ସଂସ୍କୃତ ଶିକ୍ଷାକୁ ମାରିଦେବେ: ୫-ଟି ପାଇଁ ସଂସ୍କୃତ ଟୋଲ୍‌ କ’ଣ ସାବତ ପୁଅ?

ବିଜୁ ବାବୁଙ୍କ ନିଷ୍ପତ୍ତି କାର୍ଯ୍ୟକାରୀ କଲେନି, ଭିତ୍ତିଭୂମି ସାଙ୍ଗକୁ ପଣ୍ଡିତ ଶିକ୍ଷକ ଅଭାବ

ଭୁବନେଶ୍ବର: ‘ସଂସ୍କୃତ’ ଶିକ୍ଷାକୁ ଓଡ଼ିଶାରେ ବ୍ୟାପକ କରିବା ଲାଗି ସ୍ବାଧୀନତା ପୂର୍ବରୁ ସ୍ବତନ୍ତ୍ର ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହୋଇଥିଲା। ୧୯୪୭ ସୁଦ୍ଧା ସାରା ରାଜ୍ୟରେ ୭୦ଟି ସଂସ୍କୃତ ଟୋଲ୍‌ ରହିଥିବା ବେଳେ ୧୯୬୦ ବେଳକୁ ତାହା ବୃଦ୍ଧି ପାଇ ୧୩୯ରେ ପହଞ୍ଚିଥିଲା ଏବଂ ୧୯୯୪ ସୁଦ୍ଧା ୧୯୨ଟି ସଂସ୍କୃତ ଟୋଲ୍‌ ରହିଥିଲା। ଏହି ପ୍ରାଚୀନତମ ଭାଷାର ଅଧିକ ପ୍ରଚାର ପ୍ରସାର ଲାଗି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଗୁରୁତ୍ୱ ଦେବା ସହ ୧୯୯୪ରୁ ପୂର୍ଣ୍ଣ ଅନୁଦାନପ୍ରାପ୍ତ ସଂସ୍କୃତ ବିଦ୍ୟାଳୟକୁ ସରକାରୀକରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ତାହା ଆଜି ପର୍ଯ୍ୟନ୍ତ କେବଳ ନିଷ୍ପତ୍ତିରେ ରହିଯାଇଛି। ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ବନ୍ଦ ହେବାକୁ ବସିଛି ଶହେ ବର୍ଷର ସଂସ୍କୃତ ଶିକ୍ଷାନୁଷ୍ଠାନ। କେଉଁଠି ଜଣେ ଶିକ୍ଷକରେ ପାଠପଢ଼ା ଚାଲିଛି ତ ଆଉ କେଉଁଠି ଅଷ୍ଟମ ଶ୍ରେଣୀରେ ମାତ୍ର ୫ ପିଲା ସଂସ୍କୃତରେ ଶିକ୍ଷା ଗ୍ରହଣ କରୁଛନ୍ତି। ଗୋଟିଏ ପଟେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ଲାଗି ଏକାଧିକ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ସଂସ୍କୃତ ଶିକ୍ଷା ପ୍ରତି କାହିଁକି ଏତେ ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଲାଣି।

ସଂସ୍କୃତ ଟୋଲ୍‌ଗୁଡ଼ିକ ସରକାରୀକରଣ ହେବ କ’ଣ? ଗତ ୨୩ ବର୍ଷ ମଧ୍ୟରେ ଗୋଟିଏ ପରେ ଗୋଟିଏ ଟୋଲ୍‌ରେ ତାଲା ପଡ଼ିବାରେ ଲାଗିଛି। ଅବସର ଗ୍ରହଣ କରୁଥିବା ପଣ୍ଡିତ ଶିକ୍ଷକଙ୍କ ସ୍ଥାନ ପୂରଣ ହେଉ ନାହିଁ। ୨୪ ବର୍ଷ ତଳେ ଯେତିକି ଶିକ୍ଷକ ରହିଥିଲେ ତାହାର ୬୦% କମିଗଲାଣି। ଶିକ୍ଷକ ଓ ଭିତ୍ତିଭୂମି ଅଭାବରୁ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ମଧ୍ୟ କମୁଛି। ଶହେ ବର୍ଷ ପୂରଣ କରିଥିବା କେତେକ ସଂସ୍କୃତ ଟୋଲ୍‌ ବନ୍ଦ ହୋଇଥିବା ବେଳେ ଆଉ କିଛିରେ ତାଲା ପଡ଼ିବାକୁ ଯାଉଛି। ଗୋଟିଏ ପଟେ ରାଜ୍ୟ ସରକାର ୫-ଟି କାର୍ଯ୍ୟକ୍ରମରେ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲଗୁଡ଼ିକର ରୂପାନ୍ତରିତ କରୁଥିବା ବେଳେ ଅନ୍ୟପଟେ ସଂସ୍କୃତ ଟୋଲ୍‌ଗୁଡ଼ିକ ରସାତଳଗାମୀ ହେବାରେ ଲାଗିଛି। ଏଥିପ୍ରତି ୫-ଟି ସଚିବଙ୍କ ନଜର ପଡ଼ୁନି କି ଗଣଶିକ୍ଷା ବିଭାଗ ମନ୍ତ୍ରୀ ଗୁରୁତ୍ବ ଦେଉନାହାନ୍ତି। ପରିଣାମ ସ୍ବରୂପ ଓଡ଼ିଶାରେ ଭୁଶୁଡ଼ିବାକୁ ଯାଉଛି ସଂସ୍କୃତ ଶିକ୍ଷା।

କେବଳ ଯେ ସଂସ୍କୃତ ଟୋଲ୍‌ ପ୍ରଭାବିତ ହୋଇଛି ତାହା ନୁହେଁ, ୫-ଟି ଅଧୀନରେ ରୂପାନ୍ତରିତ ହୋଇଥିବା ହାଇସ୍କୁଲଗୁଡ଼ିକରେ ସଂସ୍କୃତ ବିଷୟ ପଢ଼ାଇବାକୁ ଶିକ୍ଷକ ନ ଥିବାରୁ ଛାତ୍ରଛାତ୍ରୀ ଏବେ ଏହି ପାଠ୍ୟକ୍ରମରୁ ମୁହଁ ମୋଡ଼ୁଛନ୍ତି। ୬୦୦ରୁ ଅଧିକ ହାଇସ୍କୁଲରେ ତୃତୀୟ ବିଷୟ ଭାବେ ଧନ୍ଦାମୂଳକ ପାଠ୍ୟକ୍ରମ ଆରମ୍ଭ କରାଯାଇଥିବାରୁ ସେଠାକାର ଛାତ୍ରଛାତ୍ରୀ ସଂସ୍କୃତ/ହିନ୍ଦୀ ବଦଳରେ ଧନ୍ଦାମୂଳକ ବିଷୟକୁ ଆପଣାଉଛନ୍ତି। ନିଖିଳୋତ୍କଳ ସଂସ୍କୃତ ମହାମଣ୍ଡଳମ୍‌ ଅଭିଯୋଗ କରିଛି ଯେ ରାଜ୍ୟର ୨୮୦ଟି ସଂସ୍କୃତ ଅନୁଷ୍ଠାନର କର୍ମଚାରୀ ୩୦ ବର୍ଷ ହେଲା ସ୍ବଳ୍ପ ଦରମା କିମ୍ବା ଆଦୌ ଦରମା ପାଉ ନାହାନ୍ତି। ରାଜ୍ୟ ସରକାରଙ୍କ
ପୁଷ୍ଠପୋଷକ ଅଭାବରୁ ଅଧିକାଂଶ ଟୋଲ୍‌ ବନ୍ଦ ହୋଇଗଲାଣି। ତା’ସତ୍ତ୍ବେ ମଧ୍ୟ ସଂସ୍କୃତର ପୁନରୁଦ୍ଧାର ଦିଗରେ ପଦକ୍ଷେପ ନିଆଯାଉ ନାହିଁ। ଯଦି ଏମିତି ଚାଲେ ତାହା ହେଲେ ଆଗାମୀ ଦିନରେ ଏହି ପାଠ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯିବ। ସମସ୍ତ ଟୋଲ୍‌ଗୁଡ଼ିକୁ ୫-ଟି ଅନ୍ତର୍ଭୁକ୍ତ କରାଯିବା ସହ ସମଗ୍ର ଶିକ୍ଷାରେ ସାମିଲ ଓ ଆବାସିକ ବିଦ୍ୟାଳୟରେ ପରିଣତ କରାଯାଉ। ୧୯୮୯ ଶିକ୍ଷା ଆଇନରେ ଗଢ଼ିଉଠିଥିବା ୩୯ଟି ଟୋଲ୍‌କୁ ପିଛିଲା ଭାବେ ପୂର୍ଣ୍ଣ ଅନୁଦାନ ସହ ୭ମ ବେତନ କମିସନ ଲାଗୁ, ଅନୁଦାନରୁ ବାଦ୍‌ ପଡ଼ିଥିବା ୪୧ଟି ଅନୁଷ୍ଠାନକୁ ପିଛିଲା ଭାବେ ଅନୁଦାନ ପ୍ରଦାନ ଦିଗରେ ପଦକ୍ଷେପ ନିଆଯାଉ। ଖାଲିପଡ଼ିଥିବା ସମସ୍ତ ଶିକ୍ଷକ ପଣ୍ଡିତ କର୍ମଚାରୀ ପଦବି ପୂରଣ କରିବାକୁ ଦାବି କରାଯାଇଛି।

