ଟିଟିଲାଗଡ଼ ପାଲଟିଲା ତତଲା ସହର

ଭୁବନେଶ୍ୱର : ଟିଟିଲାଗଡ଼ ଆଜି ପାଲଟିଥିଲା ରାଜ୍ୟର ତତଲା ସହର। ଏଠାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଅନୁଗୁଳ ଓ ତାଳଚେର ମଧ୍ୟ ଉତ୍ତପ୍ତ ସହରରେ ପରିଣତ ହୋଇଛି। ଅନୁଗୁଳରେ ୩୯.୧ ଓ ତାଳଚେରରେ ୩୯ ଡିଗ୍ରି ରେକର୍ଡ କରାଯାଇଛି। ଏଥିସହ ଗତ ଦୁଇ ଦିନ ଧରି ୩୯ ଡିଗ୍ରି ଉପରେ ରହୁଥିବା ଭୁବନେଶ୍ୱରର ତାପମାତ୍ରା ଆଜି କିଛି ପରିମାଣରେ ହ୍ରାସ ପାଇଛି। ଏଠାରେ ୩୮.୮ ଡିଗ୍ରି ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପଶ୍ଚିମ ଓ ଅଭ୍ୟନ୍ତରୀଣ ଓଡ଼ିଶାରେ ୪ ଦିନ ହେଲା ଲଗାତାର ଭାବେ ତାତି ଅନୁଭୂତ ହେଉଛି। ରାଜ୍ୟର ୧୬ଟି ସହରର ତାପମାତ୍ରା ଆଜି ୩୫ ଡିଗ୍ରି ଉପରକୁ ଚାଲିଯାଇଛି। ମାଲକାନଗିରିରେ ୩୮.୮ ଡିଗ୍ରି ରହିଥିବା ବେଳେ ସୋନପୁର, କଟକ ଓ ଢ଼େଙ୍କାନାଳରେ ୩୭.୮, ଭବାନୀପାଟଣାରେ ୩୭.୫, ବଲାଙ୍ଗିର ଓ ଚାନ୍ଦବାଲିରେ ୩୭, ବାରିପଦାରେ ୩୬.୪, ଫୁଲବାଣୀରେ ୩୬.୨, ସମ୍ବଲପୁରରେ ୩୫.୫, ହୀରାକୁଦରେ ୩୫.୧, କୋରାପୁଟରେ ୩୫ ଡିଗ୍ରି ରେକର୍ଡ କରାଯାଇଛି। ଆଜି ଅପରାହ୍ନରେ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ ହୋଇଥିଲା। ଏନେଇ ସତର୍କ ସୂଚନା ଜାରି ହୋଇଥିଲେ ମଧ୍ୟ ସେଭଳି କିଛି ହୋଇ ନାହିଁ। ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଉତ୍ତର ଓଡ଼ିଶାରେ କାଳବୈଶାଖୀ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ସମ୍ବନ୍ଧିତ ଖବର