ରାଜ୍ୟରେ ବଢ଼ିବ ମୌସୁମୀ ବର୍ଷା; ୫ ଦିନ ଲାଗି ବିଭିନ୍ନ ଅଞ୍ଚଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ପ୍ରବାହଜନିତ ବର୍ଷା ସତର୍କ ସୂଚନା ଜାରି କଲେ ଏଆରସି

ଭୁବନେଶ୍ବର:  ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୁର୍ଣ୍ଣିବଳୟ ଯାହାର ପ୍ରଭାବରେ ଉପକୂଳ ଓଡିଶାରେ ବର୍ଷା ହେଉଛି। ଦୁର୍ବଳ ଥିବା ମୌସୁମୀ ସ୍ୱାଭାବିକ ହେଉଛି। ଆଜିଠୁ ରାଜ୍ୟର ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ପ୍ରବାହଜନିତ ବୃଷ୍ଟିପାତ ସଂକ୍ରାନ୍ତରେ ସମସ୍ତ ଜିଲ୍ଲାପାଳଙ୍କୁ ରାଜ୍ୟ ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ଙ୍କ କାର୍ଯ୍ୟାଳୟରୁ ମଙ୍ଗଳବାର ଦିନ ସତର୍କ ସୂଚନା ଜାରି କରାଯାଇଛି। ୬ ତାରିଖରେ ରାଜ୍ୟରେ ବିସ୍ତୃତ ଭାବରେ ବର୍ଷା ସମ୍ଭାବନା ତଥା କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।

ବର୍ଷାଜନିତ ଯେକୌଣସି ପ୍ରକାର ଦୁର୍ବିପାକର ମୁକାବିଲା କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିବାକୁ ଏଥିରେ ନିର୍ଦେଶ ଦିଆଯାଇଛି।

ବୁଧବାର ସକାଳ ୮.୩୦ ପର୍ଯ୍ୟନ୍ତ ଜାରି କରାଯାଇଥିବା ସତର୍କ ସୂଚନାରେ ଉଲ୍ଲେଖ ଅଛି ଯେ, ମଧ୍ୟାହ୍ନ ପାଣିପାଗ ବୁଲେଟିନ୍‌ ଅନୁସାରେ, ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ପ୍ରବାହ ଯୋଗୁଁ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ଅଳ୍ପ କେତେକ ସ୍ଥାନରେ ବିଜୁଳିଘଡ଼ଘଡ଼ି ସହିତ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହାଛଡ଼ା, କୋରାପୁଟ ସମେତ ଦକ୍ଷିଣ ଅଭ୍ୟନ୍ତରୀଣ ଓ ଅଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାମାନଙ୍କରେ ଗ‌ୋଟିଏ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ବର୍ଷି ପାରେ।

‌ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଏବଂ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ‘ୱେଲୋ ୱାର୍ଣ୍ଣିଙ୍ଗ୍‌’ ଜାରି କରାଯାଇଛି। ସେହିପରି, ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ଝଡ଼ବତାସ ଆଶଙ୍କା ଥିବାରୁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର ଓ ମୟୂରଭଞ୍ଜରେ ବି ‌ ବୁଧବାର ସକାଳ ୮.୩୦ ପର୍ଯ୍ୟନ୍ତ ‘ୟେଲୋ ୱାର୍ଣ୍ଣିଙ୍ଗ୍‌’ ଜାରି କରାଯାଇଛି।

Southwest Monsoon Covers Entire Odisha; Heavy Rains to Lash Several Districts This Week | The Weather Channel
Image Courtesy of The Weather Channel

ସେହିପରି, ବୁଧବାର ସକାଳ ୮.୩୦ରୁ ଗୁରୁବାର ସକାଳ ୮.୩୦ ମଧ୍ୟରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାପ୍ରତି ମଧ୍ୟ ‘ୟେଲୋ ୱାର୍ଣ୍ଣିଙ୍ଗ୍‌’ ଜାରି କରାଯାଇଛି।

ଗୁରୁବାର ସକାଳ ୮.୩୦ରୁ ଶୁକ୍ରବାର ସକାଳ ୮.୩୦ ମଧ୍ୟରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ମାଲକାନଗିରି, କୋରାପୁଟ, କଳାହାଣ୍ଡି, କନ୍ଧମାଳ ଓ ବଲାଙ୍ଗୀରରେ ଏବଂ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, ବୌଦ୍ଧ ଓ ନୂଆପଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ‘ୟେଲୋ ୱାର୍ଣ୍ଣିଙ୍ଗ୍‌’ ଜାରି କରାଯାଇଛି।

ଏହାଛଡ଼ା, ଶୁକ୍ରବାର ସକାଳ ୮.୩୦ରୁ ଶନିବାର ସକାଳ ୮.୩୦ ମଧ୍ୟରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲା ପ୍ରତି ମଧ୍ୟ ‘ୟେଲୋ ୱାର୍ଣ୍ଣିଙ୍ଗ୍‌’ ଜାରି କରାଯାଇଛି।

ପରିଶେଷରେ, ଶନିବାର ସକାଳ ୮.୩୦ରୁ ରବିବାର ସକାଳ ୮.୩୦ ମଧ୍ୟରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ବରଗଡ଼, ସମ୍ବଲପୁର, ସୋନପୁର, ଦେବଗଡ଼, ଅନଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲ୍ଲା ପ୍ରତି ‘ୟେଲୋ ୱାର୍ଣ୍ଣିଙ୍ଗ୍‌’ ଜାରି କରାଯାଇଛି।

ସମ୍ବନ୍ଧିତ ଖବର