ଭିତ୍ତିଭୂମି ସୁଦୃଢ଼ କରାଯାଉ ନ ଥିବାରୁ ପିଲାମାନେ ସଂସ୍କୃତ ବିଷୟରୁ ମୁହଁ ମୋଡ଼ିଲେଣି। ୨୦୨୩-୨୪ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜରେ ୧୩ ହଜାର ୨୪ ସିଟ୍‌ ରହିଛି। ସେଥିରୁ ଆହୁରି ୪ ହଜାର ଖାଲି ପଡ଼ିଛି। ୮ଟି ଜିଲ୍ଲାରେ ଯୁକ୍ତ୨ ସ୍ତରରେ ଆଦୌ ସଂସ୍କୃତ ପାଠ୍ୟକ୍ରମ ନାହିଁ। ଯଦି ପିଜି(ସ୍ନାତକ) ସ୍ତର କଥା ଦେଖିବା ତେବେ‌ ନିଯୁକ୍ତି ସମେତ ଅନ୍ୟାନ୍ୟ ସୁବିଧା ସୁଯୋଗ ମିଳୁ ନ ଥିବାରୁ ପିଲାମାନେ ସଂସ୍କୃତ ପାଠ୍ୟକ୍ରମରୁ ଦୂରେଇ ଯାଉଛନ୍ତି। ପିଜି ପାଇଁ ରାଜ୍ୟରେ ୯,୧୪୮ ସିଟ୍‌ ରହିଥିବା ବେଳେ ସେଥିରୁ ମାତ୍ର ୩,୩୯୧ ଟି ପୂରଣ ହୋଇଛି ଏବଂ ଆହୁରି ୫,୭୫୭ ସିଟ୍‌ ବଳକା ରହିଛି। ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ବିଶ୍ବବିଦ୍ୟାଳୟରେ ସଂସ୍କୃତରେ ପିଜି(ସ୍ନାତକୋତ୍ତର) ପାଠ୍ୟକ୍ରମ ଖୋଲିଥିଲେ ମଧ୍ୟ ଆବଶ୍ୟକ ପ୍ରଫେସର ନ ଥିବାରୁ ଶିକ୍ଷାଦାନରେ ସମସ୍ୟା ସୃଷ୍ଟି ହେଉଛି। ସେହିପରି ଉଚ୍ଚତର ଶିକ୍ଷା ଓ ଗବେଷଣା ପାଇଁ ପୁରୀଠାରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ତାହା ଦେଶର ଅନ୍ୟାନ୍ୟ ସଂସ୍କୃତ ବିଶ୍ବବିଦ୍ୟାଳୟ ପରି ପ୍ରସାରିତ ହୋଇପାରି ନଥିବା ଶିକ୍ଷାବିତ୍‌ମାନେ ମତପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର