୬୦ ଲକ୍ଷ ଠକେଇ, ପରିବାର ସହ ମହିଳା ଚମ୍ପଟ୍

ପାଇକମାଳ: ପାଇକମାଳ ବ୍ଲକ ଜାମସେଠ ପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଅଭିନବ ଘଟଣା । ଟଙ୍କା ଆଣି ଦେବି ଆଳ ଦେଖାଇ ୩ଟି ଗ୍ରାମର ମହିଳାଙ୍କଠାରୁ ପାଖାପାଖି ୬୦ ଲକ୍ଷ ଟଙ୍କା ଧରି ଜାମସେଠ ଗ୍ରାମରୁ ଫେରାର ହୋଇଛନ୍ତି କାଞ୍ଚନ ଭୋଇ ଓ ତାଙ୍କ ପରିବାର। କାଞ୍ଚନ ଭୋଇ ତାଙ୍କ ସ୍ବାମୀ ପ୍ରଭାକର ଭୋଇ ଏବଂ ପୁଅ ମନୋଜ ଭୋଇ ବହୁ ଦିନରୁ ଜାମସେଠ ଗ୍ରାମରେ ବସବାସ କରିଆସୁଥିଲେ। ମନୋଜ ଗାଁରେ ଇଣ୍ଡସ୍ ବ୍ୟାଙ୍କର ଏକ ଶାଖା ବା ଗ୍ରାହକ ସେବାକେନ୍ଦ୍ର ଖୋଲିଥିଲେ। ଜାମସେଠ, ଖରାମାଲ ଓ ଭରୁଆମୁଣ୍ଡା ଗ୍ରାମର ମହିଳାଙ୍କୁ ମାଇକ୍ରୋ ଫାଇନାନ୍ସ କମ୍ପାନିଠାରୁ ଋଣ କରିଦେବି କହି କାଞ୍ଚନ ସେମାନଙ୍କଠାରୁ ବିଭିନ୍ନ କାଗଜପତ୍ର ଆଣିଥିଲେ। ପରେ ସମସ୍ତ ମହିଳାଙ୍କୁ ଇଣ୍ଡସ୍ ବ୍ୟାଙ୍କରେ ଏକ ଜମା ଖାତା ଖୋଲିବାକୁ ପଡ଼ିବ ବୋଲି କହିଥିଲେ। ଏହାପରେ ଋଣ ଆଶାୟୀ ମହିଳାମାନେ ସମସ୍ତେ ଜମାଖାତା ଖୋଲିଥିଲେ।

କାଞ୍ଚନଙ୍କ କହିବା ମୁତାବକ ବିଭିନ୍ନ ମାଇକ୍ରୋ ଫାଇନାନ୍ସ କମ୍ପାନିଠାରୁ ଋଣ ଟଙ୍କା ଆସିଥିଲା। କାଞ୍ଚନ ଓ ମନୋଜ ଦୁହେଁ ଘରକୁ ଘର ଯାଇ ଟଙ୍କା ଆଣିଦେବୁ କହି ମହିଳାମାନଙ୍କଠାରୁ ତାଙ୍କ ଆଙ୍ଗୁଳି ସ୍କାନ କରିଥିଲେ। ବିଭିନ୍ନ ଆକାଉଣ୍ଟକୁ ଟଙ୍କା ଟ୍ରାନ୍‌ସଫର୍‌ କରିଥିଲେ। ପରେ ସ୍କାନ କରିବାର ଦୁଇରୁ ତିନି ଦିନ ପରେ ଟଙ୍କା ଆଣି ଦେଇଥିଲେ। ଏହି ବିଶ୍ବାସରୁ ଫାଇଦା ଉଠାଇ ମହିଳାମାନେ ନିଜ ଆଧାର ବ୍ୟାଙ୍କିଗ୍‌ ଜରିଆରେ ଟଙ୍କା ଉଠାଣ ପାଇଁ ଅନୁମତି ଦେଇଥିଲେ। କିନ୍ତୁ ସ୍କାନ୍ କରିବାର ଦୁଇ ଦିନ ପରେ ଟଙ୍କା ନ ଦେବାରୁ କିଛି ଲୋକ କାଞ୍ଚନ ଘରକୁ ଯାଇଥିଲେ। ପୁଅ ମନୋଜ ନୂଆପଡ଼ା ଓ ଖରିଆରୋଡ ଯାଇ ଟଙ୍କା ଆଣିବ ବୋଲି କହିଥିଲେ କାଞ୍ଚନ। ପରଦିନ ସକାଳେ ଦେଖିଲା ବେଳକୁ କାଞ୍ଚନ ଘରେ ଝୁଲୁଛି ଏକ ବଡ଼ ତାଲା । ଲୋକେ ଭାବିଲେ ଟଙ୍କା ଆଣିବା ପାଇଁ କାଞ୍ଚନ ବାହାରକୁ ଯାଇଛନ୍ତି। କିନ୍ତୁ ୪ ରୁ ୫ ଦିନ ବିତିଲା ପରେ ମଧ୍ୟ କେହି ଘରକୁ ନ ଫେରିବାରୁ ଲୋକେ ଖୋଜାଖୋଜି କରିବା ସହ ଯୋଗାଯୋଗ କରିବା ପାଇଁ ବହୁ ଚେଷ୍ଟା କରିଥିଲେ । ମାତ୍ର କାହାରି ଧରାଛୁଆଁ ମିଳିନଥିଲା। ପରେ ତିନି ଗ୍ରାମର ମହିଳାମାନେ ଆସି ପାଇକମାଳ ଥାନାର ଦ୍ୱାରସ୍ଥ ହୋଇଥିଲେ। ବର୍ତ୍ତମାନ ୨୦ ଦିନ ବିତିଗଲା ପରେ ମଧ୍ୟ କାଞ୍ଚନ ଓ ତାଙ୍କ ପରିବାରର ଦେଖାନାହିଁ । ପୁଲିସ୍‌ ଏକ ମାମଲା ରୁଜୁ କରି ମାମଲାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର