୨୦୨୩ ସୁଦ୍ଧା ସରିବ କାନପୁର ପ୍ରକଳ୍ପ

କାଞ୍ଜିପାଣିଘାଟି, ହଦଗଡ଼ରେ ହେବ ଇକୋ ଟୁରିଜିମ୍ ବ୍ୟବସ୍ଥା: ମୁଖ୍ୟ ଶାସନ ସଚିବ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍‌ ବାସୁଦେବପୁରଠାରେ ନିର୍ମାଣାଧୀନ କାନପୁର ଜଳସେଚନ ପ୍ରକଳ୍ପ କାମ ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ଏହାଛଡ଼ା କେନ୍ଦୁଝର ଜିଲ୍ଲାର ହଦଗଡ଼ ଏବଂ କାଞ୍ଜିପାଣିଠାରେ ଇକୋ ଟୁରିଜିମ୍‌ ବ୍ୟବସ୍ଥାର ବିକାଶ କରାଯିବ ବୋଲି ସେ କହିଛନ୍ତି।

ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଦୁଇଦିନିଆ କେନ୍ଦୁଝର ଜିଲ୍ଲା ଗ୍ରସ୍ତରେ ଆସିଛନ୍ତି। ଆଜି ଗସ୍ତର ଦ୍ବିତୀୟ ଦିନରେ ସେ କାନପୁର ଜଳସେଚନ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ଆଶିଷ ଠାକ୍‌ରେ, ଜଳସଚେନ ବିଭାଗର ବରିଷ୍ଠ ଯନ୍ତ୍ରୀ ଏବଂ କ୍ଷେତ୍ରସ୍ତରରେ କାର୍ଯ୍ୟରତ ଯନ୍ତ୍ରୀମାନଙ୍କ ସହ ଆଲୋଚନା କରି ପ୍ରକଳ୍ପର ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି। କାନପୁର ପ୍ରକଳ୍ପ ସ୍ପିଲ୍‌ୱେର ପ୍ରାୟ ୧୦୦ ମିଟର ପାଖାପାଖି ଜାତୀୟ ରାଜପଥ ଯାଇଥିବାରୁ ନଦୀରୁ ପାଣି ନିର୍ଗମନ ପାଇଁ ହାଇଲେଭଲ୍ ପୋଲ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)ର ଯନ୍ତ୍ରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ଚଳିତବର୍ଷ ଅକ୍ଟୋବର ସୁଦ୍ଧା ଏହାକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ୨୦୨୩ ଶେଷ ସୁଦ୍ଧା ଡ୍ୟାମ୍ ଓ କେନାଲ ନିର୍ମାଣ କାମ ଶେଷ କରି ଚାଷପାଇଁ ପାଣି ଯୋଗାଇବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଜଳସମ୍ପଦ ବିଭାଗର ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି, ଡ୍ୟାମ୍ ନିର୍ମାଣ ଓ ବିସ୍ଥାପିତଙ୍କ ଥଇଥାନ ସମସ୍ୟାର ସମାଧନ ପନ୍ଥା ବୈଠକରେ ବାହାର କରାଯାଇଛି।

ବୈତରଣୀ ନଦୀ ଉପରେ ନିର୍ମାଣାଧୀନ କାନପୁର ବହୁମୁଖୀ ଜଳସେଚନ ପ୍ରକଳ୍ପ ଦ୍ୱାରା ଚମ୍ପୁଆ, ଝୁମ୍ପୁରା, ପାଟଣା, କେନ୍ଦୁଝର ସଦର ଓ ଯୋଡ଼ା ବ୍ଲକ୍‌ର ୨୪୪ଟି ଗ୍ରାମର ୨୯ ହଜାର ୫୭୮ ହେକ୍ଟର ଜମି ଜଳସେଚିତ ହେବ। ଏସବୁ ଗ୍ରାମର ୧ ଲକ୍ଷ ୪୪ ହଜାର ୮୮୮ଜଣ ଲୋକ ଉପକୃତ ହେବେ। ମୁଖ୍ୟ ଡ୍ୟାମ୍, ୭୮.୨୧ କିମି ମୁଖ୍ୟ କେନାଲ୍, ୭୩.୭୩ କିମି ଶାଖା କେନାଲ ଏବଂ ୨୯୧.୫୫ କିମି ମାଇନର, ସବ୍‌ମାଇନର କେନାଲ ଏହି ପ୍ରକଳ୍ପର ମୁଖ୍ୟାଂଶ। ଏହାଛଡ଼ା ପ୍ରକଳ୍ପରୁ ୪.୨ ମେଗାୱାଟ୍ ଜଳବିଦ୍ୟୁତ ଉତ୍ପାଦନ ହେବ। ପ୍ରକଳ୍ପ ପାଇଁ ମୋଟ ୨୪୩୮.୨୯ କୋଟି ଟଙ୍କା ବିନିଯୋଗ ହେବ। ଏଥିରୁ ରାଜ୍ୟ ସରକାର ୧୫୫୫.୨୬ କୋଟି ଏବଂ କେନ୍ଦ୍ର ସରକାର ୮୮୩.୦୩ କୋଟି ଟଙ୍କା ଯୋଗାଇଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ୩୪୬୦ ମିଟର ଲମ୍ବ ଡ୍ୟାମ୍‌ର ପ୍ରାୟ ୮୬ ପ୍ରତିଶତ ନିର୍ମାଣ ସରିଛି। ଅବଶିଷ୍ଟ ୧୪ ପ୍ରତିଶତ କାମ ଦ୍ରୁତଗତିରେ ଚାଲିଛି। ସ୍ପିଲ୍‌ୱେର ୮୬ ପ୍ରତିଶତ ଏବଂ ୭୬ ପ୍ରତିଶତ କେନାଲ୍‌ ନିର୍ମାଣ ସରିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସମ୍ପୂର୍ଣ୍ଣ କରିବା ପାଇଁ ସାପ୍ତାହିକ ଓ ମାସିକ କାର୍ଯ୍ୟସାରଣୀ ପ୍ରସ୍ତୁତ କରି ତାର ନିୟମିତ ଅନୁଧ୍ୟାନ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ପରେ, ଶ୍ରୀ ମହାପାତ୍ର କାଞ୍ଜିପାଣି ଘାଟି ଓ ହଦଗଡ଼ ପରିଦର୍ଶନ କରି ସେଠାରେ ଇକୋ ଟୁରିଜିମ୍‌ର ବିକାଶ ପାଇଁ ଥିବା ସମ୍ଭାବନା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କୁ ସାମିଲ କରି ଇକୋ ଟୁରିଜିମ୍‌ ସୁବିଧା ସୃଷ୍ଟି ନିମନ୍ତେ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ଶ୍ରୀ ଠାକ୍‌ରେ, ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍‌ଡିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରକଳ୍ପ ଦ୍ବାରା ଉକ୍ତ ଅଞ୍ଚଳର ଲୋକଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବା ସହ ଆୟ ପନ୍ଥା ବୃଦ୍ଧି ପାଇବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର