷ ଭାବେ ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ସହଯୋଗରେ ଥାନା କାର୍ଯ୍ୟ ପରିଚାଳନା କରିବା ଅତି ସହଜ ହୋଇପାରିଥିଲା ବୋଲି ସେଶ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ତେଣୁ ଏହି ପୁରସ୍କାର ପାଇବା ପଛରେ ଉଭୟ ଏସ୍ପି ଏବଂ ଏସ୍ଡିପିଓଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର